ସ୍ପିନଫେଡ୍‌ର ଚକ୍ରବ୍ୟୂହରେ କୋଣାର୍କ ସୂତାକଳ : ୩ ବର୍ଷ ପରେ ଫେରିଗଲା ୪୫ ଲକ୍ଷ ଟଙ୍କା

କେସିଙ୍ଗା : ରାଜ୍ୟ ସ୍ପିନଫେଡର ଚକ୍ରବ୍ୟୂହରେ ପଡ଼ି କେସିଙ୍ଗାସ୍ଥିତ କୋଣାର୍କ ସୂତାକଳର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି। ଆଗରୁ ସୋଲାର ଚରଖା ପାଇଁ ଆସିଥିବା ୨ କୋଟି ଟଙ୍କା ଫେରିଯାଇଥିଲା। ଏବେ ଆଉ ୪୫ ଲକ୍ଷ ଟଙ୍କାର ଅନୁଦାନ ଫେରିଯାଇଛି। ନୂତନ ଲାବୋରୋଟାରି ପାଇଁ ୩ ବର୍ଷ ତଳେ ଏହି ଅର୍ଥ ଆସିଥିଲା। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।

ପ୍ରକାଶ ଯେ, ଏଠି କପାର ମାନ ପରୀକ୍ଷା ପାଇଁ ପରୀକ୍ଷାଗାର ନାହିଁ। ଫଳରେ ସରକାର କପାର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୫୫୦୦ କଲେ ମଧ୍ୟ ଚାଷୀମାନେ କଟନି ଛଟନିର ଶିକାର ହେଉଛନ୍ତି। କପା କିଣୁଥିବା ସଂସ୍ଥାଗୁଡ଼ିକ ମାନ ଖରାପ ଥିବା ଦର୍ଶାଇ ମନଇଚ୍ଛା କୁଇଣ୍ଟାଲ ପ୍ରତି ୪ରୁ ୫ କେଜି କାଟି ଦେଉଛନ୍ତି। ଏଣୁ ରାଜ୍ୟ ସରକାର ଏହି ସୂତାକଳରେ ଏକ ଉନ୍ନତମାନର ପରୀକ୍ଷାଗାର କରିବା ପାଇଁ ୨୦୧୭ ମାର୍ଚ୍ଚରେ ୪୫ ଲକ୍ଷ ଟଙ୍କା ଅନୁଦାନ ସ୍ପିନଫେଡକୁ ଦେଇଥିଲେ। ମାତ୍ର କାର୍ଯ୍ୟ ହେଲା ନାହିଁ। ସ୍ପିନଫେଡ କର୍ତ୍ତୃପକ୍ଷ ବାରମ୍ବାର ବିଭିନ୍ନ ଆଳ ଦେଖାଇ ଅନୁପାଳନ ରିପୋର୍ଟ ମାଗୁଥିଲେ। ବାରମ୍ବାର ସୂତାକଳ କର୍ତ୍ତୃପକ୍ଷ ମଧ୍ୟ ଅନୁଦାନର କାର୍ଯ୍ୟ ଆରମ୍ଭ ପାଇଁ ଚିଠି କରୁଥିଲେ। ତଥାପି ବିଭାଗ ଶୁଣୁ ନଥିବା କଥା ବିଭାଗୀୟ ଚିଠିରୁ ସ୍ପଷ୍ଟ ଜଣାପଡ଼ୁଛି। ଏପରି ୩ ବର୍ଷ ଧରି ଉକ୍ତ ଅନୁଦାନକୁ ବିଭାଗ ପକାଇ ରଖିଥିଲା। ଶେଷରେ ସରକାରୀ ନିୟମ ଅନୁସାରେ ଉକ୍ତ ଅନୁଦାନ ଅର୍ଥ ଫେରିଯାଇଛି। ବର୍ତ୍ତମାନ କରୋନା ପାଇଁ ଅର୍ଥନୈତିକ ଅବସ୍ଥା ଦୋହଲିଯାଇଛି। ଆଗାମୀ ୨ ବର୍ଷ ପାଇଁ ଖୋଦ୍‌ ସରକାର ଜରୁରୀକାଳୀନ କାର୍ଯ୍ୟକୁ ଛାଡ଼ିଦେଲେ ଅନ୍ୟସବୁକୁ ଅନୁଦାନ ବନ୍ଦ କରିଛନ୍ତି। ଏହି ପରୀକ୍ଷାଗାର ହୋଇଥିଲେ ଭବାନୀପାଟଣାରେ ହୋଇଥିବା କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ସହାୟକ ହୋଇଥାଆନ୍ତା।

