କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଟୋକନ୍‌ ପ୍ରଦାନରେ ଅବ୍ୟବସ୍ଥା : ଘଣ୍ଟା ଘଣ୍ଟା ଧରି ଖରାରେ ଛିଡ଼ା ହେବା ସହ ହନ୍ତସନ୍ତ ହେଉଛନ୍ତି ପର୍ଯ୍ୟଟକ

କୋଣାର୍କ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ସେମାନଙ୍କୁ ସଠିକ୍‌ ସମୟରେ ପ୍ରବେଶ ଟୋକନ୍‌ ପ୍ରଦାନ କରାଯାଉ ନ ଥିବା ଏବଂ ମନ୍ଦିରର ପ୍ରବେଶ ପଥ ସଙ୍କୁଚିତ ଥିବାରୁ ପର୍ଯ୍ୟଟକମାନେ ଘଣ୍ଟା ଘଣ୍ଟା ଧରି ଖରାରେ ଛିଡ଼ା ହେବା ସହ ହନ୍ତସନ୍ତ ହେଉଛନ୍ତି। ସୂଚନା ଅନୁଯାୟୀ, ପ୍ରତିଦିନ ସୂର୍ଯ୍ୟ ମନ୍ଦିରକୁ ସକାଳ ଛଅଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ଘଟୁଛି। ଏହି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏକା ସଙ୍ଗରେ ହଜାର ହଜାର ପର୍ଯ୍ୟଟକ ମନ୍ଦିର ପରିଦର୍ଶନରେ ଆସୁଛନ୍ତି। ତେବେ ଟିକେଟ୍‌ କାଉଣ୍ଟର୍‌ରେ ପର୍ଯ୍ୟାପ୍ତ ପରିମାଣର ଟୋକନ୍‌ ମହଜୁଦ ନଥିବାରୁ ସମସ୍ୟା ଦେଖାଦେଇଛି।

ପୂର୍ବରୁ ମନ୍ଦିରରେ ପ୍ରବେଶ ପାଇଁ କାଗଜ ଟିକେଟ୍‌ ଥିବା ସମୟରେ ଗତ କିଛି ମାସ ପୂର୍ବରୁ କମ୍ପୁଟର୍‌ ଟୋକନ୍‌ ଟିକେଟ୍‌ ଜରିଆରେ ପର୍ଯ୍ୟଟକମାନେ ମନ୍ଦିରରେ ପ୍ରବେଶ କରୁଛନ୍ତି। ଏହି ଟୋକନ୍‌ଗୁଡ଼ିକ ଟିକେଟ୍‌ କାଉଣ୍ଟର୍‌ରେ କମ୍ପୁଟରକରଣ ହେବାପରେ ମନ୍ଦିରର ମୁଖ୍ୟ ପ୍ରବେଶ ପଥରେ ଥିବା ଟର୍ଣ୍ଣଷ୍ଟାଇଲ୍‌ ଗେଟ୍‌ରେ ସ୍କାନିଂ ହେବା ପରେ ପର୍ଯ୍ୟଟକମାନେ ମନ୍ଦି‌ରରେ ପ୍ରବେଶ କରିବାର ବ୍ୟବସ୍ଥା ରହିଛି। ଟିକେଟ୍‌ କାଉଣ୍ଟରରେ ପର୍ଯ୍ୟଟକଙ୍କ ଟିକେଟ୍‌ କ୍ରୟ ପାଇଁ ମାତ୍ର ୨ଟି କାଉଣ୍ଟର ଥିବା ସମୟରେ ପର୍ଯ୍ୟଟକଙ୍କ ଗହଳି ସମୟରେ ଆବଶ୍ୟକ ସଂଖ୍ୟକ କମ୍ପ୍ୟୁଟର୍‌ ଅପରେଟର୍‌ ନଥିବାରୁ ଟିକେଟ୍‌ ପ୍ରଦାନରେ ବିଳମ୍ବ ହେଉଛି। ଅନ୍ୟପକ୍ଷରେ ମନ୍ଦିର ପ୍ରବେଶ ଦ୍ୱାରରେ ଲାଗିଥିବା ଟର୍ଣ୍ଣଷ୍ଟାଇଲ୍‌ ଗେଟ୍‌ରେ ମଧ୍ୟ ଟିକେଟ୍‌ ଟୋକନ୍‌ ସ୍କାନିଂ କରିବା ପାଇଁ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହେଉଛି। ଫଳରେ ପର୍ଯ୍ୟଟକମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ଖରାରେ ଶିଝୁଥିବାର ଦେଖିବାକୁ ମିଳିଛି। ସେହିପରି ମନ୍ଦିରର ପ୍ରବେଶ ପଥ ସଙ୍କୁଚିତ ଥିବାରୁ ଏକ ସମୟରେ ହଜାର ହଜାର ପର୍ଯ୍ୟଟକଙ୍କ ପ୍ରବେଶରେ ଏହା ପ୍ରତିବନ୍ଧକ ସୃଷ୍ଟି କରୁଛି।

ଏ ସଂପର୍କରେ ସ୍ଥାନୀୟ ଏଏସ୍‌ଆଇ ଅଧିକାରୀ ସୁଶାନ୍ତ କୁମାର ଗୋଛାୟତଙ୍କୁ ପଚାରିବାରେ ସେ କହିଛନ୍ତି, ନୂତନ ଟିକେଟ୍‌ କାଉଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି ଓ ଏଥିରେ ଟିକେଟ୍‌ କ୍ରୟ ପାଇଁ ଅଧିକ କାଉଣ୍ଟର ଉପଲବ୍ଧ ହେବ। ଡାଟା ଏଣ୍ଟ୍ରିପାଇଁ ଅଧିକ କମ୍ପ୍ୟୁଟର ଅପରେଟର୍‌ଙ୍କ ଆବଶ୍ୟକତା ରହଛି। ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ମନ୍ଦିରର ମୁଖ୍ୟ ପ୍ରବେଶ ପଥରେ ହୋଇଥିବା ଜବରଦଖଲ ପାଇଁ ପର୍ଯ୍ୟଟକଙ୍କ ଗହଳି ଅଧିକ ଜଣାପଡ଼ୁଛି ଓ ସ୍ଥାନ ସଙ୍କୁଚିତ ହେଉଛି। ତେଣୁ ମୁଖ୍ୟ ପ୍ରବେଶପଥରୁ ଜବରଦଖଲ ହଟାଗଲେ ସେଠାରେ ଆଉ ଗହଳି ରହିବ ନାହିଁ ବୋଲି ସେ ମତ ଦେଇଛନ୍ତି। ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ପଥ ଭିନ୍ନଭିନ୍ନ ସ୍ଥାନରେ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ଏବଂ ଏହାର ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ କରାଯିବ। ସେହିପରି ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ଟିକେଟ୍‌ କାଉଣ୍ଟରରେ ପର୍ଯ୍ୟାପ୍ତ ପରିମାଣର ଟୋକନ ମହଜୁଦ ରଖାଯିବ ସହ ଏହି ସମସ୍ୟାର ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର