ନୂଆ ରୂପ ନେବ କୋଣାର୍କ

ଅନ୍ତର୍ଜାତୀୟ ମାନର ଭିତ୍ତିଭୂମି ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ

ଭୁବନେଶ୍ବର : ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆଗେଇବା ପରେ ଏବେ ରାଜ୍ୟ ସରକାରଙ୍କ ନଜର ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର ଉପରେ ପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ତ ବିଭାଗ ସଚିବ ଡାକ୍ତର କ୍ରିଷନ୍ କୁମାର ପ୍ରସ୍ତାବିତ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଯୋଜନାର ଚିତ୍ର ରାଜ୍ୟ ସରକାରଙ୍କ ସାମ୍ନାକୁ ଆଣିଛନ୍ତି। କୋଣାର୍କରେ ଅନ୍ତର୍ଜାତୀୟ ମାନର ଭିତ୍ତିଭୂମି ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିବା ସହିତ ଏହି ଚିଠା ଯୋଜନା ସଂପର୍କରେ ୨୧ ଦିନ ମଧ୍ୟରେ ଲୋକଙ୍କ ଠାରୁ ମତାମତ ସଂଗ୍ରହ ପାଇଁ ନିର୍ଦେଶ ଦେଇଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କଳିଙ୍ଗ ସ୍ଥାପତ୍ୟ କଳାର ଅପୂର୍ବ ନିଦର୍ଶନ ହେଉଛି କୋଣାର୍କ ମନ୍ଦିର। ଗଙ୍ଗ ବଂଶର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କର ତ୍ରୟୋଦଶ ଶତାବ୍ଦୀର ଏହି କୀର୍ତ୍ତି ତା’ର ଅବିଶ୍ବସନୀୟ କଳା ଓ ଭାସ୍କର୍ଯ୍ୟ ପାଇଁ ସାରା ବିଶ୍ବର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। ଭଗବାନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ମନ୍ଦିରର ମୁଖ୍ୟ ଅଂଶ ଭାଙ୍ଗିଯାଇଛି। ଏହା ସତ୍ତ୍ବେ ମୁଖଶାଳାର ଶୋଭା ଓଡ଼ିଶାର କାରିଗର ଓ ଶିଳ୍ପୀମାନଙ୍କର ଦକ୍ଷତାର ଜୟଗାନ କରେ। ଏହି ମନ୍ଦିର ତତ୍କାଳୀନ ଓଡ଼ିଶାର ସଂପନ୍ନତା ବିଷୟରେ କେବଳ ସୂଚିତ କରିଥାଏ ତା’ ନୁହେଁ, ମନ୍ଦିର ଗାତ୍ରରେ ଥିବା ଜିରାଫର ଚିତ୍ର ଆଫ୍ରିକୀୟ ଦେଶମାନଙ୍କ ସହିତ ତତ୍କାଳୀନ ଓଡ଼ିଶାର ସଂପର୍କର ଏକ ବଡ଼ ଉଦାହରଣ ବା ପ୍ରମାଣ ବୋଲି କୁହାଯାଇପାରେ।

ସରକାର କହିଛନ୍ତି ଯେ ୧୯୮୪ ମସିହାରେ ୟୁନେସ୍କୋ କୋଣାର୍କକୁ ବିଶ୍ବ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି। ଏହି ମହାନ ସାଂସ୍କୃତିକ ବୈଭବର ସୁରକ୍ଷା ଏବେ ସମସ୍ତଙ୍କର ନୈତିକ ଦାୟିତ୍ବ। ଏହି ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି।

ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂର୍ଯ୍ୟ ମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକମାନଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀମାନଙ୍କ ଆର୍ଥିକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ। ଏହାବ୍ୟତୀତ କୋଣାର୍କ ମନ୍ଦିରର ପାରିପାର୍ଶିକ ଅଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।

ସାଢ଼େ ତିନି କିଲୋମିଟର ବାହ୍ୟ ରିଙ୍ଗ୍‌ ରୋଡକୁ ଛଅ ଥାକିଆ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବ। ଯାତ୍ରୀଙ୍କୁ ନେବା ଆଣିବା ପାଇଁ ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ବିକାଶ କରାଯିବ। ସେହିପରି ସେଠାରେ ଥିବା ଫେରିବାଲାମାନଙ୍କୁ ପୁନଃ ଥଇଥାନ କରାଯିବ। ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ ଲ୍ୟାଣ୍ଡ ସ୍କେପିଂ କରାଯିବ। ସରକାର ଯୋଜନା କରିଛନ୍ତି ଯେ ପ୍ରବେଶସ୍ଥଳରେ ପର୍ଯ୍ୟଟକମାନଙ୍କୁ ସ୍ବାଗତ କରିବା ପାଇଁ ସୁଦୃଶ୍ୟ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ। ତା’ ସହିତ ଗାଡିମଟର ପାର୍କିଂ ପାଇଁ ମଲ୍ଟି ମୋଡାଲ ହବ୍ ନିର୍ମାଣ ହେବ। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ବିକାଶ ବି। ଏହାବ୍ୟତୀତ ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ। କୋଣାର୍କ ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ସହିତ ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ବସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ ଏବଂ ପୂର୍ତ୍ତ ସଚିବ ତଥ୍ୟ ଉପସ୍ଥାପନା ଦେଇଥିଲେ। ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର