କୋଣାର୍କ ସଂରକ୍ଷଣ ମାମଲାରେ ଏଏସ୍‌ଆଇ ଡିଜି ହାଜର, ହାଇକୋର୍ଟଙ୍କ କଠୋର ଆଭିମୁଖ୍ୟ

ବିଶେଷଜ୍ଞଙ୍କ ସହାୟତା ସହ ୪ ମାସରେ ପଦକ୍ଷେପ ନିଅ
ଅର୍ଥ ଅଭାବ ପଡ଼ିଲେ ଅଦାଲତଙ୍କ ନଜରକୁ ଆଣ
ଲଣ୍ଡନରୁ ନବଗ୍ରହ ମୂର୍ତ୍ତି ଆଣିବାକୁ ଆବେଦନ

କଟକ : ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ଓ ମରାମତି ପ୍ରସଙ୍ଗ ଆଜି ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି। ଚାରିମାସ ଭିତରେ ଠୋସ୍ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷଜ୍ଞଙ୍କ ମତ, ଆମିକସ୍‌କ୍ୟୁରିଙ୍କ ପରାମର୍ଶ ଓ ଆବଶ୍ୟକ ପଡିଲେ ବିଶେଷଜ୍ଞ କମିଟି ଗଠନ କରି କୋଣାର୍କ ମରାମତି ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ଏଏସଆଇକୁ କହିଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ କୋଣାର୍କ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଡିସେମ୍ବର ୧୭ର ନିର୍ଦ୍ଦେଶ ଅନୁସାରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି) ଉଷା ଶର୍ମା, ଯୁଗ୍ମ ଡିଜି (ସଂରକ୍ଷଣ) ଜେ.ଶର୍ମା ଓ ଭୁବନେଶ୍ବର ସର୍କଲ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲେ।

ଏଏସଆଇ ଡିଜି ଏ ପର୍ଯ୍ୟନ୍ତ କରାଯାଇଥିବା ସଂରକ୍ଷଣ କାର୍ଯ୍ୟର ସ୍ଥିତି ଓ ପ୍ରସ୍ତାବିତ ମରାମତି କାର୍ଯ୍ୟ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। କୋଣାର୍କ ମନ୍ଦିରରେ ଏବେ ଜାରି ରହିଥିବା ବିଭିନ୍ନ ମରାମତି ଓ ସଂରକ୍ଷଣ କାର୍ଯ୍ୟ ୪ ମାସ ଭିତରେ ଶେଷ କରାଯିବ ବୋଲି ଏଏସଆଇ ଡିଜି କହିଥିଲେ। କୋଣାର୍କ ପ୍ରସଂଗରେ ତ୍ବରିତ ପଦକ୍ଷେପ ଗ୍ରହଣ ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଥିଲେ। ଯଥାଶୀଘ୍ର ବିଶେଷଜ୍ଞଙ୍କ ମତ ନେଇ କୋଣାର୍କର ସଂରକ୍ଷଣ ଓ ମରାମତି ପ୍ରସଂଗରେ ପୂର୍ଣ୍ଣାଙ୍ଗ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ, ଜାରି ରହିଥବା ମରାମତି କାର୍ଯ୍ୟ ଆସନ୍ତା ୪ ମାସ ମଧ୍ୟରେ ଶେଷ କରିବା ପାଇଁ ଖଣ୍ଡପୀଠ କହିଛନ୍ତି। ଆବଶ୍ୟକ ପଡ଼ିଲେ ବିଶ୍ବସ୍ତରର ବିଶେଷଜ୍ଞମାନଙ୍କ ସହଯୋଗ ଏଏସ୍‌ଆଇ ନେବ।

ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରି ଏହି ପ୍ରସଂଗରେ ନିଷ୍ପତ୍ତି ନିଆଯିବ। ଯଦି ଏ କ୍ଷେତ୍ରରେ ଆବଶ୍ୟକ ଅର୍ଥକୁ ନେଇ ସମସ୍ୟା ଦେଖାଯାଏ ତେବେ ଏ ନେଇ ଅଦାଲତଙ୍କୁ ଅବଗତ କରାଇଲେ ଆବଶ୍ୟକ ଆଦେଶ ପ୍ରଦାନ କରାଯିବ ବୋଲି ଖଣ୍ଡପୀଠ ଆଜି କହିଥିଲେ। ପରବର୍ତ୍ତୀ ଶୁଣାଣି ପୂର୍ବରୁ କୋଣାର୍କ ମରାମତି ଓ ସଂରକ୍ଷଣର ସାନି ସ୍ଥିତି ନେଇ ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବ। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୦ ମେ ୪ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ଓ ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ଆଜି ଆବେଦନକାରୀ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଏକ ଅନ୍ତରୀଣ ଆବେଦନ ଦାଖଲ କରାଯାଇ ଲଣ୍ଡନର ଏକ ମ୍ୟୁଜିୟମରେ ଥିବା ନବଗ୍ରହ ମୂର୍ତ୍ତିକୁ କୋଣାର୍କ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ପ୍ରାର୍ଥନା କରାଯାଇଛି। କୋଣାର୍କର ମୂଳ ନବଗ୍ରହ ମୂର୍ତ୍ତିକୁ ଇଂରେଜମାନେ ନେଇ ଯାଇଥିଲେ ଓ ଏବେ ତାହା ଲଣ୍ଡନର ଏକ ମ୍ୟୁଜିୟମରେ ରଖାଯାଇଛି। ଏହି ନବଗ୍ରହ ମୂର୍ତ୍ତିକୁ କୋଣାର୍କକୁ ଆଣି ପ୍ରତିଷ୍ଠା କରାଯଉ। ଏଥିପାଇଁ ଏଏସଆଇ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଏଥି ସହିତ କୋଣାର୍କ ମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲିଛି ବୋଲି ଏଏସଆଇ କହୁଥିବା ବେଳେ ପ୍ରକୃତରେ କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ତାମିଲନାଡୁର ଶ୍ରୀରଙ୍ଗନାଥସ୍ବାମୀ ମନ୍ଦିର ଭଳି କୋଣାର୍କ ମନ୍ଦିରର ପୁନଃନିର୍ମାଣ ଓ ସଂରକ୍ଷଣ କରାଯିବା ଆବଶ୍ୟବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ପୂର୍ବରୁ ଆବେଦନକାରୀ ଏକ ଅନ୍ତରୀଣ ଆବେଦନ ଦାଖଲ କରି କୋଣାର୍କ ସଂପର୍କିତ ସମସ୍ତ ରିପୋର୍ଟ ତଲବ କରିବା ପାଇଁ ପ୍ରାର୍ଥନା କରିଥିଲେ। ୧୯୮୭ରୁ ୟୁନେସ୍କୋ ରିପୋର୍ଟ ସହିତ ସମସ୍ତ ଆନ୍ତର୍ଜାତିକ ସେମିନାର ଓ ବିଶେଷଜ୍ଞ ରିପୋର୍ଟ, ସିବିଆରଆଇ ରିପୋର୍ଟ ତର୍ଜମା କରାଯିବା ଆବଶ୍ୟକ। କୋଣାର୍କ ମନ୍ଦିର ଉପଯୁକ୍ତ ସଂରକ୍ଷଣ ଓ ମରାମତି ପାଇଁ ଏହା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଏଥି ସହିତ କୋଣାର୍କର ମୁଖ୍ୟ ଠାକୁର ସୂର୍ଯ୍ୟଦେବ ହେଇଥିବା ବେଳେ ଏହି ପ୍ରତିମା ଏବେ ପୁରୀ ମନ୍ଦିର ପରିସରରେ ରିହିଛି। ଏହି ମୂର୍ତ୍ତିକୁ କୋଣାର୍କକୁ ଆଣି ପ୍ରତିଷ୍ଠା କରାଯଉ। ମୂଳ ପୀଠ କୋଣାର୍କ ହୋଇଥିବା ବେଳେ ସୂର୍ଯ୍ୟଦେବଙ୍କୁ ଏଠାରେ ପୂଜାର୍ଚ୍ଚନା କରାଯିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଆମିକସ୍‌କ୍ୟୁରିଙ୍କ ରିପୋର୍ଟ ଉପରେ ଡିସେମ୍ବର ୧୬ରେ ଏଏସଆଇ ଦାଖଲ କରିଥିବା ଜବାବରେ ଉଲ୍ଲେଖ କରାଯାଇଥିଲା ଯେ କୋଣାର୍କ ସୂର୍ଯ୍ୟମନ୍ଦିରର ଲେଜର ସ୍କାନିଂ, ଫଟୋଗ୍ରାମାଟ୍ରିକ୍ ସର୍ଭେ, ଥ୍ରି-ଡି ମଡେଲିଂ ଓ ଅନ୍ୟ ଡକୁମେଣ୍ଟେସନ୍ ପାଇଁ ନିଷ୍ପତ୍ତି ହୋଇଛି ଓ ଏ ନେଇ ନଭେମ୍ବର ୨୨ରେ ଟେଣ୍ଡର ଆହ୍ବାନ କରାଯାଇଛି। ମନ୍ଦିର କାନ୍ଥର ଆଭ୍ୟନ୍ତରୀଣ ଅଂଶର ଗୁଣବତ୍ତା ଆକଳନ କରାଯିବା ଓ ଏଥିପାଇଁ ବିଭିନ୍ନ ସ୍ଥାନର ପଥରକୁ ପରୀକ୍ଷା କରାଯିବା ଉପରେ ‌ଆମିକସ୍‌କ୍ୟୁରି ଦେଇଥିବା ପରାମର୍ଶ ଉପରେ ଏଏସଆଇ ପକ୍ଷରୁ ଦର୍ଶାଯାଇଛି ଯେ ତିନୋଟି ନମୁନା ସଂଗ୍ରହ କରାଯାଇ ସିବିଆରଆଇକୁ ହସ୍ତାନ୍ତର କରାଯାଇ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି। ଏଥି ସହିତ ଜଗମୋହନ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରାଯିବା ପ୍ରସଂଗରେ ଏଏସଆଇ ଜବାବ ରଖି ଦର୍ଶାଇଛି ଯେ ସିବିଆରଆଇ ଏଭଳି ପଦକ୍ଷେପ ପାଇଁ ଅନୁମୋଦନ ଦେଇ ନାହିଁ। ସୂର୍ଯ୍ୟମନ୍ଦିରର ରାସାୟନିକ ସଫେଇ ଓ ସଂରକ୍ଷଣ ନିୟମିତ ବ୍ୟବଧାନରେ କରାଯିବା ପ୍ରସଂଗରେ ଏଏସଆଇ ଜବାବରେ ଦର୍ଶାଇଛି ଯେ, ସଂସ୍ଥାର ସାଇନ୍ସ ବ୍ରାଞ୍ଚ ବୈଜ୍ଞାନିକ ସଂରକ୍ଷଣ କୌଶଳ ପ୍ରୟୋଗ କରି ସାଲାଇନ୍ ପ୍ରଭାବରୁ କୀର୍ତ୍ତିରାଜିକୁ ରକ୍ଷା ପାଇଁ ପଦକ୍ଷେପ ନେଉଛି। ଅସ୍ଥାୟୀ ଫ୍ରେମ୍ ବା ଛାଞ୍ଚଗୁଡିକ ୩/୪ ମାସ ମଧ୍ୟରେ ହଟାଇବା ପ୍ରସଂଗରେ ଏଏସଆଇ ଦର୍ଶାଇଛି ଯେ, ଏଥିପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର