କୋଣାର୍କ: ୩୫ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆଜି ଉଦ୍ଘାଟିତ ହୋଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନସଚିବ ମନୋଜ ଆହୁଜା, ପର୍ଯ୍ୟଟନ ସଚିବ ବଲବନ୍ତ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମା, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଗୁରୁ ଲିଙ୍ଗରାଜ ପ୍ରଧାନ, ଗୁରୁ ପଙ୍କଜ କୁମାର ପ୍ରଧାନ ଓ ସାଥୀ ନୃତ୍ୟଶିଳ୍ପୀଙ୍କ ଦ୍ବାରା ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ରଚିତ ଶ୍ରୀଜଗନ୍ନାଥାଷ୍ଟକମ୍ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ପାରମ୍ପରିକ ‘ଆନାଦା’ ବାଦ୍ୟଯନ୍ତ୍ର ଦ୍ୱାରା କୃଷ୍ଣଙ୍କ ଜୀବନ କାହାଣୀକୁ ନେଇ ଉପସ୍ଥାପନ କରାଯାଇଥିଲା ମାତୃଶକ୍ତି ଉପରେ ଆଧାରିତ ସ୍ବତନ୍ତ୍ର ନୃତ୍ୟ ନାଟିକା। ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତ୍ରିଦେବଙ୍କ ସହିତ ମାତୃଶକ୍ତିର ବନ୍ଦନା ମହୋତ୍ସବସ୍ଥଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ନୃତ୍ୟ ଶିଳ୍ପୀମାନଙ୍କ ନିଖୁଣ ଅଭିନୟରେ ଉପସ୍ଥିତ ଦେଶ ବିଦେଶର ପର୍ଯ୍ୟଟକମାନେ ବିମୋହିତ ହୋଇ ପଡ଼ିଥିଲେ। ଦ୍ୱିତୀୟ ଚରଣରେ ନୂଆଦିଲ୍ଲୀର ମାଲତିଶ୍ୟାମ ଓ ସାଥୀଙ୍କ ଦ୍ୱାରା କଥକ ନୃତ୍ୟ ‘ନର୍ତ୍ତନମଞ୍ଜରୀ’ ପରିବେଷଣ ହୋଇଥିଲା। ଶାସ୍ତ୍ରୀୟଭିତ୍ତିରେ ଛନ୍ଦ, ଲୟ ଓ ତାଳକୁ ନେଇ ପ୍ରେମ, ଆତ୍ମସମର୍ପଣ ଓ ଆଧ୍ୟାତ୍ମିକ ପୂର୍ଣ୍ଣତାର ଅଦ୍ଭୂତ ନିଦର୍ଶନ ଥିଲା ଏହି ନୃତ୍ୟ। କଥକ ନୃତ୍ୟ ଶିଳ୍ପୀମାନଙ୍କର ନିଖୁଣ ପରିବେଷଣ ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମହୋତ୍ସବକୁ ସଂଯୋଜନା କରିଥିଲେ ଡ.ମୃତ୍ୟୁଞ୍ଜୟ ରଥ ଓ ଶୋଭନା ମିଶ୍ର। ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/02/r5cC979QD9uggldnnX1k.jpg)