ଏଏସ୍‌ଆଇର ଅବହେଳା ପ୍ରସଙ୍ଗ : କୋଣାର୍କ ସୁରକ୍ଷା ସମିତିର ଧାରଣା ଆଜି

କୋଣାର୍କ : ବିଶ୍ବ ଏତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଅବହେଳାକୁ ନେଇ ପ୍ରତିବାଦ ଜୋର ଧରିଛି। ମନ୍ଦିରର କାରୁକାର୍ଯ୍ୟପୁର୍ଣ୍ଣ ମୂର୍ତିକୁ ଅପସାରିତ କରାଯାଇ ସାଦା ପଥର ଲଗାଯାଇଥିବା, ସଂରକ୍ଷଣ ଓ ମରାମତି ନାମରେ ମନ୍ଦିରକୁ ଲୁହାଶିଙ୍କୁଳିରେ ବାନ୍ଧି ରଖାଯାଇଥିବା, ଦୁଇ ଦଶନ୍ଧି ଧରି ମନ୍ଦିରକୁ ପ୍ରତି ଶନିବାର ପ୍ରବେଶ ଶୁଳ୍କ ଛାଡ଼ ଦାବିକୁ ଏଏସ୍‌ଆଇ କର୍ତୁପକ୍ଷ ଗ୍ରହଣ କରୁଥିବା ଆଦି ପ୍ରସଙ୍ଗକୁ ନେଇ ଆସନ୍ତାକାଲି ପୂର୍ବାହ୍ନରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୂର୍ଯ୍ୟମନ୍ଦିର ସାମ୍ନାରେ ଏକ ବିଶାଳ ଗଣଧାରଣା ଓ ପ୍ରତିବାଦ ସଭା କରାଯିବ।

ମିଳିଥିବା ସୂଚନା ମୁତାବକ ୧୧୯୬ ମସିହା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିରକୁ ପର୍ଯ୍ୟଟକ ମାନେ ବିନା ପ୍ରବେଶଶୁଳ୍କରେ ମଗଣାରେ ଯାଇପାରୁଥିଲେ। ୧୯୯୬ ମସିହାରେ ପ୍ରଥମଥର ପାଇଁ ମନ୍ଦିରକୁ ପ୍ରବେଶ ପାଇଁ ଟିକେଟ ଲାଗୁ କରାଗଲା। ସେତେବେଳେ ପ୍ରତି ଶୁକ୍ରବାର ମନ୍ଦିରକୁ ମୁକ୍ତ ପ୍ରବେଶର ବ୍ୟବସ୍ଥା ରହିଥିଲା ମାତ୍ର ୧୯୯୮ ମସିହା ଠାରୁ ଟିକେଟର ମୂଲ୍ୟକୁ ବୃଦ୍ଧି କରାଗଲା ଓ ସପ୍ତାହକୁ ଗୋଟିଏ ଦିନ ଥିବା ମୁକ୍ତ ପ୍ରବେଶ ଉପରେ ଏଏସଆଇ କର୍ତୁପକ୍ଷ ରୋକ ଲଗାଇଲେ। ଇତିମଧ୍ୟରେ ମନ୍ଦିରର ପ୍ରବେଶ ଶୁଳ୍କ ଚାରିଥର ବୃଦ୍ଧି ଘଟିଛି। ମାତ୍ର ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦିଗରେ ଅଦାୟ ହେଉଥିବା ଅର୍ଥରୁ କାଣିଚାଏ ମଧ୍ୟ ଖର୍ଚ୍ଚ କରାଯାଉନଥିବାର ଅଭିଯୋଗ ଆଣିଛି ‌ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି। ଅନ୍ୟପକ୍ଷରେ ଅଣକୁଶଳୀ ଶ୍ରମିକ ମାନଙ୍କଦ୍ବାରା କାର୍ଯ୍ୟକରାଇ ଏଏସ୍‌ଆଇ କର୍ତୁପକ୍ଷ ମନ୍ଦିରର ପୂର୍ବ ଅବସ୍ଥାକୁ ଶ୍ରୀହୀନ କରିସାରିଲେଣି ବୋଲି ସମିତିର ସଭାପତି ବାଦଲ ଦାଶ ଅଭି‌ଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର