ଭୁବନେଶ୍ୱର: ଓଡ଼ିଶାର ବିଶ୍ୱ ଐତିହ୍ୟ ସ୍ଥଳ ‘କୋଣାର୍କ’ ମନ୍ଦିରର ଚିତ୍ର ଥିବା ୧୦ ଟଙ୍କିଆ ନୋଟ୍ ବଜାରକୁ ଆସିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଜାରି କରିଥିବା ଚକୋଲେଟ ରଙ୍ଗର ଏହି ନୋଟ୍ରେ କୋଣାର୍କ ଚକ୍ର ସ୍ଥାନ ପାଇଛି।
ବିମୁଦ୍ରାକରଣ ପରେ ପରେ ବଜାରରେ ଧୀରେ ଧୀରେ ନୂଆ କରି ୨୦୦୦ ଟଙ୍କିଆ ଓ ୨୦୦ ଟଙ୍କିଆ ଦେଖିବାକୁ ମିଳିଥିବା ବେଳେ ୫୦୦ ଟଙ୍କିଆ ଓ ୫୦ ଟଙ୍କିଆ ନୋଟ୍ର ନବକଳେବର ସହ ମଧ୍ୟ ଦେଶବାସୀ ଅଭ୍ୟସ୍ତ ହୋଇଗଲେଣି। ତେବେ ଏହି କ୍ରମରେ ନୂଆ ୧୦ ଟଙ୍କିଆ ନୋଟ୍ ଓଡ଼ିଆମାନଙ୍କ ପାଇଁ ସ୍ୱତନ୍ତ୍ର ଗୌରବ ବହନ କରୁଥିବା ଜଣାଯାଇଛି। ଏଥିରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଛବି ସ୍ଥାନ ପାଇଥିବା ଜାଣିବାକୁ ମିଳିଛି। ଏପରିକି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ହଜାରେ କୋଟି ଟଙ୍କାର ଏହି ନୋଟ୍ ଛାପି ସାରି ବଜାରକୁ ଛାଡ଼ିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ସୂଚନା ମିଳିିଛି।
ସୂଚନା ଥାଉ କି, ଶେଷ ଥର ପାଇଁ ୨୦୦୫ ମସିହାରେ ୧୦ ଟଙ୍କିଆ ନୋଟ୍ର ନୂଆ ଡିଜାଇନ୍ ହୋଇଥିଲା, ଯାହା ଅଦ୍ୟାବଧି ଚାଲୁ ରହିଛି। ତେବେ ବଜାରକୁ ଆସୁଥିବା ମହାତ୍ମା ଗାନ୍ଧୀ ସିରିଜ୍ର ଏହି ନୂଆ ୧୦ ଟଙ୍କିଆ ନୋଟ୍ର ଡିଜାଇନ୍ ସରକାର ଗତ ସପ୍ତାହରେ ହିଁ ଅନୁମୋଦନ କରିଛନ୍ତି। ଏହାର ମୌଳିକ ରଙ୍ଗ ଖଇରିଆ-ମାଟିଆ ବା ଚକୋଲେଟ୍-ବ୍ରାଉନ୍ ହୋଇଥିବା ବେଳେ ସେଥିରେ କୋଣାର୍କ ସୂର୍ଯ୍ୟମନ୍ଦିରର ଛବି ରହିଛି।