ଆରମ୍ଭ ହେଲା କୋଣାର୍କ ନୃତ୍ୟ ମହାକୁମ୍ଭ

କଥକ ନୃତ୍ୟଶିଳ୍ପୀ ଶମାଙ୍କ ନୃତ୍ୟରେ ସୂର୍ଯ୍ୟ ଉପାସନା

କୋଣାର୍କ : କୋଣାର୍କ ମୁକ୍ତାକାଶ ମଞ୍ଚରେ ଯୋଡ଼ି ହୋଇଛି ନୃତ୍ୟ ମହାକୁମ୍ଭର ଆଉ ଏକ ଅଧ୍ୟାୟ। ଦିନେ କେବଳ ପାଦତଳ ଧୂଳିରେ ସୀମିତ ଥିବା ଚନ୍ଦ୍ରଭାଗା ବେଳାଭୂମିର ବାଲୁକା ରାଶି ପାଲଟିଛି କଥାକୁହା ସ୍ଥାପତ୍ୟ। ରଙ୍ଗ ବେରଙ୍ଗ ଆଲୁଅମାଳାରେ ନୂଆ ବୋହୂ ଭଳି ସଜେଇ ହୋଇଛି ସମଗ୍ର କୋଣାର୍କ ଅଞ୍ଚଳ। ମହା ଆଡ଼ମ୍ବର ସହ ଖୋଲିଛି କୋଣାର୍କ ନୃତ୍ୟ ଉତ୍ସବର ପରଦା। ସୂର୍ଯ୍ୟମନ୍ଦିର ସମ୍ମୁଖରେ ନୃତ୍ୟାଭିନୟରେ ସୂର୍ଯ୍ୟ ଉପାସନା ଦର୍ଶକଙ୍କୁ ଅଭିଭୂତ କରିଛି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୃତ୍ୟ ଉତ୍ସବକୁ ଉଦ୍‌ଘାଟନ କରିଥିବା ବେଳେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ସଚିବ ବିଶାଳ ଦେବ, ନିର୍ଦେଶକ ସଚ୍ଚିନ ଯାଦବ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଅସ୍ତରଙ୍ଗ ବ୍ଲକ୍‌ ଅଧ୍ୟକ୍ଷ ସ୍ବାଧୀନ ନାୟକ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ.ଉମାଶଙ୍କର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅତିଥିମାନେ କୋଣାର୍କ ଉତ୍ସବ ଉଦ୍‌ଘାଟନ ହେବା ଘୋଷଣା କରିବା ମାତ୍ରେ ସଂଗୀତ, ବାଦ୍ୟ ଓ ନୃତ୍ୟର ତ୍ରିବେଣୀ ସଙ୍ଗମରେ ଝଙ୍କୃତ ହୋଇଥିଲା। ପରେ ସୂର୍ଯ୍ୟମନ୍ଦିର ପାଦଦେଶରୁ ରଙ୍ଗମଞ୍ଚରେ ପାଦ ଥାପିଥିଲେ ସୃଜନ ନୃତ୍ୟାନୁଷ୍ଠାନର ଓଡ଼ିଶୀ ନୃତ୍ୟଶିଳ୍ପୀବୃନ୍ଦ। ପ୍ରଥମ ଅର୍ଘ୍ୟରେ ଶିଳ୍ପୀମାନେ ଅର୍କକ୍ଷେତ୍ରର ଅଧିଷ୍ଠାତା ସୂର୍ଯ୍ୟ ନାରାୟଣଙ୍କ ଉପାସନାକୁ ‘ବନ୍ଦେ ସୂର୍ଯ୍ୟମ୍… ଗୀତର ତାଳେତାଳେ ନୃତ୍ୟାଭିନୟ ପରସି ଦେଇଥିଲେ। ପରେ ଶିଳ୍ପୀବୃନ୍ଦ ବନ୍ଦେ ମାତରମ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ପୁଣେର ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଶମା ଭାଟ୍ଟେ ଓ ସାଥୀ କଳାକାର କଥକ ନୃତ୍ୟର ତାଳେତାଳେ ‘ସୂର୍ଯ୍ୟ ବନ୍ଦନା’ କରିଥିଲେ। ଶିଳ୍ପୀମାନେ କାଳୀୟ ଦଳନର କଥାବସ୍ତୁ ପରିବେଷଣ କରିଥିଲେ। ଡ. ସାଧନା ଶ୍ରୀବାସ୍ତବ ଓ ଅଧ୍ୟାପକ ମୃତ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନୃତ୍ୟ ଉପଭୋଗ କରିବା ପାଇଁ ଦର୍ଶକ ଗ୍ୟାଲେରି ଭରପୂର ହୋଇଯାଇଥିଲା। ପୁରୀ ଜିଲ୍ଲା ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ବିଜୟ କୁମାର ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର