କୋଣାର୍କ : ସୂର୍ଯ୍ୟମନ୍ଦିରରେ ଦିନକୁ ଦିନ କମୁଛି କାରୁକାର୍ଯ୍ୟପୂର୍ଣ୍ଣ ପଥର ସଂଖ୍ୟା। ଏଭଳି ଜାରି ରହିଲେ ଆଉ କିଛି ବର୍ଷ ପରେ ହୁଏତ ଏହି ବିଶ୍ବଐତିହ୍ୟ ଏକ ସାଦାପଥର ସ୍ତୁପରେ ପରିଣତ ହୋଇଯିବ। କୋଣାର୍କ ସୂର୍ଯ୍ୟମନ୍ଦିରର ଦୟନୀୟ ଅବସ୍ଥା ଏବେ ସାରା ରାଜ୍ୟରେ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଦିଗରେ ବ୍ୟାପକ ଅନିୟମିତତା ଏବଂ ମନ୍ଦିରର ବିଭିନ୍ନ ସମସ୍ୟା ନେଇ ୨୦୧୮ ନଭେମ୍ବରରୁ ଲଗାତାର ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶିତ ହୋଇ ଆସୁଛି। ଏ ନେଇ ଗତକାଲି ‘ସମ୍ବାଦ’ରେ ଆଉ ଏକ ରିପୋର୍ଟ ପ୍ରକାଶିତ ହେବା ପରେ ଆଜି ଏହା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଆଜି ଅପରାହ୍ନରେ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ସମେତ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ତଥା ଯୁଗ୍ମ ଶାସନ ସଚିବ ସଂଘମିତ୍ରା ଶତପଥୀ, ରାଜ୍ୟ ସଂଗ୍ରାହଳୟର କ୍ୟୁରେଟର୍ ସୁଚିସ୍ମିତା ମନ୍ତ୍ରୀ, ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ କ୍ୟୁରେଟର୍ ଅଶ୍ବିନୀ ଶତପଥୀ ପ୍ରମୁଖ ସୂର୍ଯ୍ୟମନ୍ଦିରର ସ୍ଥିତି ସମୀକ୍ଷା କରିବାକୁ କୋଣାର୍କରେ ପହଞ୍ଚିଥିଲେ। ମନ୍ଦିରର ବିଭିନ୍ନ ସ୍ଥାନରେ ଲାଗିଥିବା ସାଦାପଥର କେବେ ଲାଗିଛି, ସେ ସଂପର୍କରେ ସେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କଠାରୁ ପଚାରି ବୁଝିଥିଲେ। ମନ୍ଦିରରେ ଯେଉଁ ସ୍ଥାନରେ ସାଦା ପଥର ଲାଗିଛି, ତାହା ଏବେ ସମତୁଲ କରାଯାଇ ଲଗାଯାଇଛି। ମନ୍ଦିରର ବିଭିନ୍ନ ଅଂଶକୁ ଯାଇ ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଟିକିନିଖି ଭାବେ ଯାଞ୍ଚ କରିଥିଲେ। ଏ ନେଇ ରାଜ୍ୟ ସରକାରଙ୍କ ହସ୍ତକ୍ଷେପର ଆବଶ୍ୟକତା ରହିଥିବା ସଂପର୍କରେ ସେମାନେ ମତ ରଖିଥିଲେ। ଏହି ପ୍ରତିନିଧି ମଣ୍ଡଳୀ ମନ୍ଦିରର ସ୍ଥିତି ଅନୁଧ୍ୟାନ କରି ଫେରିଯାଇଥିବାବେଳେ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି। ଉକ୍ତ ରିପୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିରର ସ୍ଥିତି ଯାଞ୍ଚ ପାଇଁ ଏକ କମିଟି ଗଠନ କରିବାକୁ ଏହି ଅଧିକାରୀମାନେ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ସ୍ଥିତି ଅନୁଧ୍ୟାନରେ ଆସିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/konark-3.jpg)