କୋଣାର୍କକୁ ନେଇ ପୁଣି ବିବାଦ : ଯଦି ଜଗମୋହନ ସୁଦୃଢ଼ ଅଛି, ବାଲି କଢ଼ା ହେବନି କାହିଁକି?

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଇନଟାକ୍‌ ସଂଯୋଜକ, ଏଏସ୍‌ଆଇ ଉପରଠାଉରିଆ ଭାବେ ସିବିଆର୍‌ଆଇ ରିପୋର୍ଟକୁ ଗ୍ରହଣ ନ କରୁ, ରାଜ୍ୟ ସରକାର ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କୁ ଡାକି ଜଗମୋହନର ଯାଞ୍ଚ କରନ୍ତୁ

ଭୁବନେଶ୍ବର : କୋଣାର୍କକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଯେମିତି ତତ୍ପରତା ଦେଖାଇବା କଥା ଦେଖାଉ ନାହିଁ। ଏହାର ଜଗମୋହନ ସ୍ଥିତି କିପରି ଅଛି ତାହାକୁ ଯାଞ୍ଚ କରିବା ଦୂରର କଥା, ଖାଲି ଉପରଠାଉରିଆ ଭା‌େବ ଏହାର ଏମିତି ରକ୍ଷଣାବେକ୍ଷଣ କରିହେବ, ସେମିତି କଲେ କିଛି ହେବନି ବୋଲି କହି ରିପୋର୍ଟ ଉପସ୍ଥାପନ କରି ଚାଲିଛି। ଏପରିକି ଅନ୍ତର୍ଜାତୀୟସ୍ତରର ବିଶେଷଜ୍ଞମାନେ କୋଣାର୍କର ଜଗମୋହନକୁ ନେଇ ଦୀର୍ଘ ବର୍ଷ ହେଲା ଚିନ୍ତା ପ୍ରକଟ କରୁଥିଲେ ହେଁ ଏଏସ୍ଆଇ କାହା କଥା ଶୁଣୁନାହିଁ। ଏବେ ଜଗମୋହନ ଭିତ‌େର ଭର୍ତ୍ତି ହୋଇଥିବା ବାଲି ସ୍ତର ୧୭ଫୁଟ ଖସି ଯାଇଥିବାବେଳେ ଏହା କାହିଁକି ଖସିଛି, ଜଗମୋହନ ଭିତର ପାର୍ଶ୍ବରୁ କିପରି ଅଛି ତାହା ଯାଞ୍ଚ ନକରି ଏବେ ପୁଣି ବାଲି ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଛି। ଯାହାକୁ ନେଇ ଏବେ ବିବାଦ ଉଠିଛି।

କୋଣାର୍କ ମନ୍ଦିରର ଜଗମୋହନ ସ୍ଥିତି ଯାଞ୍ଚ କରିବା ପାଇଁ ଏଏସ୍ଆଇ ପକ୍ଷରୁ ଆଇଆଇଟି ରୁର୍‌କିର ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (ସିବିଆର୍‌ଆଇ)କୁ ନିୟୋଜିତ କରାଯାଇଥିଲା। ସିବିଆର୍‌ଆଇ ଗତ ମେ’ ମାସରେ ବସିଥିବା ଏକ ବୈଠକରେ ରିପୋର୍ଟ ଉପସ୍ଥାପନ କରିଛି। ଏଥିରେ ସିବିଆର୍‌ଆଇ କହିଛି ‌େଯ, ଜଗମୋହନ ଏବେ ବି ସୁଦୃଢ଼ ଅଛି। ଏହାର ବିଶେଷ କ୍ଷତି ହୋଇନାହିଁ। କିନ୍ତୁ ଏହା ଭିତରେ ଯେଉଁ ବାଲି ଭର୍ତ୍ତି ହୋଇଛି ତାହା ୧୭ଫୁଟ ଖସି ଯାଇଥିବାରୁ ପୁଣି ବାଲି ଭର୍ତ୍ତି କରାଯାଉ। ଯାହାକୁ ନେଇ ଇନଟାକ୍‌ର ରାଜ୍ୟ ସଂଯୋଜକ ଏ.ବି ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି। ସେ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ଶ୍ରୀ ତିପ୍ରାଠୀ ଏଏସ୍‌ଆଇ ଡିଜି ଉଷା ଶର୍ମାଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ୨୦୧୦ରେ କୋଣାର୍କରେ ବସିଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ଦେଶବିଦେଶରୁ ଆସିଥିବା ବିଶେଷଜ୍ଞମାନେ କୋଣାର୍କର ଜଗ‌ମୋହନକୁ ଯାଞ୍ଚ କରିଥିଲେ। ଏହାପରେ ନିଷ୍ପତ୍ତି ହୋଇଥିଲା ଯେ, ଜଗମୋହନର ପ୍ରକୃତ ସ୍ଥିତି ଜାଣିବା ପାଇଁ ଏହା ଭିତରେ ଥିବା ବାଲିକୁ ସଂପୂର୍ଣ୍ଣ ଖା‌ଲି କରାଯାଉ। ଏହାପରେ ଭିତର ପାର୍ଶ୍ବର ସ୍ଥିତି ଯାଞ୍ଚ କରି ଏଠାରେ କ’ଣ କ୍ଷୟକ୍ଷତି ହୋଇଛି ତା’ର ଆକଳନ କରିବା ସହ ଏହାର ରକ୍ଷଣାବେକ୍ଷଣ କରାଯାଉ। କିନ୍ତୁ ଏନେଇ କିଛି ବି ପଦକ୍ଷେପ ନିଆଗଲାନି। ୨୦୧୦ରେ ୧୪ଫୁଟ ବାଲି ଖସିଥିବାବେଳେ ଏବେ ଏହା ୧୭ଫୁଟରେ ପହଞ୍ଚିଲାଣି। ବାଲି କାହିଁକି ଦବୁଛି ସେନେଇ କିଛି ଯାଞ୍ଚ ନକରି ଏବେ ପୁଣି ସିବିଆର୍ଇ ରିପୋର୍ଟ ଦେଇଛି ଯେ, ଜଗମୋହନ ସୁଦୃଢ ଥିଲେ ହେଁ ଏହାର ବାଲି କାଢ଼ିବା ଆବଶ୍ୟକ ନାହିଁ। ଜଗମୋହନ କଳସ ନିକଟରୁ ବାଲି ଦବି ଥିବାରୁ ସେଠାରେ ପୁଣି ବାଲି ଭର୍ତ୍ତି କରାଯାଉ। ୧୦୦ବର୍ଷ ତଳେ ଜଗମୋହନ ପାଇଁ ଯେପରି ପଦକ୍ଷେପ ନିଆଯାଉଥିଲା ଏବେ ଅତ୍ୟାଧୁନିକ ଜ୍ଞାନକୌଶଳ ଆସିଲା ପରେ ବି ସେହିପରି ପୁରୁଣାକାଳିଆ ଢଙ୍ଗରେ ପଦକ୍ଷେପ ନେବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ।

ଯଦି ଜଗମୋହନ ସୁଦୃଢ଼ ଅଛି ତେବେ ଏହା ଭିତରୁ କାହିଁକି ବାଲି କଢ଼ାଯାଉନି। ଏହା ଭିତରକୁ କାହିଁକି ସର୍ବସାଧାରଣ ଲୋକଙ୍କୁ ଛଡ଼ା ଯାଉନି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି।

ସେହିପରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ୨୦୧୦ରେ ବସିଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ କୋ‌ଣାର୍କର ସୁରକ୍ଷା ପାଇଁ ୪ଟି କମିଟି ଗଠନ ହୋଇଥିଲା। ଏଥିରୁ ଗୋଟିଏ କମିଟି ଜଗମୋହନର ବାଲି ସମ୍ପ୍ରସାରଣ, ଦ୍ବିତୀୟ କମିଟି ମନ୍ଦିର ବେଢ଼ା ପରିସରରୁ ଜଳ ନିଷ୍କାସନ, ତୃତୀୟ କମିଟି ପ୍ରତ୍ନତାତ୍ତ୍ବିକ ପ୍ରସ୍ତରଗୁଡ଼ିକର ରକ୍ଷଣାବେକ୍ଷଣ, ଚତୁର୍ଥ କମିଟି ବିକ୍ଷିପ୍ତ ହୋଇପଡ଼ିଥିବା ପଥରଗୁଡ଼ିକର ଡକୁମେଣ୍ଟେସନ୍ କରିବାକୁ ନି‌ଷ୍ପତ୍ତି ହୋଇଥିଲା। ଏହି କମିଟି ୨୦୧୧ ସୁଦ୍ଧା ରିପୋର୍ଟ ଦେବାକୁ ଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି କମିଟିର ଗୋଟିଏ ବି ରିପୋର୍ଟ ହସ୍ତାନ୍ତର ହେଲାନି। ଏପଟେ ସିବିଆର୍‌ଆଇ ଦେଇଥିବା ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ଏଏସ୍‌ଆଇ ତତ୍ପର ହେଉଛି। ସିବିଆର୍‌ଆଇ ରିପୋର୍ଟକୁ ଆଧାର କରି ଏଏସ୍ଆଇ ମଧ୍ୟ ହାଇକୋର୍ଟରେ ଜଗମୋହନରେ ବାଲି ଭର୍ତ୍ତି କରିବା ନେଇ ସତ୍ୟପାଠ ଦାଖଲ କରିଛି।

ତେଣୁ ଏବେ ଏହା ନକରି ପୁଣି ଅନ୍ତର୍ଜାତୀୟ ସ୍ତରର ଗବେଷକଙ୍କୁ ଡାକି ସିବିଆର୍‌ଆଇର ରିପୋର୍ଟ ତର୍ଜମା କରିବା ସହ ସେମାନଙ୍କ ରିପୋର୍ଟ ଅନୁଯାୟୀ ପଦକ୍ଷେପ ନିଆଯାଉ ବୋଲି ଶ୍ରୀ ତ୍ରିପାଠୀ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି।

ଏହାପରେ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଲେଖିଛନ୍ତି ଯେ, ରାଜ୍ୟ ସରକାର ସିବିଆର୍‌ଆଇ ରିପୋର୍ଟକୁ ଗ୍ରହଣ ନ କରନ୍ତୁ। ଏଏସ୍ଆଇ ଯଦି ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞଙ୍କୁ କୋଣାର୍କକୁ ନ ଡାକୁଛି ତେବେ ରାଜ୍ୟ ସରକାର ନିଜ ଉଦ୍ୟମରେ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କୁ ଡାକି ଜଗମୋହନର ସ୍ଥିତି ଯାଞ୍ଚ କରାନ୍ତୁ। ଆବଶ୍ୟକ ସ୍ଥଳେ ଜଗମୋହନରୁ ବାଲି କାଢ଼ି ଏହାର ଭିତର ପାର୍ଶ୍ବର ସ୍ଥିତି ଯାଞ୍ଚ କରନ୍ତୁ। ତେବେ ଯାଇ କୋଣାର୍କ ସୁରକ୍ଷିତ ରହିବ।

ସମ୍ବନ୍ଧିତ ଖବର