କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା: ଓଡ଼ିଶୀ ଓ ମୋହିନୀ ଆଟ୍ଟମରେ ଦର୍ଶକ ବିମୁଗ୍ଧ

କୋଣାର୍କ: ୨୯ତମ କୋଣାର୍କ ଉତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା। ବିଶ୍ବ ଐତିହ୍ୟ ସୂର୍ଯ୍ୟମନ୍ଦିର ନିକଟରେ ଅବସ୍ଥିତ ମୁକ୍ତକାଶ ରଙ୍ଗମଞ୍ଚରେ ବେଦ ଓ ଗୀତଗୋବିନ୍ଦ କଥାବସ୍ତୁକୁ ନେଇ ଆଜି ପରିବେଷିତ ହୋଇଥିଲା ଓଡ଼ିଶୀ ଓ ମୋହିନୀ ଆଟ୍ଟମ ନୃତ୍ୟ। ଆଜି ତୃତୀୟ ସନ୍ଧ୍ୟାର ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ରୂପେ ଓଡ଼ିଶାର ଅନୁଗୁଳର ଗୁରୁ ସ୍ବପ୍ନାରାଣୀ ସିହ୍ନା ଓ ନୃତ୍ୟ ନିଳୟ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ଆଧାରରେ ମଞ୍ଚ ପ୍ରବେଶ କରିଥିଲେ। ବେଦ ବର୍ଣ୍ଣିତ ଅଗ୍ନିସ୍ତୁତିକୁ ଓଡ଼ିଶୀ ନୃତ୍ୟ ଭାବେ ମଞ୍ଚରେ ପରିବେଷଣ କରି ଶିଳ୍ପୀଗଣ ଦର୍ଶକଙ୍କୁ ମଞ୍ଚମନସ୍କ କରିଥିଲେ। ପରେପରେ ପୁଣ୍ୟତୋୟା ଗଙ୍ଗା, ଯମୂନା ଓ ସରସ୍ବତୀ ନଦୀର ଗାଥାକୁ ନେଇ ନୃତ୍ୟଶିଳ୍ପୀମାନେ ନୃତ୍ୟାଭିନୟ କରିଥିଲେ।

ଦ୍ବିତୀୟ ପର୍ଯ୍ୟାୟରେ ନୂଆଦିଲ୍ଲୀର ସୁପ୍ରସିଦ୍ଧ ମୋହିନୀ ଆଟ୍ଟମ ନୃତ୍ୟଗୁରୁ ଜୟପ୍ରଭା ମେନନ ଓ ସାଥୀମାନେ ମୋହିନୀ ଆଟ୍ଟମ ନୃତ୍ୟ ପରିବେଷଣ ପାଇଁ ମଞ୍ଚରେ ଉପନୀତ ହୋଇଥିଲେ। ନୃତ୍ୟଶିଳ୍ପୀ ମାନେ ଜୀବ, ମୋକ୍ଷ ଓ ଉପସଂହାରର କଥାକୁ ନୃତ୍ୟ ଆଧାରରେ ପରିବେଷଣ କରି ସନ୍ଧ୍ୟାକୁ ବେଶ ସ୍ମରଣୀୟ କରି ତୋଳିଥିଲେ। ଆଜି ଗ୍ୟାଲେରିପୂର୍ଣ୍ଣ ଦର୍ଶକ ଓ ପର୍ଯ୍ୟଟକଙ୍କ ଗହଣରେ ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମର ସମାରୋହକୁ ପ୍ରିନ୍‌ସିପାଲ ଏଜି ଯଶୋଧାରା ରାୟ ଚୌଧୁରୀ, ପର୍ଯ୍ୟଟନ ବିଭାଗ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଶା ସଂଗୀତ ନାଟକ ଏକାଡେମି ସଚିବ ଡ. ବିଜୟ କୁମାର ଜେନା ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ. ସଂଗୀତା ଗୋସାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିଲେ।

ସମ୍ବନ୍ଧିତ ଖବର