କୋଣ୍ଡାରେଡ୍ଡି ଛାତ୍ରାବାସ ପିଲା ଉପାସ ରହିଲେ

ଚିତ୍ରକୋଣ୍ଡା : ‘ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ’ ସ୍ଲୋଗାନ ଦେଇ ସରକାର ଶିକ୍ଷା ବିଭାଗରେ ବୈପ୍ଳବିକ ପରିବର୍ତନ ଆରମ୍ଭ କରିଥିଲେ। କିନ୍ତୁ ଶିକ୍ଷକଙ୍କ ଅବହେଳା ଏବଂ ପରିଚାଳନାରେ ଅବ୍ୟବସ୍ଥା ଯୋଗୁଁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ରହିଥିବା କୋଣ୍ଡାରେଡ୍ଡି ଛାତ୍ରାବାସରେ ବହୁ ସ୍କୁଲରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେଲା ଏହି ବିଦ୍ୟାଳୟରେ ଛାତ୍ରମାନେ ସମସ୍ୟାର ସମ୍ମୁୂଖୀନ ହେଉଥିଲେ ବି ଗତକାଲି ରାତିରେ ଅବହେଳା ଚରମରେ ପହଞ୍ଚିଥିଲା। ବିଦ୍ୟାଳୟରେ ରହି ପାଠ ପଢୁଥିବା ପ୍ରାୟ ୧୧୯ ଜଣ ପିଲା ଭୋକରେ ରାତି କାଟୁଥିବା ନେଇ ଅଭିଯୋଗ ହୋଇଛି।

ଗତକାଲିର ଘଟଣା ଅନୁଯାୟୀ ବିଦ୍ୟାଳୟରେ ଜାଳେଣି କାଠ ନଥିବା ହେତୁ ପିଲାମାନେ ଭୋକରେ ରହିଥିଲେ। ଏନେଇ ହଷ୍ଟେଲ ଦାୟିତ୍ୱରେ ରହିଥିବା ଶିକ୍ଷକ ଜାଣିଥିଲେ ମଧ୍ୟ ହଷ୍ଟେଲକୁ ଆସିନଥିଲେ। ପିଲାମାନେ ଭୋକ ଉପାସରେ କାଉଲୁ ବାଉଲୁ ହେଉଥିବା ସୂଚନା ମିଳିବା ପରେ ଗଣମାଧ୍ୟମ ପ୍ରତିନିଧି ହଷ୍ଟେଲରେ ପହଞ୍ଚିଥିଲେ। ପିଲାଙ୍କୁ ସହଯୋଗ ବି କରିଥିଲେ। ସେହିପରି ରାତିରେ ଚିତ୍ରକୋଣ୍ଡା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ହଷ୍ଟେଲରେ ପିଲାଙ୍କ ପାଟିତୁଣ୍ଡ ଶୁଣି ହଷ୍ଟେଲକୁ ଯାଇଥିଲେ। ପିଲାମାନେ ଭୋକରେ ରହିଥିବାରୁ ପାଟି କରୁଥିବା ଜାଣିବାକୁ ପାଇଥିଲେ। ଏହାପରେ ନିକଟସ୍ଥ ଅନ୍ୟ ଏକ ହଷ୍ଟେଲରୁ ଜାଳେଣି କାଠ ଅଣାଯାଇଥିଲା। ପିଲାମାନେ ନିଜେ କାଠକୁ କାଟି ଚୁଲି ଲଗାଇଥିଲେ। ତେବେ ଡାଲି କମ୍ବା ତରକାରି କରିବାକୁ କିଛି ନଥିଲା। ବାଧ୍ୟ ହୋଇ କେବଳ ଭାତରେ ଲୁଣ ଲଗାଇ ରାତି ୧୨ଟା ବେଳେ ଖାଇଥିଲେ।

ପିଲାଙ୍କ ଅଭିଯୋଗ ହେଲା ବହୁ ଦିନ ଏମାନଙ୍କୁ ଅଧିକାଂଶ ସମୟରେ ଏଭଳି ଭୋକରେ ରହିବାକୁ ପଡ଼ୁଛି। ନଚେତ ଭାତ ସହ ଲୁଣ ଲଗାଇ ଖାଇବାକୁ ପଡୁଛି। ବହୁବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ। ହଷ୍ଟେଲ ଦାୟିତ୍ୱରେ ଥିବା ମେଟ୍ରୋନ ଏବଂ ଜଗୁଆଳି କାଠ ସରିଥିବା ନେଇ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ପୂର୍ବରୁ ସୂଚନା ଦେଇଥିଲେ ମଧ୍ୟ ସେ କୌଣସି ବ୍ୟବସ୍ଥା କରୁନଥିବା କହିଥିଲେ। ତେବେ ରାତିରେ ପିଲା ଭୋକରେ ଚାଲି ଚାଲି ପଞ୍ଚାୟତ ସମିତି ଅଧିକାରୀଙ୍କୁ ଜଣାଇବାକୁ ବାହାରିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ତାଂକୁ ରାତିରେ ଯିବା ଉଚିତ ହେବ ନାହିଁ କହିବାରୁ ପିଲାମାନେ ଅଟକି ଥିଲେ। ଦୀର୍ଘ ଦିନ ହେଲା ଅବ୍ୟବସ୍ଥା ଲାଗି ରହିଥିବା ସଂପର୍କରେ ଜଣାପଡ଼ିବା ପରେ ହଷ୍ଟେଲରେ ହେଉଥିବା ଅନିୟମିତିତାକୁ ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର