ବିପଦରେ କୋଣାର୍କ ସୂର୍ଯ୍ୟମନ୍ଦିର

ତାଡ଼ିନେଲେ ବାଲିବନ୍ତ, ନିୟୋଜିତ ‌ହୋଇଛି ୫ ବାଲିଉଠା ମେସିନ୍‌, ୫୦ ଟ୍ରାକ୍ଟର

ମାସେ ହେଲା ଚାଲିଛି ବାଲି ଖୋଳା
ପ୍ରଶାସନ ସବୁ ଜାଣି ଚୁପ୍‌

ପୁରୀ : ବିପଦର ଦ୍ବାରଦେଶରେ କୋଣାର୍କ ସୂର୍ଯ୍ୟ ମନ୍ଦିର। ବିଶ୍ବପ୍ରସିଦ୍ଧ ଏହି ଐତିହ୍ୟକୁ ସୁରକ୍ଷା ଦେବାପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି, ଏଣେ ମନ୍ଦିରର ପାଦ ଦେଶରେ ଥିବା ବାଲିବନ୍ତକୁ ବାଲି ମାଫିଆ ମୂଳପୋଛ କରିଦେଲେଣି। ଖୋଦ୍‌ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ପ୍ରକଳ୍ପ ପାଇଁ ବାଲି ଚୋରି କରାଯାଉଛି। ପରିବେଶ ନିୟମକୁ ଜଳାଞ୍ଜଳି ଦେଇ ମାଫିଆମାନେ ରାତି ଅଧରେ ହଜାର ହଜାର ଟ୍ରିପ୍‌ ବାଲି ବୋହି ନେଉଛନ୍ତି। ବାଲି ତାଡ଼ି ନେବାପ‌ରେ ସେଠାରେ ଗାତ ସୃଷ୍ଟି ହୋଇ ହ୍ରଦ ପାଲଟିଲାଣି। କିନ୍ତୁ ପ୍ରଶାସନର ନିଦ ଭାଙ୍ଗୁନାହିଁ। ମନ୍ଦିରର ମୂଳଦୁଆକୁ ବାନ୍ଧି ରଖିଥିବା ଏହି ବାଲିବନ୍ତକୁ ତାଡ଼ି ନେବାପରେ ସୁରକ୍ଷାକୁ ନେଇ ବିପଦ ଦେଖାଦେଇଛି।

ବେଳାଭୂମି ଓ ଜଙ୍ଗଲକୁ ସୁରକ୍ଷା ଦେବାପାଇଁ ପ୍ରାକୃତିକ ବାଲିବନ୍ତ ଅମୂଲ୍ୟ ଦାନ ସଦୃଶ। କୋଣାର୍କ ସୂର୍ଯ୍ୟ ମନ୍ଦିରର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ବାଲିବନ୍ତ ମଧ୍ୟ ମନ୍ଦିରକୁ ପ୍ରାକୃତିକ ବିପଦ ସମୟରେ ସୁରକ୍ଷା ଦେଉଥିଲା। କିନ୍ତୁ ସହଜରେ କମ୍‌ ଖର୍ଚ୍ଚରେ ଅଧିକ ମୁନାଫା କମାଇବା ପାଇଁ ସେଇ ଅଞ୍ଚଳର ବିକାଶ ନାଁରେ ସେଇଠାରୁ ‌ବାଲିତାଡ଼ି ନେଇ ମନ୍ଦିର ପ୍ରତି ବିପଦ ସୃଷ୍ଟି କରିବାକୁ ପରିବେଶବିତ୍‌ମାନେ ନାପସନ୍ଦ କରିଛନ୍ତି। ଅସାଧୁ ବାଲି ମାଫିଆଙ୍କ ସମେତ ଠିକାଦାର ଓ ସରକାରୀ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ଲିଜ୍‌ ସ୍ବୀକୃତି ନଥାଇ ମଧ୍ୟ ଦୈନନ୍ଦିନ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳ, ହେଲିପ୍ୟାଡ୍‌ ଓ ବେଳାଭୂମି ନିକଟ ବାଲିବନ୍ତରୁ ବାଲି ଲୁଟ୍‌ ‌କରାଯାଉଛି। ଜୈବ ବିବିଧତା ସହ ବିଶ୍ବ ଐତିହ୍ୟ ପ୍ରତି ବିପଦ ସୃଷ୍ଟି କରୁଥିଲେ ହେଁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ନଦେଇ ଜିଲ୍ଲାପାଳ କେବଳ ତଦନ୍ତ ନିର୍ଦ୍ଦେଶ ଦେଇ ନିଜ ଦାୟିତ୍ବ ସାରିଦେଇଛନ୍ତି।

ଅଭିଯୋଗ ଅନୁସାରେ, ପ୍ରତିଦିନ ୫ଟି ବାଲି ଉଠା ମେସିନ୍‌ ସହ ୫୦ଟି ଟ୍ରାକ୍ଟର ବାଲି ଲୁଟି ନେଉଛନ୍ତି। ଏଥିପାଇଁ ସୈରାତ ମଧ୍ୟ ଦିଆଯାଇ ନାହିଁ, କିମ୍ବା ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ବାଲିବନ୍ତକୁ ଲିଜ୍‌ ସୂତ୍ରରେ ଦେବାରେ ମଧ୍ୟ ଘୋର ବିପଦ ରହିଛି। ‌ଅନ୍ୟପକ୍ଷରେ କେବଳ ରାତି ୧୧ଟାରୁ ଭୋର ୫ଟା ମଧ୍ୟରେ ବାଲି ଉଠାଯାଉଛି। ପ୍ରାୟ ମାସେ କାଳ ଏଭଳି ବେଆଇନ କାର୍ଯ୍ୟକଳାପ ଯୋଗୁ ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ହ୍ରଦ ସଦୃଶ ପାଲଟିଗଲାଣି। ସେଠାରେ ଥିବା ବାଲିବନ୍ତଗୁଡ଼ିକ ଦିନେ ପୁଲିସ୍‌ ଓ ଏନ୍‌ସିସି ପାଇଁ ଫାୟାରିଂ ରେଞ୍ଜ ଭାବେ ବ୍ୟବହୃତ ହେଉଥିଲେ ହେଁ ଏବେ ସେଠାରେ ପର୍ବତ ଭଳି ଛିଡ଼ା ହୋଇଥିବା ବାଲିବନ୍ତ ତାଡ଼ି ବିରାଟ ଖାଲ ସୃଷ୍ଟି କରାଯାଇଛି। ଘରର ଫାଉଣ୍ଡେସନ ଭଳି ୨୨୮ ଫୁଟର କୋଣାର୍କ ସୂର୍ଯ୍ୟ ମନ୍ଦିର ଲାଗି ଫାଉଣ୍ଡେସନ ନିହାତି କରାଯାଇଥିବ। ଯଦି ମନ୍ଦିରର ପାଚେରିଠାରୁ ମାତ୍ର ୨ଶହରୁ ୩ଶହ ମିଟର ମଧ୍ୟରେ ବାଲିବନ୍ତକୁ ତାଡ଼ି ଗାତ କରିଦିଆଯିବ ସେଥିରେ ମନ୍ଦିରର ମୂଳଦୁଆ ଭୁଶୁଡ଼ି ପଡ଼ିବା ସହ ମନ୍ଦିର ପ୍ରତି ମଧ୍ୟ ଘୋର ବିପଦ ସୃଷ୍ଟି ହେବ ବୋଲି କୋଣାର୍କ ବାଲିବନ୍ତ ସୁରକ୍ଷା ପରିଷଦର ଆବାହକ ରାଜୁ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ ପ୍ରାୟ ୧୦ଏକରରୁ ଅଧିକ ସ୍ଥାନରୁ ବାଲି ତାଡ଼ି ନିଆଯାଇଥିବା ବ‌େଳେ ୩ଟି ବାଲିବନ୍ତକୁ ସଫା କରିସାରିଲେଣି। ଏ ସମ୍ପର୍କରେ କୋଣାର୍କ ବାଲିବନ୍ତ ସୁରକ୍ଷା ପରିଷଦ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି।

‌ଅନ୍ୟପକ୍ଷରେ, ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଦୁଇଟି ମାର୍ଗରେ ବାଲି ଉଠାଇବ ପାଇଁ ଅନୁମତି ଦିଆଯାଏ। ପରିବେଶର ମଞ୍ଜୁରି ଏବଂ ସରକାରଙ୍କ ‌ସୈରାତ ମୁତାବକ ବାଲି ଉଠାଇବା ପାଇଁ ଅନୁମତି ଦିଆଯାଏ। ଯଦିଓ ସେଠାରେ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବାଲି ନିଆଯାଉଛି, ତେବେ ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ତଦନ୍ତ ରିପୋର୍ଟ ପାଇବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର