କୋଣାର୍କକୁ କ୍ରମାଗତ ଅବହେଳା : ଏଏସ୍‌ଆଇ ଉପରେ କେନ୍ଦ୍ର କ୍ଷୁବ୍ଧ, ଅସନ୍ତୋଷ ଝାଡ଼ିଲେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

କାମ୍ବୋଡ଼ିଆ ଓ ରତ୍ନଗିରି ଢାଞ୍ଚାରେ ସଂରକ୍ଷଣ ନିର୍ଦ୍ଦେଶ
ବିଶେଷଜ୍ଞ-ଏଏସ୍ଆଇ ଅଧିକାରୀ କଥା କଟାକଟି
ଆମିକସକ୍ୟୁରୀଙ୍କ ପ୍ରଶ୍ନରେ ଘାଇଲା ପ୍ରତ୍ନତତ୍ତ୍ବ ବାବୁ
ହାଇକୋର୍ଟକୁ ବିଭ୍ରାନ୍ତ ଅଭିଯୋଗକୁ ନେଇ ଉଦ୍‌ବେଗ

କୋଣାର୍କ : ଓଡ଼ିଆ ଜାତିର ସ୍ବାଭିମାନ, କଳାଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସମଗ୍ର ଭାରତବର୍ଷକୁ ବିଶ୍ବରେ ସ୍ବତନ୍ତ୍ର ପରିଚୟ ଦେଇଛି। କୋଣାର୍କ ସୂର୍ଯ୍ୟମନ୍ଦିରର ବାସ୍ତବ ସ୍ଥିତିକୁ ନେଇ ସମସ୍ତଙ୍କ ଭାବନା ଓ ଉଦ୍‌ବେଗ ଏକ। କିନ୍ତୁ ଇଚ୍ଛାଶକ୍ତିର ଅଭାବ ପାଇଁ ଏହି ପ୍ରାଚୀନ କୀର୍ତିରାଜିର ଉପଯୁକ୍ତ ସଂରକ୍ଷଣ କରାଯାଇ ପାରୁନାହିଁ। କୋଣାର୍କରେ ଚାଲିଥିବା ଦୁଇଦିନିଆ ଜାତୀୟ ସମ୍ମିଳନୀରେ ଯୋଗଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ।

ମନ୍ତ୍ରୀ କୋଣାର୍କ ସଂରକ୍ଷଣକୁ ନେଇ ତୀବ୍ର ଅସନ୍ତୋଷ ଝାଡ଼ି କହିଛନ୍ତି, ମନ୍ଦିରର ସରଂକ୍ଷଣ ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଏଏସ୍‌ଆଇର। ଓଡ଼ିଶା, ଓଡ଼ିଶା ବାହାରେ ଏକାଧିକ ପ୍ରାଚୀନ କୀର୍ତିରାଜିର ସଂରକ୍ଷଣ ଓ ନବକଳେବର କରିବାରେ ସମର୍ଥ ହୋଇଛି ଏଏସ୍ଆଇ। ତେବେ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର ଦିଗରେ ସମୟୋପଯୋଗୀ ପଦକ୍ଷେପ କଣ ପାଇଁ ନେଉନାହିଁ? ସୂର୍ଯ୍ୟମନ୍ଦିରର ପୁନରୁଦ୍ଧାର ପାଇଁ ଏଏସଆଇ ଦୃଢ଼ ପଦକ୍ଷେପ ନେବା ଦରକାର। କା‌ମ୍ବୋଡିଆ ଓ ରତ୍ନଗିରି ଢାଞ୍ଚାରେ କୋଣାର୍କ ମନ୍ଦିର ସଂରକ୍ଷର ପାଇଁ ଏଏସ୍‌ଆଇ ପଦକ୍ଷେପ ନେଉ। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ସହଯୋଗ ଯୋଗାଇ ଦେବାପାଇଁ ପ୍ରସ୍ତୁତ ରହିଛନ୍ତି। ଏବେ ସୂର୍ଯ୍ୟମନ୍ଦିରର ସ୍ଥିତିକୁ ଗମ୍ଭୀରତାର ସହିତ ଚିନ୍ତା କରିବାର ଆବଶ୍ୟକତା ରହିଛି। କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ଅସନ୍ତୋଷ ପରେ କୋଣାର୍କ ମନ୍ଦିରକୁ ନେଇ ଏଏସ୍‌ଆଇ କର୍ତୃପକ୍ଷ ଯେଭଳି ମନମାନି ଚଳାଇଥିବା ଅଭିଯୋଗ ଆସୁଥିଲା, ତାହାର ପର୍ଦାଫାସ ହୋଇଛି।

