ସୁମନ୍ତ କୁମାର ପରିଡ଼ା
ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ। ପ୍ରତିଟି ପ୍ରସ୍ତରରେ କଳିଙ୍ଗର ନିଖୁଣ କାରୁକାର୍ଯ୍ୟ ଭରି ରହିଛି। ବିଶ୍ବର ପ୍ରମୁଖ ଐତିହ୍ୟସ୍ଥଳୀରେ ସ୍ଥାନିତ ଏହି ମନ୍ଦିର ଉତ୍କଳର କଳା, ସଂସ୍କୃତି ସହ ଗୌରବର ଗାଥା ବଖାଣୁଛି। ଅନନ୍ୟ କଳାର ଭଣ୍ଡାର କୋଣାର୍କ ସୂର୍ଯ୍ୟମନ୍ଦିର ବିରୋଧରେ ଭୀଷଣ ଷଡ଼୍ଯନ୍ତ୍ର ହେଉଛି। କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ଏବେ କାରୁକାର୍ଯ୍ୟଶୂନ୍ୟ। ମନ୍ଦିରର ସ୍ଥାୟୀତ୍ବକୁ ବାରମ୍ବାର ଅଣଦେଖା କରି ଆସୁଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ। ଅତି ଗୁରୁତ୍ବପୂର୍ଣ୍ଣ କଥା ହେଉଛି- ସୂର୍ଯ୍ୟମନ୍ଦିର ଦବିଯିବା ଆଶଙ୍କା ଉପୁଜିବା ପରେ ଗର୍ଭଗୃହରୁ ବାଲି କାଢ଼ିବାକୁ ଯୋଜନା ହୋଇଥିଲା। ଆଶା କରାଯାଉଥିଲା, ୧୨୦ ବର୍ଷ ଧରି ବାଲି ତଳେ ଦବି ରହିଥିବା ରହସ୍ୟ ଉନ୍ମୋଚିତ ହେବ। ଦୁର୍ଭାଗ୍ୟ, ଦେଢ଼ ବର୍ଷ ହେଲାଣି ଏହା ଶୀତଳଭଣ୍ଡାରରେ। ତ୍ରୟୋଦଶ ଶତାବ୍ଦୀର କୋଣାର୍କ ମନ୍ଦିର ରାଜା ଲାଙ୍ଗୁଡ଼ା ନରସିଂହଦେବଙ୍କ ଅନନ୍ୟ କୃତୀ। ରଥାକୃତି ଉପରେ ଦଣ୍ଡାୟମାନ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ବିଶ୍ବରେ ଅଦ୍ବିତୀୟ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ। କିନ୍ତୁ ରକ୍ଷଣାବେକ୍ଷଣରେ ଅବହେଳା ଜଳ ଜଳ। ଯେଉଁ ଜାଗାରେ କାରୁକାର୍ଯ୍ୟ ଭରି ରହିଥିଲା, ସେହି ଜାଗାରେ ଏବେ ସାଦା ପଥର ଲଗାଯାଇଛି। କାରୁକାର୍ଯ୍ୟ କୁଆଡ଼େ ଗଲା, କେଉଁଠି ରହିଲା, ତାହାର ଜବାବ ବି କେହି ଦେବାକୁ ପ୍ରସ୍ତୁତ ନାହାନ୍ତି। କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ସମସ୍ତେ ଚୁପ୍। କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ ହୋଇପଡ଼ିବାରୁ ୧୯୦୩ ମସିହାରେ ବ୍ରିଟିସ୍ ସରକାର ଗର୍ଭଗୃହରେ ବାଲି ଭର୍ତ୍ତି କରି ତିନି ପ୍ରବେଶ ଦ୍ବାରକୁ ବନ୍ଦ କରି ଦେଇଥିଲେ।
ଏହା କେଉଁ ଅବସ୍ଥାରେ ରହିଛି, ଭିତରେ କ’ଣ ରହିଛି, ତାହା ଏବେ ବି ରହସ୍ୟାବୃତ୍ତ। ୨୦୧୯ ମସିହାରେ ହାଇକୋର୍ଟ ଗର୍ଭଗୃହରୁ ବାଲି କାଢ଼ିବାକୁ ଆଦେଶ ଦେବା ପରେ ପ୍ରତ୍ନତତ୍ତ୍ବ ବିଭାଗ ୨୦୨୨ ସେପ୍ଟେମ୍ବର ୮ ତାରିଖରେ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଥିଲେ। ଆଇଆଇଟି ମାଡ୍ରାସ ସହ ପ୍ରତ୍ନତତ୍ତ୍ବ ବିଭାଗ ଓ ଅନ୍ୟ ଅଧିକାରୀଙ୍କୁ ମିଶାଇ ଗଠିତ କମିଟି ପକ୍ଷରୁ ବୈଷୟିକ ଅନୁଧ୍ୟାନ କରାଯାଇଥିଲା। ନିର୍ମାଣ ଶୈଳୀ ସହ ଅନ୍ୟାନ୍ୟ କାର୍ଯ୍ୟର ଟିକିନିଖି ଅନୁଧ୍ୟାନ ଶେଷ ପରେ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଯୋଜନା କରାଯାଇଥିଲା। ଆଇଆଇଟି ମାଡ୍ରାସର ବୈଷୟିକ ଦଳ ସହ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଦଳ ବାଲି କାଢ଼ିବା କାମ କରିବେ ବୋଲି ଘୋଷଣା କରାଗଲା। ଭୂମିପୂଜନର ଭବ୍ୟ ଆୟୋଜନ ବି କଲେ କର୍ତ୍ତୃପକ୍ଷ। ପଶ୍ଚିମପାର୍ଶ୍ବ ଦ୍ବାର ଦେଇ ଗର୍ଭଗୃହରେ ପ୍ରବେଶ ପରେ ଆଇଆଇଟି ମାଡ୍ରାସର ଅତ୍ୟାଧୁନିକ ବୈଷୟିକ ଜ୍ଞାନ ବଳରେ ବାଲି କଢ଼ାଯିବ ବୋଲି ଯୋଜନା ପ୍ରସ୍ତୁତ ହେଲା। ଗର୍ଭଗୃହରୁ ବାଲି ଖନନ ଓ ବାଲି କଢ଼ାରେ କୌଣସି ମେସିନ୍ ବ୍ୟବହାର କରାଯିବ ନାହିଁ, ଏମିତି ଘୋଷଣା କଲେ। ୩ ବର୍ଷ ଭିତରେ ବାଲି କାଢ଼ିବା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଗଲା। ଦେଢ଼ ବର୍ଷ ଅତିକ୍ରାନ୍ତ କରି ସାରିଥିଲେ ବି କେବଳ ଭାରା ଲଗାରେ ବାଲିକଢ଼ା ସୀମିତ ରହିଛି। କୋଣାର୍କ ସୁରକ୍ଷା ସମିତିର ସଂପାଦକ ରାମକୃଷ୍ଣ ମହାନ୍ତି କହିଛନ୍ତି, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ କର୍ତ୍ତୃପକ୍ଷ କେବଳ ଲୋକ ଦେଖାଣିଆ ସୁରକ୍ଷା ଦାୟିତ୍ବ ମୁଣ୍ଡାଇଛନ୍ତି। ମନ୍ଦିର ସଂପର୍କରେ ଅନଭିଜ୍ଞ ଅଣଓଡ଼ିଆ ଅଧିକାରୀଙ୍କ ହାତରେ ସଂରକ୍ଷଣ ଦାୟିତ୍ବ ନ୍ୟସ୍ତ କରାଯାଇଛି। କୋଣାର୍କ ମନ୍ଦିରର ସଂରକ୍ଷଣକୁ ଏମାନେ ଅବହେଳା କରି ଆସୁଛନ୍ତି। ସରକାର ଏଏସ୍ଆଇକୁ ଭରସା କରି ଦାୟିତ୍ବ ଝାଡ଼ିଦେଲେ ଏହି ଐତିହ୍ୟ କୀର୍ତ୍ତିରାଜି ପ୍ରତି ବିପଦ ଆହୁରି ଘନାଇବ। ଅତଏବ, ଏହାର ସଂରକ୍ଷଣ ସହ ପାରିପାର୍ଶ୍ବିକ ଉନ୍ନତି ଓ ବାଲିକଢ଼ା କାମ ତ୍ବରାନ୍ବିତ କରିବାକୁ ସେ ଦାବି କରିଛନ୍ତି।