କୋଣାର୍କ : କୋଣାର୍କ-ପୁରୀ ପୁରୁଣା ବେଳାମାର୍ଗ ପାର୍ଶ୍ବ ବଙ୍ଗୋପସାଗରର ସ୍ବର୍ଣ୍ଣାଭ ବେଳାଭୂମି‌ରେ ଆଜି ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଚଳିତ ବର୍ଷର ଇକୋ-ରିଟ୍ରିଟ୍‌ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ ଉଦ୍‌ବୋଧନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଉତ୍ସବ ଶୁଭାରମ୍ଭ ହୋଇଥିଲା। ତେବେ କୋଣାର୍କ ଇକୋ ରିଟ୍ରିଟ୍‌ ଆରମ୍ଭ ହୋଇ ପାରି ନଥିଲା। ଗୁରୁବାର ଦିନ କୋଣାର୍କସ୍ଥିତ ଇକୋ ରିଟ୍ରିଟ୍‌ ସ୍ଥଳରେ ସ୍ବତନ୍ତ୍ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

Advertisment

ଏଥିରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ ନାୟକ, ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଲେଲିନ୍‌ ମହାନ୍ତି, କୋଣାର୍କ ଏନ୍‌ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପର୍ଯ୍ୟଟନ ବିଭାଗର ଅଧିକାରୀମାନେମାନେ ଉପସ୍ଥିତ ରହି ଉଦ୍‌ଘାଟନ ସମାରୋହକୁ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲେ। ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମରେ ବେଳାଭୂମିରେ ପାରାସେଲିଂ, ସାଇକେଲ୍‌ ଚାଳନା, ଜଳକ୍ରୀଡ଼ା ଭଳି ଇଭେଣ୍ଟରୁ ପର୍ଯ୍ୟଟକମାନେ ମଜା ଉଠାଇ ପାରିବେ।

publive-image

ସେହିଭଳି ପରିବେଶର ଶୋଭାକୁ ଉପଭୋଗ କରିବା ସହିତ ବାଲୁଖଣ୍ଡ ଅଭୟାରଣ୍ୟରେ ପ୍ରକୃତିର ସବୁଜିମା, ରଙ୍ଗବେରଙ୍ଗର ପକ୍ଷୀମାନଙ୍କ କାକଳି ଓ ଚିତ୍ରାହରିଣ ସହିତ ବନ୍ୟଜନ୍ତୁଙ୍କ ଗତିବିଧି ଉପଭୋଗ କରିବା ପାଇଁ ଦୁଇ କିମି ବୁଲିବା ପରେ ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟରେ ଥିବା ନିରୀକ୍ଷଣ ସୌଧ (ୱାଚ୍‌ଟାୱାର) ଦେଇ ପୁଣି ଉତ୍ସବସ୍ଥଳକୁ ପ୍ରତ୍ୟାବର୍ତ୍ତନ କରିବେ। ସେହିଭଳି ଭାବେ ପ୍ରତ୍ୟେକ ଦିନ ପର୍ଯ୍ୟଟକମାନଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର, ଆଇଓସିଏଲ୍‌ ବାଖ୍ୟାନ କେନ୍ଦ୍ର ଓ ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ ଦେଖିବାର ବ୍ୟବସ୍ଥା ହୋଇଛି। ଏହି ଉତ୍ସବରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ବେଶଭୁଷା ଓ ଖାଦ୍ୟପେୟ ସଂପର୍କରେ ଅବଗତ କରିବା ପାଇଁ ହସ୍ତଶିଳ୍ପ ଷ୍ଟଲ ସହିତ ଫୁଡ୍‌ଷ୍ଟଲ୍‌, ସମ୍ବଲପୁରୀ ବତ୍ସାଳୟ ଭଳି ବ୍ୟାପକ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟନ ବିଭାଗର ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଉଦ୍‌ଘାଟନୀ ଉତ୍ସବ ପରିଚାଳନା କରିଥିଲେ।