ପୁରୀରେ ଲୋକାର୍ପିତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌, ଜାଣନ୍ତୁ ହାୱଡ଼ାକୁ କେତେ ଟଙ୍କା ପଡ଼ିବ ଭଡ଼ା

ଭୁବନେଶ୍ବର: ଭାରତୀୟ ରେଳବାଇର ଦ୍ରୁତଗାମୀ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଗୁରୁବାର ଲୋକାର୍ପିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପୁରୀ ରେଳଷ୍ଟେସନ୍‌ରୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ଏହି ଟ୍ରେନ୍‌ ଆସନ୍ତା ୨୦ ତାରିଖ ଠାରୁ ନିୟମିତ ଭାବେ ଚଳାଚଳ କରିବ। ସପ୍ତାହରେ କେବଳ ଗୁରୁବାରକୁ ବାଦ୍‌ ଦେଇ ଅନ୍ୟ ୬ ଦିନ ଯାତାୟତ କରିବ। ଫଳରେ ପୁରୀରୁ ‌ହାୱଡ଼ା ଯାଉଥିବା ଯାତ୍ରୀମାନଙ୍କୁ ଭଲ ସୁବିଧା ହେବ। ଅପରପକ୍ଷେ ହାୱଡ଼ାରୁ ଯାତ୍ରୀମାନେ ପୁରୀକୁ ପୂର୍ବାପେକ୍ଷା କମ୍‌ ସମୟ ମଧ୍ୟରେ ପହଞ୍ଚି ପାରିବେ। ତେବେ ‌ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଗତି ଯେଭଳି ରହିଛି, ସେହି ହିସାବରେ ଯାତ୍ରୀମାନଙ୍କ ଠାରୁ ଟିକେଟ୍‌ର ମୂଲ୍ୟ ମଧ୍ୟ ଆଦାୟ କରାଯାଉଛି।

ଚଳିତ ମାସ ୨୦ ତାରିଖ ଶନିବାର ଠାରୁ ଔପଚାରିକ ଭାବେ ଉଭୟ ଦିଗରୁ ଚାଲିବ। ଗୁରୁବାର ବ୍ୟତୀତ ସପ୍ତାହ ଆଉ ୬ ଦିନ ଚାଲିବ। ଏଥିପାଇଁ ବୁକିଂ ପୋର୍ଟାଲ ମଧ୍ୟ ସକ୍ରିୟ ହୋଇଯାଇଛି। ପ୍ରଥମ ଦୁଇ ଦିନ ପାଇଁ ହାଓଡ଼ା ପଟୁ ସବୁ ଟିକଟ ବୁକିଂ ହୋଇଯାଇଥିବା ବେଳେ ପୁରୀ ପଟୁ ଶତାଧିକ ଆସନ ବୁକିଂ ପାଇଁ ଉପଲବ୍ଧ ଅଛି। ହାଓଡା-ପୁରୀ ମଧ୍ୟରେ ଚେୟାର କାର୍‌ ଟିକଟ ୧୨୬୫ ଟଙ୍କା ଓ ଏକ୍‌ଜେକ୍ୟୁଟିଭ୍‌ ଚେୟାର ଟିକଟ ୨୪୨୦ ଟଙ୍କା ରହିଛି; କିନ୍ତୁ ପୁରୀ-ହାଓଡ଼ା ମଧ୍ୟରେ ସେଇ ସମାନ ଗାଡ଼ିରେ ଚେୟାର କାର ଟିକଟ ୧୪୩୦ ଟଙ୍କା ଓ ଏକ୍‌ଜେକ୍ୟୁଟିଭ୍‌ ଚେୟାର ଟିକଟ ଦର ୨୬୧୫ ଟଙ୍କା ରହିଛି। ଏହି ଭଡ଼ା ଟଙ୍କାରେ ଭୋଜନର ମୂଲ୍ୟକୁ ମଧ୍ୟ ଯୋଡ଼ାଯାଇଛି। ଜଣେ ଯାତ୍ରୀ ଯଦି ଭୋଜନ ଚାହିଁବେ ନାହିଁ, ତାହେଲେ ଟିକେଟ ଦର କମ ହୋଇଯିବ।

ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ୍‌ ନମ୍ବର ୨୨୮୯୫ (ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌) ହାୱଡ଼ା ଠାରୁ ସକାଳ ୬ଟା ୧୦ରୁ ବାହାରି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚିବ। ଏହି ଯାତ୍ରା ସମୟରେ ଖଡ଼ଗପୁରରେ ୭ଟା ୪୦, ବାଲେଶ୍ବରରେ ୯ଟା ୩, ଭଦ୍ରକରେ ୯ଟା ୪୦, ଯାଜପୁର-କେନ୍ଦୁଝରରୋଡରେ ୧୦ଟା ୭, କଟକରେ ୧୦ଟା ୫୦, ଭୁବନେଶ୍ବରରେ ୧୧ଟା ୨୦ ଓ ଖୋର୍ଦ୍ଧାରୋଡରେ ୧୧ଟା ୪୨ ମିନିଟରେ ପହଞ୍ଚିବ।

ସେହିପରି ଟ୍ରେନ୍‌ ନମ୍ବର ୨୨୮୯୬ (ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌) ୫୦୨ କିଲୋମିଟର ଗତି କରିବା ପାଇଁ ପୁରୀରୁ ଅପରାହ୍‌ଣ ୧ଟା ୫୦ରେ ଯାତ୍ରା ଆରମ୍ଭ କରିବ। ଖୋର୍ଦ୍ଧାରୋଡରେ ୨ଟା ୨୩, ଭୁବନେଶ୍ବରରେ ୨ଟା ୪୫, ଯାଜପୁର-‌କେନ୍ଦୁଝରରୋଡରେ ୪ଟା ୩, ଭଦ୍ରକରେ ୪ଟା ୩୩, ବାଲେଶ୍ବରରେ ୫ଟା ୧୩ ଓ ଖଡ଼ଗପୁରରେ ୬ଟା ୪୨ରେ ପହଞ୍ଚିବ। ଉଭୟ ଅପ୍‌ ଓ ଡାଉନ୍‌ ଟ୍ରେନ୍‌ ଭୁବନେଶ୍ବର ଷ୍ଟେସନରେ ୪ ମିନିଟ ଓ ଅନ୍ୟ ଷ୍ଟେସନଗୁଡ଼ିକରେ ୨ ମିନିଟ ଲେଖାଏଁ ଅଟକିବ। ଗୁରୁବାର ବ୍ୟତୀତ ସପ୍ତାହର ଅନ୍ୟ ୬ ଦିନ ଏହି ଟ୍ରେନ୍‌ ନିୟମିତ ଭାବେ ଚାଲିବ।

ସମ୍ବନ୍ଧିତ ଖବର