କୋଣାର୍କ: କୋଣାର୍କ-ପୁରୀ ପୁରୁଣା ବେଳାମାର୍ଗ ପାର୍ଶ୍ବ ବଙ୍ଗୋପସାଗରର ସ୍ବର୍ଣ୍ଣାଭ ବେଳାଭୂମିରେ ଆଜି ଏକ ବର୍ଣ୍ଣାଢ଼୍ୟ ସମାରୋହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ ଉଦ୍ବୋଧନ ପରେ ଉଦ୍ଘାଟିତ ହୋଇଛି କୋଣାର୍କ ବେଳାମାର୍ଗ ଇକୋ ରି-ଟ୍ରିଟ୍ ଉତ୍ସବ-୨୦୨୩। ଉତ୍ସବସ୍ଥଳରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ ନାୟକ, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ପର୍ଯ୍ୟଟନ ଅଧିକାରୀମାନେ ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲେ।
ସୂଚନାଯୋଗ୍ୟ, ବେଳାଭୂମିରେ ପର୍ଯ୍ୟଟକମାନେ ପାରାସେଲିଂ, ସାଇକେଲିଂ, ଜଳକ୍ରୀଡ଼ା ଭଳି ଇଭେଣ୍ଟର ମଜା ଉଠାଇ ପାରିବେ। ସେହିଭଳି ପରିବେଶର ଶୋଭାକୁ ଉପଭୋଗ କରିବା ସହିତ ବାଲୁଖଣ୍ଡ ଅଭୟାରଣ୍ୟରେ ପ୍ରକୃତିର ସବୁଜିମା, ରଙ୍ଗବେରଙ୍ଗ ପକ୍ଷୀମାନଙ୍କ ମଧୁତାନ ଓ ଚିତ୍ରାହରିଣ ସହିତ ବିଭିନ୍ନ ବନ୍ୟଜନ୍ତୁଙ୍କ ଗତିବିଧି ଉପଭୋଗ କରିବା ନେଇ ବ୍ୟବସ୍ଥା ହୋଇଛି। ସେହିଭଳି ଭାବେ ପ୍ରତ୍ୟେକ ଦିନ ପର୍ଯ୍ୟଟକମାନଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର, ଆଇଓସିଏଲ୍ର ବାଖ୍ୟାନ କେନ୍ଦ୍ର ବୁଲିବା ବ୍ୟବସ୍ଥା ହୋଇଛି। ଉତ୍ସବରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ବେଶଭୁଷା ଓ ଖାଦ୍ୟପେୟ ସମ୍ପର୍କରେ ଅବଗତ କରିବା ପାଇଁ ହସ୍ତଶିଳ୍ପ ଷ୍ଟଲ୍ ସହିତ ଫୁଡ୍ଷ୍ଟଲ, ସମ୍ବଲପୁରୀ ବସ୍ତ୍ରାଳୟ ଭଳି ବ୍ୟାପକ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଘାଟନ ଉତ୍ସବକୁ ପରିଚାଳନା କରିଥିଲେ। ଚଳିତବର୍ଷ ଉତ୍ସବରେ ପର୍ଯ୍ୟଟକଙ୍କ ରହଣି ପାଇଁ ୭୦ଟି ତମ୍ବୁଘର ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ୩୦ଟି ଡିଲକ୍ସ, ୨୦ଟି ପ୍ରିମୟମ୍, ୧୨ଟି ରୟାଲ୍ ଓ ୮ଟି ପ୍ରେସିଡେନ୍ସି ତମ୍ବୁଘର ରହିଛି।