କୋରାପୁଟ, (ଶ୍ରୀକାନ୍ତ ସାହୁ): ଦେଶ ସ୍ବାଧୀନ ହୋଇ ୭୨ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଲାଣି। ଏହାରି ମଧ୍ୟରେ ରାଜ୍ୟରେ ୧୪ ଥର ବିଧାନସଭା ନିର୍ବାଚନ ହୋଇସାରିଛି। କିନ୍ତୁ ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୋରାପୁଟ ବିଧାନସଭା ଆସନ ଏଯାଏ ଜଣେ ବି ମହିଳାଙ୍କ ବିଧାୟକ ଭାବେ ପାଇନାହିଁ।
କୋରାପୁଟ ବିଧାନସଭା ଆସନରୁ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଗଙ୍ଗାଧର ମୁଦୁଲି। ୨୦୧୯ ନିର୍ବାଚନରେ ବିଜେଡି ଟିକେଟରେ ଏଠାରୁ ନିର୍ବାଚିତ ହୋଇଛନ୍ତି ରଘୁରାମ ପଡ଼ାଲ। ପ୍ରତ୍ୟେକ ନିର୍ବାଚନରେ ରାଜନୈତିକ ଦଳ ଗୁଡ଼ିକ ପ୍ରାର୍ଥୀ ଚୟନ ସମୟରେ ପୁରୁଷ ପ୍ରାର୍ଥୀଙ୍କୁ ହିଁ ଗୁରୁତ୍ବ ଦେଇ ଆସିଛନ୍ତି। ଯାହାକି ନିର୍ବାଚନ ଗୁଡ଼ିକର ଫଳାଫଳକୁ ଦେଖିଲେ ସ୍ପଷ୍ଟ ହୋଇଯାଉଛି। ତେବେ ୨୦୧୪ ମସିହା ବିଧାନସଭା ନିର୍ବାଚନରେ ସାମାନ୍ୟ ବ୍ୟତିକ୍ରମ ହୋଇଥିଲା। ଆଞ୍ଚଳିକ ଦଳ ଭାବେ ନୂଆରେ ଗଠନ ହୋଇଥିବା ଆମ ଓଡ଼ିଶା ପାର୍ଟି ଜଣେ ମହିଳାଙ୍କୁ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ସମାଜସେବୀ ମଞ୍ଜୁଲତା ଖେମୁଣ୍ଡୁଙ୍କୁ ଏହି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲା। କିନ୍ତୁ ମଞ୍ଜୁଲତା ଅମାନତ ହରାଇବା ସହ ମାତ୍ର ୦.୯ ପ୍ରତିଶତ (୧୦୭୫ ଭୋଟ) ପାଇବାରେ ସଫଳ ହୋଇଥିଲେ। ଏହାପରେ ସକ୍ରିୟ ରାଜନୀତିରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି ମଞ୍ଜୁଲତା। ପୂର୍ବଭଳି ଲୋକସେବାରେ ନିୟୋଜିତ କରିଛନ୍ତି। ଯଦି ସୁଯୋଗ ମିଳିତ ତେବେ ପୁଣି ରାଜନୀତିକୁ ଫେରିବେ ବୋଲି ପ୍ରକାଶ କରିଛନ୍ତି।
ବିଡ଼ମ୍ବନା ହେଲା ମହିଳାଙ୍କ ଅଧିକାରକୁ ପ୍ରସଙ୍ଗ କରି ୨୦୧୯ ନିର୍ବାଚନ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଲଢ଼ିଲେ। କିନ୍ତୁ କେହି ବି ମହିଳା ପ୍ରାର୍ଥୀ ଦେଇ ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/koraput-aaa.jpg)