Update Odisha

ସୂଚନାଯୋଗ୍ୟ ଯେ, ସୂତାକଳକୁ ରାଜ୍ୟ ସରକାର ୨୦୧୪-୧୫ ବର୍ଷରେ ୧୦୦ ମହିଳାଙ୍କୁ କର୍ମନିଯୁକ୍ତି ଦେବା ଉଦ୍ଦେଶ୍ୟରେ ୨ କୋଟି ଟଙ୍କା ସୋଲାର ଚରଖା ପାଇଁ ଅନୁଦାନ ଦେଇଥିଲେ। ତାକୁ ବି ଏହି ବିଭାଗ ପକେଇ ରଖି ୨୦୧୮-୧୯ରେ ଫେରାଇଦେଲେ। ଫଳରେ ସବୁଦିନ ପାଇଁ ୧୦୦ କର୍ମନିଯୁକ୍ତି ସମ୍ଭାବନା ବନ୍ଦ ହୋଇଗଲା। ଏହି ସୂତାକଳରେ ଖାଲି ଜିନିଂ ଓ ପ୍ରେସିଂ ହୋଇ ବର୍ଷକୁ ୫୦ କୋଟିର କାରବାର ହୋଇ ମିଲ ବର୍ଷକୁ ୧ କୋଟିରୁ ୧ କୋଟି ୧୦ ଲକ୍ଷ ଟଙ୍କାର ରାଜସ୍ୱ ପାଉଛି। ଯେଉଁଥିରେ ୨୫ କର୍ମଚାରୀଙ୍କ ଦରମା, ୨୦୦ରୁ ଅଧିକ ଶ୍ରମିକଙ୍କ ମଜୁରି ଓ ବିଦ୍ୟୁତ ବିଲ୍‌ ଆଦିରେ ଖର୍ଚ୍ଚ ହୋଇଥାଏ। ସରକାରଙ୍କୁ କିଛି ଦେବାକୁ ପଡ଼ି ନଥାଏ। ମାତ୍ର ସ୍ପିନଫେଡ୍‌ ତାର ସମସ୍ତ ଖର୍ଚ୍ଚ ବାବଦକୁ ବର୍ଷକୁ ଶହ ଶହ କୋଟି ଟଙ୍କା ନେଉଛି। ତଥାପି କୋଣାର୍କ ସୂତାକଳକୁ ସିଧାସଳଖ ଅନୁଦାନ ନଦେଇ ଏହି ବିଭାଗ ଅଧୀନରେ ଛାଡ଼ିଦେବା ଯୋଗୁଁ ସ୍ପିନିଂ ମିଲ୍‌ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ କି ଏ ଅଞ୍ଚଳର ସ୍ୱାର୍ଥ ସାଧିତ ହୋଇପାରୁନାହିଁ। ବିଭାଗର ଏହି ନୀତି ଯୋଗୁଁ ଗତ ୩୦ ବର୍ଷ ହେଲା ସବୁ ଭିତ୍ତିଭୂମି ଥାଇ ମଧ୍ୟ ମିଲ୍‌ ଜରାଜୀର୍ଣ୍ଣ ଅବସ୍ଥାରେ। ଏହାକୁ ନେଇ ଏଠାରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ପିନଫେଡ ଅଧୀନରୁ ଏହି ସୂତାକଳକୁ କାଢ଼ି ଅନ୍ୟ ବିଭାଗ ଅଧୀନକୁ ଦେବା ପାଇଁ ଚାଷୀମାନେ ସରକାରଙ୍କୁ ଦାବି କରିଛନ୍ତି। ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନେବାକୁ ମଧ୍ୟ ଯୋଜନା କରାଯାଉଛି।

ସମ୍ବନ୍ଧିତ ଖବର