ଅଧାବାଟରେ ଛାଡ଼ି ପଳାଇଲା ଡ୍ରାଇଭର, ଉପାସରେ ୯ ଘଣ୍ଟା ଆଉଟୁପାଉଟୁ ହେଲେ ଶ୍ରମିକ

ଜୟପୁର : ହଜାର ହଜାର ଟଙ୍କା ନେଲେ, କିନ୍ତୁ ନିର୍ଦ୍ଧାରିତ ସ୍ଥାନରେ ନଛାଡ଼ି, ଅଧାବାଟରେ ଛାଡ଼ି ପାର୍‌ ହୋଇଗଲା ଡ୍ରାଇଭର। ଶନିବାର ଓ ରବିବାର ଲକ୍‌ଡାଉନ୍‌ ହେତୁ ୯ ଘଣ୍ଟା କାଳ ଭୋକ ଉପାସରେ ଛଟପଟ ହେଲେ ଶ୍ରମିକ। ସକାଳ ୬ଟାରୁ ଦିନ ଦୁଇଟା ଯାଏ ବସ୍‌ଷ୍ଟାଣ୍ଡରେ ବସି ରହିଥିବା ଦେଖିବାକୁ ମିଳିଥିଲା। ପରେ ସାମ୍ବାଦିକ ଓ ସମାଜସେବୀଙ୍କ ହସ୍ତକ୍ଷେପ ପରେ ଆଶ୍ରୟସ୍ଥଳରେ ରହିଲେ ଗଞ୍ଜାମ ଜିଲ୍ଲାର ୧୧ରୁ ଅଧିକ ଦାଦନ ଶ୍ରମିକ।

ମିଳିଥିବା ସୂଚନା ମୁତାବକ କିଏ କୁକୁଡ଼ା ଫାର୍ମରେ କାମ କରୁଥିଲା ତ କିଏ ପଲିଥିନ ତିଆରି କାରାଖାନାରେ କାମ କରୁଥିଲା। କମ୍ପାନି ବନ୍ଦ ହେବା ପରେ ଗତକାଲି ରାତି ୮ଟାରେ ସିକନ୍ଦରାବାଦରୁ ବ୍ରହ୍ମପୁର ଯିବାକୁ ପରିବାର ସହ ଆସିଥିଲେ ୧୧ଜଣ ଦାଦନ ଶ୍ରମିକ। ସେମାନେ ହେଲେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍‌ର ଆଲୋକ ଜେନା, ଭିକାରୀ ସେଠୀ, ବୁଲୁ ଜେନା, ଶେରଗଡ଼ ବ୍ଲକ୍‌ର ରାଜେଶ ସେଠୀ, ଆସ୍କାର ନୀଳ ବେହେରା, ଅଭିମନ୍ୟୁ ନାହାକ ଓ ପୋଲସରା ବ୍ଲକ୍‌ର ଶିବରାମ ନାହାକ ଓ ତାଙ୍କ ପରିବାର।

ଗତକାଲି ଏମାନେ ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନକୁ ଯାଉଥିବା ବେଳେ ଅଟୋ ଚଳାକ ସେମାନଙ୍କୁ ବସଷ୍ଟାଣ୍ଡକୁ ଆଣିଥିଲା। ସେଠାରେ ଠିଆ ହୋଇଥିବା ଏକ ବସ୍‌ରେ ଚଢ଼ିବାକୁ ବସ୍ ମାଲିକ କହିଥିଲେ। ବ୍ରହ୍ମପୁରରେ ଛାଡ଼ିବାକୁ ଜଣକ ପିଛା ୨୫୦୦ ଟଙ୍କା ନେଇଥିଲେ। ହେଲେ ବସ୍ ଆଜି ସକାଳୁ ଏମାନଙ୍କୁ ଆଣି ଜୟପୁର ଛାଡ଼ି ପଳାଇଥିଲା। ପାଖରେ ଟଙ୍କା ନ ଥିବାରୁ ଭୋକ ଉପାସରେ ବସଷ୍ଟାଣ୍ଡରେ ଏମାନେ ବସି ରହିଥିବା ବେଳେ ଲକ୍‌ଡାଉନ୍‌ ହେତୁ କୁଆଡ଼େ ଯାଇ ନ ପାରି ହନ୍ତସନ୍ତ ହୋଇଥିଲେ। ପରେ ସେଠାରେ କିଛି ସାମ୍ବାଦିକ ଓ ସମାଜସେବୀ ପହଞ୍ଚି ଖାଦ୍ୟ ଦେବା ସହ ଅଶ୍ରୟସ୍ଥଳରେ ନେଇ ସେମାନଙ୍କୁ ରଖିଥିଲେ। କରୋନା ଭଳି ଭୟଂକର ପରିସ୍ଥିତିରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ବି ଶ୍ରମିକଙ୍କୁ ପ୍ରତାରିତ କରୁଥିବା ଗାଡ଼ି ମାଲିକମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ନିଶ୍ଚୟ ବିଡ଼ମ୍ବନାର ବିଷୟ।

ସମ୍ବନ୍ଧିତ ଖବର