ଡିସେମ୍ବର ୧ରୁ କୋଣାର୍କ ଉତ୍ସବ

ଆୟୋଜିତ ହେବ ବାଲୁକାକଳା ପ୍ରଦର୍ଶନୀ
ଭାଗନେବେ କେବଳ ଭାରତୀୟ ପ୍ରତିଯୋଗୀ
ଗ୍ୟାଲେରିରେ ବସିବେ ଏକ ତୃତୀୟାଂଶ ଦର୍ଶକ

କୋଣାର୍କ : ୧୯୮୯ ମସିହାରୁ କୋଣାର୍କରେ ଅନୁଷ୍ଠିତ ହୋଇଆସୁଛି ଆନ୍ତଜାର୍ତିକ କୋଣାର୍କ ଉତ୍ସବ । କୋଣାର୍କ ସୂର୍ଯ୍ୟମନ୍ଦିର ନିକଟ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ସବୁ ବର୍ଷ ପରି ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଚଳିତବର୍ଷ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ଉତ୍ସବ। ଏହାସହିତ ଚନ୍ଦ୍ରଭାଗା ବେଳାଭୂମିରେ ମଧ୍ୟ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ। ତେବେ ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି କୋଭିଡ କଟକଣା ମଧ୍ୟରେ ଏହି ଉତ୍ସବର ଆୟୋଜନ କରାଯାଇଛି।

ଆଜି କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉତ୍ସବର ଆୟୋଜନକୁ ନେଇ ସବିଶେଷ ଆଲୋଚନା କରାଯାଇଛି । ବୈଠକରେ ଆଇନଶୃଙ୍ଖଳା, ବିଦ୍ୟୁତ୍‌ ସରାବରାହ,ପାନୀୟଜଳ ଯୋଗାଣ, ପରିବହନ, ପାର୍କିଂ, ସ୍ବାସ୍ଥ୍ୟ, ଅଗ୍ନି ନିରାପତ୍ତା , ହସ୍ତଶିଳ୍ପ ପ୍ରଦର୍ଶନୀ, ପରିମଳ ବ୍ୟବସ୍ଥା, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଆଲୋକସଜ୍ଜା ଓ ସୌନ୍ଦର୍ଯ୍ୟୀକରଣ ଭଳି ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରାଯାଇଛି। କୋଣାର୍କ ଉତ୍ସବ ଦେଖିବା ପାଇଁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ପ୍ୟାକେଜ ଟୁର୍‌ର ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ହେଲିପ୍ୟା‌ଡ଼ରେ ହେଉଥିବା ମୀନାବଜାର, ପଲ୍ଲିଶ୍ରୀ ମେଳା ଓ ଅପେରା ଆୟୋଜନ ସଂପର୍କରେ ପ୍ରଶାସନ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । ପ୍ରସ୍ତୁତି ବୈଠକରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ , କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ସଚିବ ବିଶାଲ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ, ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ରଂଜନ କୁମାର ଦାଶ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଆର୍ନ୍ତଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, ଉତ୍ସବରେ ମୁକ୍ତାକାଶ ରଙ୍ଗମଞ୍ଚରେ ଥିବା ଦର୍ଶକ ଗ୍ୟାଲେରିରେ ତିନି ଫୁଟ ବ୍ୟବଧାନରେ ଦର୍ଶକମାନେ ବସିବା ପାଇଁ ବ୍ୟବସ୍ଥା କରାଯିବ। ଗ୍ୟାଲେରିରେ ଯେତିକି ଲୋକ ବସିବା କଥା ତାହାର ଏକ ତୃତୀୟାଂଶ ଦର୍ଶକଙ୍କୁ ଉତ୍ସବ ଦେଖିବା ଲାଗି ପ୍ରବେଶ ଅନୁମତି ଦିଆଯିବ। ଏହାସହିତ ଆୟୋଜିତ ହେବାକୁ ଥିବା ଆନ୍ତର୍ଜ‌ାତିକ ବାଲୁକାକଳା ପ୍ରଦର୍ଶନୀକୁ କାଣ୍ଟଛାଣ୍ଟ କରାଯାଇଛି। ମାତ୍ର ୨୦ ଟି ବାଲୁକା ଶଯ୍ୟାରେ ଶିଳ୍ପୀମାନଙ୍କୁ ସେମାନଙ୍କ କଳାକୃତି ପ୍ରଦର୍ଶନ ପାଇଁ ସୁଯୋଗ ଦିଆଯିବ। ଉଭୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପର୍ଯ୍ୟଟନ ବିଭାଗର ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ହେବ। କୋଣାର୍କ ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଭିନ୍ନ ଦିବସରେ ବସନ୍ତ ମଞ୍ଜରୀ ପାଠାଗାର ପକ୍ଷରୁ ଗଣଦୌଡ଼, କୋଣାର୍କ ପ୍ରେସ କ୍ଲବ୍‌ ପକ୍ଷରୁ ସାଇକ୍ଲୋଥନ ଓ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଲକ୍ଷ୍ୟ ରହିଛି।

ସମ୍ବନ୍ଧିତ ଖବର