ସୂର୍ଯ୍ୟସ୍ତୁତି ସହ ସରିଲା ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ କୋଣାର୍କ ଉତ୍ସବ

କୋଣାର୍କ : ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ କୋଣାର୍କ ଉତ୍ସବ ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ସୂର୍ଯ୍ୟମନ୍ଦିର ନିକଟରେ ଥିବା ମୁକ୍ତକାଶ ରଙ୍ଗମଞ୍ଚରେ ନୃତ୍ୟ ଶିଳ୍ପୀମାନେ ସୂର୍ଯ୍ୟସ୍ତୁତି ସହିତ ପୌରାଣିକ କଥାବସ୍ତୁକୁ ନେଇ ନୃତ୍ୟ ପରିବେଷଣ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ସନ୍ଧ୍ୟାର ପ୍ରଥମ ସାଂସ୍କୃତିକ ଅର୍ଘ୍ୟ ଭାବେ ଭାରତନାଟ୍ୟମ୍‌ର ପ୍ରଖ୍ୟାତ ଗୁରୁ ବୈଭବ ଆରେକର ଓ ସାଥୀମାନେ ମଞ୍ଚରେ ପାଦ ଥାପିଥିଲେ। ଭାରତନାଟ୍ୟମ ନୃତ୍ୟ ଆଧାରରେ ସେମାନେ ସୂର୍ଯ୍ୟ ଉପାସନାର ପବିତ୍ର ଭୂମି ଅର୍କକ୍ଷେତ୍ର କୋଣାର୍କର ମୁକ୍ତକାଶ ରଙ୍ଗମଞ୍ଚରେ ମହାପ୍ରଭୁ ଆଦିତ୍ୟ ନାରାୟଣଙ୍କ ଉପାସନା ସଂପର୍କିତ ସୂର୍ଯ୍ୟସ୍ତୁତିକୁ ଅତି ନିଖୁଣ ଭାବେ ପରିବେଷଣ କରିଥିଲେ।

ପରବର୍ତୀ ପର୍ଯ୍ୟାୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଭୁବନେଶ୍ବରର ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ସହିତ ମଞ୍ଚ ପ୍ରବେଶ କରିଥିଲେ। ହରିବଂଶ ମହାପୁରାଣର ଗାଥା ହଂସଦୂତ ନୃତ୍ୟ ନାଟିକାକୁ ନିଖୁଣ ଭାବେ ସେମାନେ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର୍‌ ବାଲକ୍ରିଷ୍ଣନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱେଲ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ତିମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ. ମୃତ୍ୟଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ ପରିଚାଳନା କରିଥିଲେ। ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ ପତି, ବରି‌ଷ୍ଠ ଅଧିକାରୀ ଡ.ରତିକାନ୍ତ ପଟ୍ଟନାୟକ, ପି.କେ ଚାନ୍ଦ, ସହ ନିର୍ଦ୍ଦେଶକ ବିଜୟ କୁମାର ଜେନା, ଡ. ସୁନୀଲ ପଟ୍ଟନାୟକ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଂଗୀତା ଗୋସାଇଁ, ସଂଗୀତ ନାଟକ ଏକାଡେମି ସଚିବ ଡ. ବିଜୟ କୁମାର ଜେନାଙ୍କ ସମେତ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର