କୋଣାର୍କ :କୋଣାର୍କ-ପୁରୀ ବେଳାମାର୍ଗ ପାର୍ଶ୍ବସ୍ଥ ବଙ୍ଗୋପସାଗର ଦିନକୁଦିନ ଅଶାନ୍ତ ହୋଇପଡ଼ୁଛି । ବଙ୍ଗୋପପସାଗରେ ସୃଷ୍ଟି ଜୁଆର ପ୍ରବଳମାତ୍ରାରେ ଆସି କୂଳରେ ପିଟି ହେଉଛି। ଫଳରେ କୋଣାର୍କ- ପୁରୀ ବେଳାମାର୍ଗ ପାର୍ଶ୍ବରେ ଥିବା ବେଳାଭୂମିର ବିଭିନ୍ନ ସ୍ଥାନରେ କୂଳ ଖାଇବା ଆରମ୍ଭ ହୋଇଛି।
ବିଶେଷ କରି ଗତ କିଛି ସପ୍ତାହ ପୂର୍ବରୁ ଇକୋ – ରିଟ୍ରିଟ ଉତ୍ସବସ୍ଥଳ ନିକଟରେ ବଙ୍ଗୋପସାଗର ଓ କୁଶଭଦ୍ରା ନଦୀର ସଂଗମସ୍ଥଳୀ ମୁହାଣର ମୁହଁ ଖୋଲିଛି। ବେଳାଭୂମିରେ ସମ୍ବେଦନଶୀଳ ସ୍ଥାନ ଭାବେ ମୁହାଣମୁହଁକୁ ବୁଝାଯାଇଥାଏ। ଏହି ସ୍ଥାନରେ ଜଳସ୍ରୋତର ପ୍ରକୋପ ଅଧିକ ରହିଥାଏ। ମୁହାଣ ନିକଟରେ ହିଁ ଜୁଆରର ପ୍ରକୋପ ଜୋର ଧରିଥାଏ। ଏବେ ସମୁଦ୍ରରେ ସୃଷ୍ଟି ହେଉଥିବା ଜୁଆର ଦିନକୁଦିନ କୂଳ ଆଡ଼କୁ ମାଡ଼ି ଆସିବାରେ ଲାଗିଥିବାର ଦେଖାଯାଇଛି। ଫଳରେ ଯେଉଁଠି ଦିନେ ଶହଶହ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣ ବେଳାଭୂମିର ମଜା ଉଠାଉଥିଲେ ଏବେ ସେଠାରେ ପାଦ ଥୋଇବା ବିପଦଜନକ ହୋଇପଡ଼ିଛି।
ବେଳାମାର୍ଗ ପାର୍ଶ୍ବସ୍ଥ ବଙ୍ଗୋପସାଗରର ଚନ୍ଦ୍ରଭାଗା ଉପକୂଳ ଗତ କିଛିଦିନ ଧରି ଅଶାନ୍ତ ହୋଇପଡ଼ିଛି। ଇକୋ ରିଟ୍ରିଟ ଆୟୋଜନ ହୋଇଥିବା ସ୍ଥାନ ଠାରୁ କୋଣାର୍କ ଆଡ଼କୁ ଅସ୍ଥାୟୀ କଇଁଛ ସୁରକ୍ଷା ଶିବିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସମୁଦ୍ର କୂଳ ଖାଇ ଅତଡ଼ା ଖସିବା ଆରମ୍ଭ ହୋଇଥିବାର ଦେଖାଯାଇଛି। ଗତ ପୂର୍ଣ୍ଣିମା ପୂର୍ବ ଦିନଠାରୁ ଆରମ୍ଭ ହୋଇଥିବା ସମଦ୍ରର ଏହି ଉଗ୍ର ରୂପ ଅଦ୍ୟାବଧି ସନ୍ଧ୍ୟାରୁ ରାତିତମାମ ଜାରି ରହି ସକାଳ ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହୁଛି। ଏବେ ସମୁଦ୍ରରେ ଥିବା ଅଶାନ୍ତ ଅବସ୍ଥା କିଛି ଦିନ ମଧ୍ୟରେ ସ୍ବାଭାବିକ ହୋଇଯିବ ବୋଲି ମତ୍ସ୍ୟଜୀବିଙ୍କ ଠାରୁ ସୂଚନା ମିଳିଛି। ମାତ୍ର ସମୁଦ୍ର ଯଦି ଏଭଳି ଅଶାନ୍ତ ଅବସ୍ଥା ଧାରଣ ଜାରି ରଖେ ତେବେ ଏହା ଧନଜୀବନ ପ୍ରତି ବିପଦାବସ୍ଥା ସୃଷ୍ଟି କରିବାର ଆଶଙ୍କା ଘନୀଭୁତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସମୁଦ୍ର କୂଳ ଖାଉଥିବା ସ୍ଥାନ ଠାରୁ ଯଥେଷ୍ଟ ନିରାପଦ ଦୂରତାରେ ଜନସାଧାରଣଙ୍କୁ ରହିବା ଲାଗି ବେଳାମାର୍ଗର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଇବା ଲାଗି ବୁଦ୍ଧିଜୀବି ମହଲରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/konark-kula-khauchi-samudra.jpg3_.jpg)