କୋଣାର୍କ ସୂର୍ଯ୍ୟମନ୍ଦିରର ସମମ୍ବେଦନଶୀଳ ଅବସ୍ଥାକୁ ନେଇ ‘ସମ୍ବାଦ’ ରିପୋର୍ଟ ଲେଖିଆସୁଛି। ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବ ଓ ଏଏସ୍‌ଆଇ କର୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟ ଉପରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଶେଷଜ୍ଞମାନେ। ହେଲେ ବାରମ୍ବାର କର୍ତୃପକ୍ଷ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଏହି ପ୍ରସଙ୍ଗକୁ ହଜାଇ ଦେବା ଲାଗି ଉଦ୍ୟମ କରିଛନ୍ତି। ଏହି ଅବସରରେ ୨୮ ଓ ୨୯ ଦୁଇଦିନ ଧରି କୋଣାର୍କରେ ସୂର୍ଯ୍ୟମନ୍ଦିର ସଂପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀ ବହୁ ପ୍ରସଙ୍ଗ ଉପରୁ ପରଦା ହଟାଇଛି।

ବୈଠକରୁ ଜଣାପଡିଛି, ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଏଏସଆଇ ନେବା ପରଠାରୁ ଅଦ୍ୟାବଧି ୧୦୨ ବର୍ଷ ମଧ୍ୟରେ ୨୩ ଟି ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ଏଥିରୁ ୦୧୦ରେ ହୋଇଥିବା ବିଶ୍ବ ବିଶେଷଜ୍ଞ କମିଟି ବୈଠକର ଗୁରୁତ୍ବ ସର୍ବାଧିକ। ମାତ୍ର ଏଥିରେ ହୋଇଥିବା ନିଷ୍ପତ୍ତିକୁ ଆଜି ପର୍ଯ୍ୟନ୍ତ ଏଏସଆଇ କାର୍ଯ୍ୟକାରୀ କରିନାହିଁ। ସିବିଆରଆଇର ଲେଜର ସ୍କାନିଂରୁ ମନ୍ଦିରର ବାଲି ୧୭ ଫୁଟ ଦବିଥିବା ନେଇ ରି ପୋର୍ଟ ଆସିଥିଲେ ମଧ୍ୟ ଏନେଇ କୌଣସି ପ୍ରତିକାର ବ୍ୟବସ୍ଥା ଏଏସଆଇ ପକ୍ଷରୁ କରାଯାଇନାହିଁ। ଲେଜର ସ୍କାନିଂରେ ମନ୍ଦିରର ମୁଖଶାଳାର ଦକ୍ଷଣପଶ୍ଚିମ ପଟ କାନ୍ଥ ଭିତର ପାର୍ଶ୍ବରେ ବିପଦସଂକୁଳ ଅବସ୍ଥାରେ ଥିବା ନେଇ ରିପୋର୍ଟ ଆସିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ।

୨୦୧୦ରୁ ଆଜି ମଧ୍ୟରେ ସିବିଆରଆଇ ଦୁଇଟି ପର୍ଯ୍ୟା‌ୟରେ ମନ୍ଦିର ସଂପର୍କରେ ରିପୋର୍ଟ ପ୍ରଦାନ କରିଛି। ହେଲେ ତାହା ପୁଣି ପୂର୍ଣ୍ଣାଙ୍ଗ ନୁହେଁ। ମନ୍ଦିରର ବାସ୍ତବସ୍ଥିତି ମଧ୍ୟରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ମନ୍ଦିର ଗର୍ଭଗୃହରୁ ବାଲି ଦବିବା ପ୍ରସଙ୍ଗ। ଏନେଇ ଆଜି ଉପସ୍ଥିତ ଅଧିକାରୀ, ବିଶେଷଜ୍ଞ , ରାଜନେତା ଓ ଗବେଷକମାନେ ଭିନ୍ନଭିନ୍ନ ମତ ଦେଇଥିଲେ।

କେତେଜଣ ମନ୍ଦିରରୁ ବାଲି କାଢ଼ିବା ପ୍ରସଙ୍ଗକୁ ସମର୍ଥନ କରିଥିବା ସମୟରେ ଆଉ କେହିକେହି ମନ୍ଦିରର ଦବିଥିବା ବାଲିର ଖାଲିସ୍ଥାନ ପୂରଣ କରିବାକୁ ବାଲି ଭର୍ତି ପ୍ରସ୍ତାବ ଦେଇଥିଲେ। ଯାହାକୁ ନେଇ କଥା କଟାକଟି ହୋଇଥିଲା। ବରିଷ୍ଠ ଗବେଷକ ଅମିୟ ଭୂଷଣ ତ୍ରିପାଠୀ ଓ ଅନୀଲ ଦେଙ୍କ ବଳିଷ୍ଠ ଯୁକ୍ତି ଆଗରେ ଏଏସଆଇ କର୍ତୃପକ୍ଷଙ୍କ ପାଟି ଖନି ମାରି ଯାଇଥିଲା।

ଆଜିର ବୈଠକରେ ଯୋଗଦେଇଥିବା ସୂର୍ଯ୍ୟମନ୍ଦିରରର ଆମିକସକ୍ୟୁରି ଏ.କେ ମହାନ୍ତିଙ୍କ ପ୍ରଶ୍ନବାଣରେ ଉଭୟ ଏଏସଆଇ ଓ ସିବିଆରଆଇ କର୍ତୃପକ୍ଷ ବିଚଳିତ ହୋଇ ପଡ଼ିଥିଲେ। ଓଡ଼ିଶା ହାଇକୋର୍ଟଙ୍କୁ ସିବିଆରଆଇ ଓ ଏଏସଆଇ ପକ୍ଷରୁ ବିଭ୍ରାନ୍ତିକର ରିପୋର୍ଟ ପ୍ରଦାନ କରାଯାଇଥିବା ସଂପର୍କରେ ବୈଠକରେ ଯୁକ୍ତି ଉପସ୍ଥାପନ କରି ଶ୍ରୀ ମହାନ୍ତି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷରୁ ଜୋରଦାର ଯୁକ୍ତି ଉପସ୍ଥାପନ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଶେଷରେ କେନ୍ଦ୍ର ମନ୍ତ୍ରୀ ହସ୍ତକ୍ଷେପ କରିଥିଲେ।

ମନ୍ତ୍ରୀ କହିଥିଲେ, ନିଜ ନିଜ ମଧ୍ୟରେ ମତଭେଦ ନରଖି ମନ୍ଦିରର ସଂରକ୍ଷଣ ଦିଗରେ କିଭଳି ସଠିକ ପଦକ୍ଷେପ ନେଇହେବ ସେ ସଂପର୍କରେ ପଦକ୍ଷେପ ନିଅ। ମନ୍ଦିରର ଗର୍ଭଗୃହ ମଧ୍ୟକୁ କେଉଁ ଦିଗରୁ ପ୍ରବେଶ କରିହେବ ଓ ମନ୍ଦିରର କୌଣସି କ୍ଷତି ନହେବ ସେ ଦିଗରେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ସେ ପରାମର୍ଶ ଦେଇଥିଲେ। ମନ୍ଦିରର ବଭିନ୍ନ ପିଢିର ସମ୍ବେଦନଶୀଳ ସ୍ଥାନକୁ କଳଙ୍କି ବିହୀନ ଷ୍ଟିଲଫ୍ରେମ ଦେଇ ସୁରକ୍ଷିତ ରଖିବା କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ କୋଣାର୍କର ଭଗ୍ନ ଅଂଶ ଦେଶ ଓ ଦେଶ ବାହାରେ ଯେଉଁ ସ୍ଥାନରେ ଅଛି ୟୁନେସ୍କୋ ନିୟମ ଅନୁଯାୟୀ ସେଗୁଡ଼ିକୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ କହିଥିଲେ। ତେବେ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର ଦିଗରେ ଏଏସଆଇ ଯତ୍ନବାନ ହେବାପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପଟେଲ ବାରମ୍ବାର ତାଗିଦ୍ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ କୋଟିକୋଟି ଓଡ଼ିଆଙ୍କ ସ୍ବାର୍ଥ ଓ ସ୍ବାଭିମାନ ସହିତ ଜଡ଼ିତ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଦିଗରେ ବିଗତ ଦିନରେ ଯାହା ଅବହେଳା ହୋଇଛି ତାକୁ ତର୍ଜମା ନକରି ବର୍ତମାନଠାରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ମନ୍ଦିର କିଭଳି ପରପିଢ଼ିଙ୍କ ପାଇଁ ସୁରକ୍ଷିତ ରଖାଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବୈଠକ ଶେଷରେ ପହଞ୍ଚିଥିଲେ। ତେବେ ବୈଠକରେ ମନ୍ଦିରରୁ ବାଲି କଢ଼ାଯିବ କି ବାଲି ଭର୍ତି କରାଯିବ ସେନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଏହି ଅବସରରେ ଏଏସଆଇ ପକ୍ଷରୁ ଅନଟୋଲ୍ଡ଼ ଷ୍ଟୋରୀ ଅଫ କୋଣାର୍କ ନାମକ ଏକ ପୁସ୍ତିକା କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା।

ଆଜିର ବୈଠକରେ ମଧ୍ୟ ଦେଶ ଓ ବିଦେଶର ବହୁ ବିଶେଷଜ୍ଞ ଯୋଗଦେଇଥିଲେ। ଗତକାଲି ପ୍ରଥମ ଦିନରେ ଏଏସଆଇ ଡିଜି ଉଷା ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର