ରେଡ ଜୋନରେ କୋରାପୁଟ ଓ ଜୟପୁର

କୋରାପୁଟ : ଅଗଷ୍ଟ ଅଡୁଆ କରିଛି କୋରାପୁଟ ଜିଲ୍ଲା ପାଇଁ। ଏହି ମାସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତଗତିରେ ବଢି ଚାଲିଛି। ଏପରିକି ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ପାର କରି ସାରିଲାଣି। ତେବେ ଆଶ୍ବାସନାର ବିଷୟ, କୋରାପୁଟ ଓ ଜୟପୁରକୁ ଛାଡିଦେଲେ ଆଉ କୌଣସି ଅଂଚଳ ରେଡ ଜୋନରେ ନାହିଁ। ସେମିଳିଗୁଡା, ଲକ୍ଷ୍ମୀପୁର ଓ ବନ୍ଧୁଗାଁ ହଳଦିଆ ଜୋନରେ ରହିଥିଲାବେଳେ ବାକି ସବୁ ଅଂଚଳ ଏବେ ବି ଗ୍ରୀନ ଜୋନରେ ରହିଛି। ଏହା ସହିତ ଜିଲ୍ଳାରେ ସୁସ୍ଥ ହାର ଭଲ ଥିବାରୁ ଏହା ଆଗକୁ ଭଲ ଖବର ଆଣିବ ବୋଲି ଅନୁମାନ କରାଯାଉଛି।

କୋରାପୁଟ ଜିଲ୍ଳାରେ ଆଜି ସୁଦ୍ଧା ୨୦୭୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏଥିରୁ ଅଧିକ ଅଛନ୍ତି ଜୟପୁର ଓ କୋରାପୁଟ। କେବଳ ଏହି ଦୁଇ ସ୍ଥାନରୁ ୧ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ସରକାରୀ ସୂଚନା ଅନୁସାରେ, ଜୟପୁର ସହର ଓ ବ୍ଲକ ଅଂଚଳରୁ ମିଶି ଆଜି ସୁଦ୍ଧା ୬୩୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏଥିରୁ ପାଖାପାଖି ୪ ଶହ ଲୋକ ସୁସ୍ଥ ହୋଇଥିଲାବେଳେ ଅନ୍ୟମାନଙ୍କର ଚିକିତ୍ସା ଚାଲିଛି। ସେହିପରି କୋରାପୁଟ ବ୍ଲକ ଓ କୋରାପୁଟ ସହରରୁ ମିଶାଇ ୫୨୭ ଜଣ କରୋନା କବଳରେ ପଡିଛନ୍ତି। ଏଥିରୁ ୩ ଶହରୁ ଅଧିକ ଲୋକ ଆରୋଗ୍ୟ ଲାଭ କଲେଣି। ଅନ୍ୟମାନଙ୍କର ଏବେ ବି ଚିକିତ୍ସା ଚାଲିଛି। ଉଭୟ ସ୍ଥାନରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଶତାଧିକ ଥିବାରୁ ଏହାକୁ ରୋଡ ଜୋନରେ ରଖାଯାଇଛି। କୋରାପୁଟ ସହର ସମେତ ଦାମନଯୋଡି ଓ ମାଥାଲପୁଟ ଅଂଚଳରେ ଉଚ୍ଚା ସଂକ୍ରମଣ ପାଇଁ ଏହା ରେଡ ଜୋନକୁ ଯାଇଛି। ଅପରପକ୍ଷରେ ଜୟପୁର ସହରରେ ସର୍ବାଧିକ କରୋନା ସଂକ୍ରମିତ ହୋଇଛନ୍ତି। ଜୟପୁର ବ୍ଳକରୁ ଅଧିକ ସଂକ୍ରମିତ ନ ଥିଲେ ମଧ୍ୟ ଏବେ ବିଭିନ୍ନ ଗାଁକୁ ସଂକ୍ରମଣ ବ୍ୟାପିବାରେ ଲାଗିଛି।

pratidintime.com

ଜିଲ୍ଲାର ଦୁଇ ପ୍ରମୁଖ ସ୍ଥାନ କୋରାପୁଟ ଓ ଜୟପୁର ରେଡ ଜୋନରେ ଥିଲେ ମଧ୍ୟ ଅନ୍ୟାନ୍ୟ ଅଂଚଳ ଅପେକ୍ଷାକୃତ ସୁରକ୍ଷିତ ସ୍ଥାନରେ ରହିଛି। ସୁନାବେଡା ସହର ଓ ସେମିଳିଗୁଡା ବ୍ଲକରେ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୦୮ରେ ପହଞ୍ଚିଛି। ଏଥିରୁ ବଡ ଭାଗ ସୁନାବେଡା ସହରର। ସେହିପରି ସେମିଳିଗୁଡା ବ୍ଲକର ଭେଜାପୁଟ ଅଂଚଳରେ ବହୁ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସହରକୁ ଛାଡିଦେଲେ ଲକ୍ଷ୍ମୀପୁର ଓ ବନ୍ଧୁଗାଁ ବ୍ଲକ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି। ଲକ୍ଷ୍ମୀପୁର ବ୍ଲକରୁ ୧୪୨ ଜଣ ସଂକ୍ରମିତ ହୋଇଥିଲାବେଳେ ବନ୍ଧୁଗାଁ ବ୍ଳକରୁ ୧୪୧ ଜଣ ସଂକ୍ରମିତ ହୋଇଛନ୍ତି। ଏହି ୩ ଟି ସ୍ଥାନରେ ଏବେ ସ୍ରକିୟ ସଂକ୍ରମିତଙ୍କ ସଂଖ୍ୟା ୫୦ରୁ ୧୦୦ ଭିତରେ ରହିଛି। ନାରାୟଣପାଟଣାରେ ୭୯ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫୦ ରହିଛି। ଏହାକୁ ଛାଡିଦେଲେ ଜିଲ୍ଲାର ଆଉ ସମସ୍ତ ଅଂଚଳ ଗ୍ରୀନ ଜୋନରେ ରହିଛି। ଜିଲ୍ଲାର ସବୁଠାରୁ କମ୍ ସଂକ୍ରମିତ ହୋଇଛନ୍ତି ନନ୍ଦପୁର ବ୍ଲକରେ ଏହି ବ୍ଲକରେ ମାତ୍ର ୧୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି କୁନ୍ଦୁରା, କୋଟପାଡ, ଦଶମନ୍ତପୁର ଓ ଲମତାପୁଟରେ ସଂକ୍ରମଣଙ୍କ ସଂଖ୍ୟା ୫୦ ତଳେ ରହିଛି।

ସମ୍ବନ୍ଧିତ ଖବର