କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା :  ମନ ମୋହିଲେ  ଇଣ୍ଡୋନେସିଆ ନୃତ୍ୟରେ ରାମାୟଣର ଗାଥା

ଭୁବନେଶ୍ବର : ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଇଣ୍ଡୋନେସିଆ-ବାଲିନିଜ୍ ନୃତ୍ୟ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟରେ ପୁରାଣର କଥାବସ୍ତୁ ନିଖୁଣ ଭାବେ ଉପସ୍ଥାପିତ ହୋଇ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ୍ ନୃତ୍ୟରେ ରାମାୟଣ ମହାକାବ୍ୟ ଆଧାରିତ ସୀତା ହରଣ ପ୍ରସଙ୍ଗକୁ ଶିଳ୍ପୀଗଣ ମଚାଂୟିତ କରିଥିଲେ । ସୁବର୍ଣ୍ଣ ହରିଣୀ ପଛରେ ଶ୍ରୀରାମଙ୍କ ଅନୁଧାବନ, ଲକ୍ଷ୍ମଙ୍କର ଜ୍ୟେଷ୍ଠ ଭ୍ରାତାଙ୍କୁ ସହାୟତା ଦେବା ପାଇଁ ପ୍ରସ୍ଥାନ, ଦଶାନନଙ୍କ ସୀତା ହରଣ ଜଟାୟୁଙ୍କ ପ୍ରତିରୋଧ ସହ ରାବଣଙ୍କ ଦ୍ୱାରା ନିଧନର ପ୍ରତିଟି କଥା ବସ୍ତୁକୁ ଚିତ୍ରିତ କରିଥିଲେ ଇଣ୍ଡୋନେସିଆ ଶିଳ୍ପୀ । ବାଲିନିଜ୍ ନୃତ୍ୟର ଦ୍ୱିତୀୟ ପ୍ରସ୍ତୁତିରେ ରହିଥିଲା ସମସାମୟିକ ସେଲଟ୍ ସେଗାରା ଯାହା ବାଲିଦ୍ୱିପକୁ ଆସୁଥିବା ଅତିଥିଙ୍କ ସମ୍ମାନରେ ସ୍ୱାଗତ ନୃତ୍ୟ ଭାବେ ପରିବେଶିତ ହୋଇଥାଏ । ଓଡିଶା ସହ ବାଣିଜି୍ୟକ ସମ୍ପର୍କ ଓ ଭାରତ ସହ ସାଂସ୍କୃତିକ ସମ୍ପର୍କରେ ଅନୁବନ୍ଧିତ ଉଣ୍ଡୋନେସିଆର ଏହି ନୃତ୍ୟ ଦର୍ଶକଙ୍କୁ ହଜିଲା ଦିନର ଗୈାରବମୟ ଗାଥାକୁ ମନେ ପକେଇ ଦେଇଥିଲା ।

ଦ୍ୱିତୀୟ ଚରଣରେ ଗୁରୁ ଆଲୋକା କାନୁନ୍ଗୋଙ୍କ ସଂରଚନାରେ ସିଂଜନ୍ ନୃତ୍ୟାଳୟ କୋଲକତାର ଶିଳ୍ପୀମାନେ ଓଡିଶୀ ନୃତ୍ୟ ପରଶି ଦେଇଥିଲେ । ସୂର୍ଯ୍ୟ ସ୍ତୃତିରୁ ଆରମ୍ଭ ହୋଇଥିଲା  ଓଡିଶୀ ଶିଳ୍ପୀଙ୍କ ପରିବେଷଣ । ବ୍ରହ୍ମା-ବିଣ୍ଣୁ ଓ ମହେଶ୍ୱରଙ୍କ ସୂରୁପ-ଆଦିତ୍ୟଙ୍କ ଉପସନା ପରେ ପରେ ଶୁଦ୍ଧ ନୃତ୍ୟ ପଲ୍ଲବୀକୁ ପ୍ରସ୍ତୁତ କରିଥିଲେ ଓଡିଶୀ ନୃତ୍ୟ ଶିଳ୍ପୀ ଯାହା ରାଗ ମାନ ସମାହାର ଆଧାରରେ ସଂରଚିତ ହୋଇଥିଲା । ଅନ୍ତିମ ପ୍ରସ୍ତୁତିରେ ଦେବୀ ଆରାଧନା ସମ୍ବଳିତ ଦଶମହାବିଦ୍ୟାକୁ ନୃତ୍ୟାର୍ଯ୍ୟ ଭାବେ ଭେଟି ଦେଇଥିଲେ ସିଂଜନ୍ ନୃତ୍ୟାଳୟର ଶିଳ୍ପୀ ।

ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ବିଦ୍ୟାଳୟ ଓ  ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ୍ , ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ର ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍, ଓଡିଶା ପର୍ଯ୍ୟଟନ ଉନ୍ନୟନର ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସାଏ ପ୍ରମୁଖ ଅଥିତି ରୁପେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର