କୋଣାର୍କ : ୨୮ତମ କୋଣାର୍କ ନୃତ୍ୟୋତ୍ସବ ବୁଧବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ପାଞ୍ଚ ଦିନ ବ୍ୟାପୀ ଚାଲିଥିବା କୋଣାର୍କ ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ନୃତ୍ୟାଙ୍ଗନାମାନେ ପୌରାଣିକ କଥାବସ୍ତୁ ଆଧାରରେ ପରିବେଷଣ କରିଥିବା ନୃତ୍ୟାଭିନୟ ବେଶ ସ୍ମରଣୀୟ ହୋଇଥିଲା। କଥକ ନୃତ୍ୟରେ କୃଷ୍ଣଭକ୍ତି ମୁକ୍ତାକାଶ ରଙ୍ଗମଞ୍ଚରେ ଭକ୍ତି ଭାବର ପରିବେଶ ସୃଷ୍ଟି କରିଥିବା ବେଳେ ଓଡ଼ିଶୀରେ ମତ୍ସ୍ୟ ଅବତାର ନୃତ୍ୟାଭିନୟକୁ ନେଇ ଝୁମିଥିଲେ ଦର୍ଶକ। ଗ୍ୟାଲେରି ଭର୍ତି ଦର୍ଶକ ଓ ପର୍ଯ୍ୟଟକଙ୍କ ସମାହାର ମଧ୍ୟରେ ଉଦ୍ଯାପନୀ ସନ୍ଧ୍ୟାର ସାଂସ୍କୃତିକ ସମାରୋହକୁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ ଓ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ ମଧ୍ୟ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅହମଦାବାଦର କଥକ ନୃତ୍ୟ ଅନୁଷ୍ଠାନ ‘କଦମ୍ବ’ ପକ୍ଷରୁ ନୃତ୍ୟାଙ୍ଗନା କୁମୁଦିନୀ ଲାଖିଆ ଓ ସାଥୀମାନେ ପରିବେଷଣ କରିଥିଲେ ଦୁର୍ଗାସ୍ତୁତି। ପରେ ପରେ ନୃତ୍ୟଶିଳ୍ପୀମାନେ ଭେଟି ଦେଇଥିଲେ ‘ଧମାଲ’। ପର୍ଯ୍ୟାୟ କ୍ରମେ କଥକ ନୃତ୍ୟଶିଳ୍ପୀମାନେ କୃଷ୍ଣଭକ୍ତି, ଗତି, ଆକାର ଓ ତରାନ୍ନା ପରିବେଷଣ କରିଥିଲେ। ବିଶେଷ କରି କୃଷ୍ଣଭକ୍ତି ନୃତ୍ୟ ପରିବେଷଣ ସମୟରେ ଦର୍ଶକ ଗ୍ୟାଲେରିରୁ କରତାଳିର ସୁଅ ଛୁଟିଥିଲା। ଅନ୍ତିମ ସନ୍ଧ୍ୟାର ଦ୍ବିତୀୟ ପର୍ଯ୍ୟାୟରେ ପଦ୍ମଶ୍ରୀ ରଂଜନ ଗୌହର ଓ ସାଥୀ ଶିଳ୍ପୀମାନେ ମଞ୍ଚରେ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ। ପୌରାଣିକ କଥାବସ୍ତୁ ମତ୍ସ୍ୟ ଅବତାର ଉପରେ ଆଧାରିତ ଏହି ନୃତ୍ୟାଭିନୟରେ ଝୁମି ଉଠିଥିଲେ ଦର୍ଶକ ଓ ପର୍ଯ୍ୟଟକ। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ଶୁଭ୍ରା ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ ପତି, ସହ ନିର୍ଦ୍ଦେଶକ ବିଜୟ କୁମାର ଜେନା, ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଡ. ରତିକାନ୍ତ ପଟ୍ଟନାୟକ, ଡ. ସୁନୀଲ ପଟ୍ଟନାୟକ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଂଗୀତା ଗୋସାଇଁ, ସଂଗୀତ ନାଟକ ଏକାଡ଼େମି ସଚିବ ଡ. ବିଜୟ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷ ରଜନୀରେ ଡ. ମୃତୁଞ୍ଜୟ ରଥ ଓ ଡ.ସାଧନା ଶ୍ରୀବାସ୍ତବ ମଞ୍ଚ ପରିଚାଳନା କରିଥିଲେ।
ସରିଲା କୋଣାର୍କ ମହୋତ୍ସବ : କଥକ ଓ ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ
/sambad/media/post_attachments/wp-content/uploads/2018/12/DSC_4933.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)