କୋରାପୁଟ ଜିଲ୍ଲାର ରାଜ୍ୟ କାର୍ଯ୍ୟକାରିଣୀରେ ରବି ଓ ଝିନ୍ନ

କୋରାପୁଟ : ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ନାମ ଆଜି ଘୋଷଣା କରାଯାଇଛି। ଏଥିରେ ରାଜ୍ୟର ୮୦ ଜଣ ବରିଷ୍ଠ ନେତାଙ୍କୁ ସ୍ଥାନ ଦିଆଯାଇଛି। ଦଳର ଏହି ସମ୍ମାନଜନକ ଟିମରେ କୋରାପୁଟ ଜିଲ୍ଲାର ଦୁଇ ଜଣ ନେତା ସ୍ଥାନ ପାଇଛନ୍ତି। ସେମାନେ ହେଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଓ ପୂର୍ବତନ ସାଂସଦ ଝିନ୍ନ ହିକକା।

କୋରାପୁଟ ଜିଲ୍ଲା ବିଜେଡି ସଭାପତି ଭାବେ ଇଶ୍ବର ପାଣିଗ୍ରାହୀ ନିର୍ବାଚିତ ହେବା ପରେ ସଭାପତି ଦୌଡରେ ରହିଥିବା କିଛି ନେତା ଅସନ୍ତୁଷ୍ଟ ରହିଥିବା ଚର୍ଚ୍ଚା ହୋଇଥିଲା। ବିଶେଷକରି ଦଳର ଦୁଇ ବରିଷ୍ଠ ନେତା ରବି ନାରାୟଣ ନନ୍ଦ ଓ ପୂର୍ବତନ ସଭାପତି ଝିନ୍ନ ହିକକା ସଭାପତି ଦୌଡରେ ରହିଥିବା କୁହାଯାଉଥିଲା। ଇଶ୍ବର ପାଣିଗ୍ରାହୀ ସଭାପତି ଭାବେ ନାମାଙ୍କନ ଦାଖଲ ସମୟରେ ଏହି ଦୁଇ ନେତା ଅନୁପସ୍ଥିତ ରହିବା କାରଣରୁ ଦଳରେ ଅସନ୍ତୋଷ ନେଇ ଅଧିକ ଚର୍ଚ୍ଚା ହୋଇଥିଲା। ଏହା ପରେ ଦଳ ଏହି ଦୁଇ ନେତାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ଦେଇ ଦଳ ଭିତରେ ସମତୁଲ ରଖିବାକୁ ଚେଷ୍ଟା କରିଛି। ଏଥିନେଇ ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦଳର ଦୁଇ ବରିଷ୍ଠ ନେତାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ଦିଆଯାଇଛି। ଏହା ଦ୍ବାରା ଜିଲ୍ଲାରେ ଦଳର ଶକ୍ତି ବୃଦ୍ଧି ପାଇବ। ଦଳ ଭିତରେ କୌଣସି ଅସନ୍ତୋଷ ନାହିଁ। ସମସ୍ତେ ମିଳିମିଶି ଦଳ ପାଇଁ କାମ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର