କଟକ: କୋଣାର୍କରେ ଅଦାଲତ କୋଠା ନିର୍ମାଣ ଲାଗି ତିନି ମାସ ଭିତରେ ଜମି ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ଜମି ଚିହ୍ନଟ କରି ଏଥି ପାଇଁ ଦିଆଯିବ। ତୁରନ୍ତ  ଏ ସଂପର୍କିତ ଜମିର ରେକର୍ଡ ଅଫ୍ ରାଇଟ୍ସ ମଧ୍ୟ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଆଇନ ସଚିବ ପୁରୀ ଜିଲ୍ଲାପାଳଙ୍କ ସହିତ ଏହି ପ୍ରସଂଗରେ ପରାମର୍ଶ କରି ତିନି ମାସ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଏସ୍.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ କୋଣାର୍କ ବାର୍ ଆସୋସିଏସନ୍ ଅନ୍ତରୀଣ କମିଟି ଅଧ୍ୟକ୍ଷ ଶ୍ରୀଜୟ କୁମାର ବରାଳଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ କୋଣାର୍କସ୍ଥିତ ସିଭିଲ ଜଜ୍ (ଜେଡି) ତଥା ଜେଏମ୍‌ଏଫ୍‌ସି ଅଦାଲତ ଏବେ ଏକ ସରକାରୀ ଘରେ କାର୍ଯ୍ୟ କରୁଥିବା ବେଳେ ଅଦାଲତର ନିଜସ୍ବ କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥି ପାଇଁ ପ୍ରଥମେ ଚିହ୍ନଟ କରାଯାଇଥିବା ଜମି କିନ୍ତୁ ପରବର୍ତ୍ତୀ ସମୟରେ ଅଦାଲତ କୋଠା ନିର୍ମାଣ ପାଇଁ ଆବଣ୍ଟନ କରାଯାଇ ନଥିଲା। ଅଦାଲତ କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ ଓ ଆବଣ୍ଟନ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଆଇନଜୀବୀ, ଅଦାଲତ କର୍ମଚାରୀ ଓ ମହକିଲମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ଆବେଦନକାରୀ ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ଜମି ପ୍ରଦାନ କରାଯାଇ ନଥିଲା। ବିଭିନ୍ନ ଅଞ୍ଚଳରେ ପ୍ରତିଷ୍ଠା ହେଉଥିବା ନୂଆ ଅଦାଲତର କୋଠା ନିର୍ମାଣ ପାଇଁ ୩ ଏକର ଜମି ପ୍ରଦାନ କରାଯାଉଥିବା ବେଳେ କୋଣାର୍କରେ ମଧ୍ୟ ତୁରନ୍ତ ସମାନ ପରିମାଣର ଜମି ଦିଆଯାଉ ବୋଲି ଆବେଦନକାରୀ ଦାବି କରିଥିଲେ। ଏହି ପ୍ରସଂଗରେ କିଛି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଥିଲେ।