କୋଣାର୍କରେ ବିପର୍ଯ୍ୟସ୍ତ ପରିବେଶ : ସଂଗ୍ରହାଳୟ ସମ୍ମୁଖ ପାଲଟିଛି ଅଳିଆ ଗଦା

କୋଣାର୍କ : କୋଣାର୍କ ଭଳି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ଏପରିକି ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାର ରୋକିବା ପାଇଁ ନିୟମିତ ଚଢ଼ାଉ କରାଯାଉଛି। ସପ୍ତାହର ପ୍ରତି ମଙ୍ଗଳବାର ଚନ୍ଦ୍ରଭାଗା ବେଳାଭୂମି ସଫେଇ କାର୍ଯ୍ୟ ମଧ୍ୟ ଜାରି ରହିଛି। କୋଣାର୍କକୁ ଅକ୍ଟୋବର ଦୁଇ ତାରିଖ ଠାରୁ ସ୍ବଚ୍ଛତା ସହର ଭାବେ ଘୋଷଣା କରିବା ପାଇଁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଘୋଷଣା କରିଛନ୍ତି। ଏପରିକି ବର୍ଜ୍ୟବସ୍ତୁ ପରିଚାଳନା ବୈଠକରେ ଜିଲ୍ଲାପାଳ ଯୋଗଦେବା ସହ କୋଣାର୍କର ସ୍ବଚ୍ଛତା କାର୍ଯ୍ୟର ଅଗ୍ରଗତି ନିଜେ ତଦାରଖ କରୁଛନ୍ତି। ମାତ୍ର ପୂର୍ବରୁ ରାସ୍ତା କଡ଼ରେ ଅଳିଆ ଗଦା କରୁଥିବା ଏନ୍‌ଏସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟରେ କୌଣସି ପରିବର୍ତ୍ତନ ଆସିନଥିବା ଦେଖିବାକୁ ମିଳିଛି। କୋଣାର୍କ ସଂଗ୍ରହାଳୟର ଫାଟକ ସାମ୍ନାରେ ଏବେ କୁଢ଼କୁଢ଼ ଅଳିଆ ଗଦା ହୋଇରହିଛି। ଫଳରେ ସଂଗ୍ରହାଳୟ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନେ ପ୍ରଥମେ ଅଳିଆ ଗଦା ଦେଖିବା ପରେ ସଂଗ୍ରହାଳୟ ପରିଦର୍ଶନ କରୁଛନ୍ତି। କେବଳ ସଂଗ୍ରହାଳୟ ନୁହେଁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଚେରି କଡ଼ , ସ୍କୁଲ୍‌ ପାଚେରି କଡ଼ ଓ ରାସ୍ତାକଡ଼ରେ ଅଳିଆ ଆବର୍ଜନା ଗଦା ହୋଇ ରହିଛି। ଏନ୍‌ଏସି କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର