କୋଣାର୍କ ଉତ୍ସବର ଦ୍ବିତୀୟ ସନ୍ଧ୍ୟା : ବାଲିନିଜ୍‌ ନୃତ୍ୟରେ ସୀତାହରଣ

ମନ ମୋହିଲେ ଇଣ୍ଡୋନେସିଆର ନୃତ୍ୟଶିଳ୍ପୀ ଦଳ

କୋଣାର୍କ : ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ ୨୯ତମ କୋଣାର୍କ ମହୋତ୍ସବର ଆଜି ଦ୍ବିତୀୟ ସନ୍ଧ୍ୟା‌କୁ ରସସିକ୍ତ ଓ ଭାବପୂର୍ଣ୍ଣ କରିଥିଲେ ଇଣ୍ଡୋନେସିଆରୁ ଆସିଥିବା କଳାକାର। ଉଦଘାଟନୀ ଉତ୍ସବ ସମାପନ ପରେ ଇଣ୍ଡୋନେସିଆର କଳାକାରମାନେ ବାଲିନିଜ୍ ନୃତ୍ୟ ଆଧାରରେ ମଂଚରେ ପରଶି ଦେଇଥିଲେ ରାମାୟଣର କଥାବସ୍ତୁକୁ ନେଇ ସୀତାହରଣ। କଳାକାରମାନେ ସୀତାହରଣ ବିଷୟବସ୍ତୁକୁ ଅତି ନିଖୁଣ ତାଳ, ଲୟ ଓ ଛନ୍ଦରେ ପରିବେଷଣ କରିଥିଲେ। ଇଣ୍ଡୋନେସିଆର ନୃତ୍ୟଶିଳ୍ପୀମା‌ନେ ନୃତ୍ୟ ପରିବେଷଣ ସମୟରେ ଅତୀତର କଳିଙ୍ଗ ଓ ଇଣ୍ଡୋନେସିଆ ମଧ୍ୟରେ ରହିଥିବା ନିବିଡ଼ ସଂପର୍କର ସ୍ମୁତି ଅତିଥି ଓ ଦର୍ଶକଙ୍କ ମାନସ ପଟରେ ସତେଜ ହୋଇ ଉଠିଥିଲା। ଏହା ପରେ ଇଣ୍ଡୋନେସିଆ ପରିଦର୍ଶନରେ ଯାଉଥିବା ଅତିଥିମାନଙ୍କୁ ସ୍ବାଗତ କରାଯିବା ସମୟରେ ଇଣ୍ଡୋନେସିଆରେ ପରିବେଷଣ ହେଉଥିବା ସ୍ବାଗତ ନୃତ୍ୟ ‘ସେଲଟି ସେଗାରା’କୁ ମଂଚରେ ପରିବେଷଣ କରିଥିଲେ ଶିଳ୍ପୀଗଣ। ଏହି ନୃତ୍ୟ ପରିବେଷଣ ବେଳେ ଦର୍ଶକ ମଣ୍ଡଳୀ ଅପଲକ ନୟନରେ ଏହାକୁ ଉପଭୋଗ କରିଥିଲେ।

କାର୍ଯ୍ୟକ୍ରମର ଦ୍ବିତୀୟ ଅର୍ଘ୍ୟ ରୂପେ କୋଲକାତାର ‘ସିଂଜନ ନୃତ୍ୟାଳୟ’ ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ଆଧାରରେ ସୂର୍ଯ୍ୟ ସ୍ତୁତି ପରିବେଷଣ କରିଥିଲେ। ନୃତ୍ୟଶିଳ୍ପୀମାନଙ୍କ ପ୍ରତ୍ୟେକଟି ଅଙ୍ଗଭଙ୍ଗୀ ସୂର୍ଯ୍ୟମନ୍ଦିରର ପାଷାଣୀ ନର୍ତକୀ ମୁକ୍ତକାଶ ରଙ୍ଗମଞ୍ଚରେ ଜୀବନ୍ୟାସ ପାଇଥିବାର ଭ୍ରମ ସୃଷ୍ଟି ହୋଇଥିଲା । ଓଡ଼ିଶୀ ନୃତ୍ୟର ଶେଷ ଅର୍ଘ୍ୟ ଭାବେ ଦେବୀ ଆରାଧନା ସମ୍ବଳିତ ଦଶମହାବିଦ୍ୟାକୁ ନୃତ୍ୟ ମାଧ୍ୟମରେ ମଂଚରେ ପରିବେଷଣ କରି ଦ୍ବିତୀୟ ସନ୍ଧ୍ୟାକୁ ଆକର୍ଷଣୀୟ କରିଥିଲେ ନୃତ୍ୟାଙ୍ଗନା। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ଦର୍ଶକ ଓ ପର୍ଯ୍ୟଟକଙ୍କ କରତାଳିରେ କମ୍ପି ଉଠିଥିଲା।

କୋଣାର୍କ ଉତ୍ସବ-୨୦୧୯ର ଦ୍ବିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ସଚିନ ଯାଦବ, ପର୍ଯ୍ୟଟନ ନିଗମ ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସେନ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକସଂପର୍କ ସଚିବ କୃପାସିନ୍ଧୁ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଡ.ମୃତ୍ୟୁଞ୍ଜୟ ରଥ ଓ ଡ.ସାଧନା ଶ୍ରୀବାସ୍ତବ ପରିଚାଳନା କରିଥିବା ବେଳେ ଉତ୍ସବକୁ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ ପତି, ବରିଷ୍ଠ ଅଧିକାରୀ ଡ. ବିଜୟ କୁମାର ଜେନା, ରତିକାନ୍ତ ପଟ୍ଟନାୟକ , ସହକାରୀ ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର