କୋଣାର୍କ ନୃତ୍ୟୋତ୍ସବ ୧ରୁ

ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତା ୧ ତାରିଖରୁ ଆରମ୍ଭ ହେବ କୋଣାର୍କ ନୃତ୍ୟୋତ୍ସବ। ଓଡ଼ିଶାର ଅନ୍ତର୍ନିହିତ ଐତିହ୍ୟକୁ ବାଦ୍‌ ଦେଲେ ଏହି ଉତ୍ସବରେ ଉତ୍କୃଷ୍ଟ ମାନର ପାରମ୍ପରିକ ତଥା ଶାସ୍ତ୍ରୀୟ ନୃତ୍ୟ ଆୟୋଜିତ ହେବ। ବହୁ ପ୍ରତିଭାବାନ ନୃତ୍ୟ ବିଶାରଦ ଓ କଳାକାରବୃନ୍ଦ ଓଡ଼ିଶୀ, ଭାରତନାଟ୍ୟମ, କଥକ, କୁଚିପୁଡ଼ି ଓ ସାତ୍ରିୟା ଆଦି ନୃତ୍ୟ ପରିବେଷଣ କରିବେ। ମାଲେସିଆ ସମେତ ଦେଶର ୭ଟି ରାଜ୍ୟ ଯଥା ଛତିଶଗଡ଼, ତାମିଲନାଡ଼ୁ, କେରଳ, ଆସାମ, ପଶ୍ଚିମବଙ୍ଗ, ଗୁଜୁରାଟ ଓ ନୂଆଦିଲ୍ଲୀର କଳାକାରମାନେ ଏହି ଉତ୍ସବରେ ଅଂଶଗ୍ରହଣ କରିବେ। ଏହି ଉତ୍ସବ ଆସନ୍ତା ୫ ତାରିଖ ଯାଏଁ ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ଚାଲିବ ବୋଲି ଆଜି ପାନ୍ଥ ନିବାସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

ଏହି ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରଠାରୁ ୩ କି.ମି. ଦୂରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର୍ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଚନ୍ଦ୍ରଭାଗାର ପ୍ରଶସ୍ତ ବେଳାଭୂମିରେ ‘ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ’ ଅନୁଷ୍ଠିତ ହେବ। ଏହି ଉତ୍ସବ ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ଯାଏଁ ଚା‌ଲିବ। ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ୫ ଦିନ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଉପରେ ବାଲୁକା ଚିତ୍ରକଳା ପ୍ରଦର୍ଶନ କରିବେ। ଚଳିତ ବର୍ଷ ଉତ୍ସବର ୫ ଦିନରେ ଯଥାକ୍ରମେ କ୍ରୀଡ଼ା, ଐତିହ୍ୟ, ପରିବେଶ, ମହିଳା ସଶକ୍ତିକରଣ ଏବଂ ସଂସ୍କୃତି, ପର୍ବ ଓ ପାର୍ବଣୀ ଆଦି ବିଷୟବସ୍ତୁ ଉପରେ ବାଲୁକା କଳା ପ୍ରଦର୍ଶିତ ହେବ। ଏଥିରେ ମୋଟ୍‌ ୧୦୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ନେଦରଲ୍ୟାଣ୍ଡ, ସ୍ପେନ, ଶ୍ରୀଲଙ୍କା ଓ ଇଟାଲୀ ଆଦି ୬ଟି ଦେଶରୁ ଜଣେ ଲେଖାଏଁ ବାଲୁକାଶିଳ୍ପୀ ‌ଏଥିରେ ‌ଯୋଗ ଦେବେ। ଗତ ବର୍ଷ ଏହି ଉତ୍ସବରେ ଭାରତର ବିଭିନ୍ନ ପ୍ରାନ୍ତରୁ ୫୯ ଜଣ ଦେଶୀୟ କଳାକାରଙ୍କ ସମେତ ମେକ୍ସିକୋ, ଋଷ, ଜର୍ମାନ, ସ୍ପେନ, କାନାଡା, ଘାନା, ଶ୍ରୀଲଙ୍କା ଓ ସିଙ୍ଗାପୁରରୁ ଜଣେ ଲେଖାଏଁ କଳାକାର ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ। ଏକକ ବାଲୁକା ଶିଳ୍ପରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା, ଦୁଇଜଣିଆ ବାଲୁକା ଶିଳ୍ପରେ ପ୍ରଥମ ସ୍ଥାନରେ ରହିଲେ ଏକ ଲକ୍ଷ ଟଙ୍କା, ଦ୍ବିତୀୟ ହେଲେ ୫୦ ହଜାର ଟଙ୍କା ଓ ତୃତୀୟ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ପୁରୁଷ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିଙ୍କୁ ଏକ ଲକ୍ଷ, ଦ୍ବିତୀୟଙ୍କୁ ୬୦ ହଜାର ଓ ତୃତୀୟ ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କାଏବଂ ମହିଳା ବିଭାଗରେ ପ୍ରଥମ ବିବେଚିତ ପ୍ରତିଯୋଗୀଙ୍କୁ ୫୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ।

ଉତ୍ସବର ଅନ୍ୟତମ ଆକର୍ଷଣ ରହିବ ଚନ୍ଦ୍ରଭାଗା ନିକଟରେ ଆୟୋଜିତ ହେବାକୁ ଥିବା ହସ୍ତଶିଳ୍ପ ମେଳା।ଏହି ମେଳାର ଦେଶର ବିଭିନ୍ନ ସ୍ଥାନର ସ୍ଥପତିମାନେ ସେମାନଙ୍କ ଦ୍ବାରା ନିର୍ମିତ ଭିନ୍ନ ଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶନ କରିବେ। ପୁଣି ସୁସ୍ବାଦୁ ଖାଦ୍ୟର ନିଆରା ଅନୁଭୂତି ବି ପର୍ଯ୍ୟଟକମାନେ ସାଉଁଟିପାରିବେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ଓଟିଡିସି ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର