ଆର୍କୁ ଭ୍ୟାଲି ଅଧୀନରେ ରହିଛି କୋରାପୁଟ କଫି ବୋର୍ଡ
କୋରାପୁଟ କଫିର ଅସ୍ଥିତ୍ବକୁ ନେଇ ଉଠିଲାଣି ପ୍ରଶ୍ନ
କୋରାପୁଟ : କୋରାପୁଟ ଜିଲ୍ଲାରେ ପ୍ରାୟ ୮୦ବର୍ଷ ହେଲା ହେଉଛି କଫି ଚାଷ। ସ୍ଥାନୀୟ ଆଦିବାସୀ ଏହି ଚାଷ ପ୍ରତି ଆକୃଷ୍ଟ ହେବାପରେ ସମୟକ୍ରମେ ଉତ୍ପାଦନ ବି ବଢ଼ୁଛି। ବର୍ତ୍ତମାନ କେବଳ ଆରବିକା ଫ୍ଲେବର ଚାଷ ହେଉଥିବା ବେଳେ ଆଗକୁ ଆହୁରି କିଛି ଫ୍ଲେବର ଚାଷ କରିବାକୁ ଯୋଜନା ହେଉଛି। କିନ୍ତୁ ସବୁ ଶ୍ରେୟ ନେଇ ଯାଉଛି ଆନ୍ଧ୍ର ସ୍ଥିତ ଆର୍କୁ ଭ୍ୟାଲି କଫି ବୋର୍ଡ। ତେଣୁ ଆଗକୁ ଯଦି କୋରାପୁଟ କଫି ପାଇଁ ଭୌଗଳିକ ସଂକେତ (ଜିଆଇ ଟ୍ୟାଗ୍) ମାନ୍ୟତା ପାଇଁ ଆବେଦନ ହେବ ସେଥିରେ ସମସ୍ୟା ହୋଇପାରେ ବୋଲି ମତପ୍ରକାଶ ପାଇଛି।
୨୦୧୯ ମସିହାରେ ଦେଶର ବିଭିନ୍ନ ସ୍ଥାନରେ ଉତ୍ପାଦନ ହେଉଥିବା କଫି ପାଇଁ ଜିଆଇ ଟ୍ୟାଗ୍ ଘୋଷଣା କରାଯାଇଥିଲା। କୋରାପୁଟ କଫିର ସମସମାୟିକ କର୍ଣ୍ଣାଟକର କୁର୍ଗ, ଚିକ୍ମାଗଲୁର, ବାବାବୁଧଗିରୀଶ ଆରବିକା କଫି, କେରଳର ୱାୟେଣ୍ଡ ରୋବୁଷ୍ଟା କଫି ଏବଂ ଆନ୍ଧ୍ରପ୍ରଦେଶର ଆର୍କୁ ଭ୍ୟାଲି ଆରବିକା କଫିକୁ ଟିଆଇ ମାନ୍ୟତା ମିଳିଥିଲା। ଏଥିରୁ କୋରାପୁଟ କଫି ବଞ୍ଚିତ ହୋଇଥିଲା। ଏହା ପଛର ବଡ଼ କାରଣ ହେଲା କୋରାପୁଟ ସ୍ଥିତ କଫି ବୋର୍ଡକୁ ଆନ୍ଧ୍ରର ଆର୍କୁ ଭ୍ୟାଲି ସ୍ଥିତ କଫି ବୋର୍ଡ ଅଧୀନରେ ରଖାଯାଇଛି। କେବଳ କୋରାପୁଟ ନୁହଁ କନ୍ଧମାଳ, ରାୟଗଡ଼ା, କେନ୍ଦୁଝର, ଗଜପତି ଏବଂ କଳାହାଣ୍ଡି ଜିଲ୍ଲା ମଧ୍ୟ ଆର୍କୁ ଭ୍ୟାଲି କଫି ବୋର୍ଡ ଅଧୀନରେ ରହିଛି।
ବର୍ତ୍ତମାନ କୋରାପୁଟ କଫିର ସ୍ବାଦ ପାଇଁ ବିଶ୍ବ ବଜାରରେ ଚାହିଦା ଅନେକ ପରିମାଣରେ ବଢ଼ି ଯାଇଛି। ତେଣୁ ଉତ୍ପାଦନକୁ ବଢ଼ାଇବା ସହ ସୁଦୂରପ୍ରସାରୀ କରିବାକୁ ରାଜ୍ୟ ସରକାର ୱେବ୍ସାଇଟ୍ ପ୍ରସ୍ତୁତ କରିଛନ୍ତି। ସେହିପରି କୋରାପୁଟ, ଭୁବନେଶ୍ବର ଏବଂ ପୁରୀ ସହରରେ ତିନୋଟି ଷ୍ଟୋର ମାଧ୍ୟମରେ ବିକ୍ରି ବ୍ୟବସ୍ଥା କରିଛନ୍ତି। ଜିଲ୍ଲାର ପ୍ରାୟ ୫ହଜାର ହେକ୍ଟର ଜମିରେ ଚାଷ ହେଉଥିବା ବେଳେ ୨୨୫୫ଜଣ ଚାଷୀ ଏଥିରେ ଯୋଡ଼ି ହୋଇ ସାରିଲେଣି। ଧୀରେ ଧୀରେ ସଚେତନତା ବଢ଼ୁଥିବାରୁ ଆଗକୁ ଆହୁରି ଅନେକ ଚାଷୀ ଏହି ଚାଷ କରିବେ ବୋଲି ଆଗ୍ରହ ଦେଖାଉଛନ୍ତି। ସେଥିପାଇଁ ପ୍ରଶାସନ ବି ଅନେକ ପଦକ୍ଷେପ ନେଉଛି। ତେବେ ଏତେ ସବୁ ହେବା ସତ୍ତ୍ବେ କୋରାପୁଟ କଫି ସ୍ବତନ୍ତ୍ରତା ଏବଂ ଅସ୍ଥିତ୍ବ ହରାଇବା ନେଇ ମତପ୍ରକାଶ ପାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆର୍କୁ ଭ୍ୟାଲି ଅଞ୍ଚଳର ପାଦେରୁ, ପେଦାବାୟୁଲୁ, ମୁଞ୍ଚିପୁଟ, ଜି.ମାଡ଼ୁଗୁଲା, ହୁକୁମପେଟା, ଆର୍କୁ, ଡୁମ୍ବରିଗୁଡ଼ା, ଅନନ୍ତନଗିରି, ଜିକ.କେଭେଦି ଓ ଚିଣ୍ଟାପାରି ଅଞ୍ଚଳରେ ବ୍ୟାପକ ପରିମାଣରେ କଫି ଚାଷ ହେଉଛି। କୋରାପୁଟ ଜିଲ୍ଲାରେ ଗତ କିଛି ବର୍ଷ ହେଲା ଚାଷ ପରିମାଣ ବଢ଼ିବାରୁ ଏହାକୁ ଆର୍କୁ ଭ୍ୟାଲି କଫି ବୋର୍ଡ ଅଧୀନରେ ରଖାଯାଇଛି। ଏପରିକି ଏହାକୁ ହିଁ ଦର୍ଶାଇ ଆର୍କୁ ଭ୍ୟାଲି କଫି ବୋର୍ଡ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଥିଲା। ଯାହାକୁ ଗ୍ରହଣ କରି ଆର୍କୁ ଭ୍ୟାଲି କଫିକୁ ଜିଆଇ ମାନ୍ୟତା ଦିଆଯାଇଛି।
ସୂଚନାଯୋଗ୍ୟ ଯେ ୧୯୩୦ ମସିହାରୁ କୋରାପୁଟ ଜିଲ୍ଲାରେ କଫି ଉତ୍ପାଦନ ହେଉଛି। ଜୟପୁର ରାଜା ରାଜବାହାଦୁର ରାମଚନ୍ଦ୍ର ଦେଓ ତାଙ୍କ ବଗିଚାରେ କଫି ଚାଷ ଆରମ୍ଭ କରିଥିଲେ। ୧୯୬୦ ମସିହା ବେଳକୁ ଏହା କୋରାପୁଟ ଜିଲ୍ଲା ସହ କନ୍ଧମାଳ, ରାୟଗଡା, କେନ୍ଦୁଝର, ଗଜପତି ଓ କଳାହାଣ୍ଡି ଜିଲ୍ଲାକୁ ବ୍ୟାପିଥିଲା। ଏବେ ବି କୋରାପୁଟ ଜିଲ୍ଲାର ଆରବିକା କଫିରେ ସ୍ୱତନ୍ତ୍ର ସ୍ବାଦ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଆଇ ଟ୍ୟାଗ୍ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ଏ ନେଇ କୋରାପୁଟ କଫି ବୋର୍ଡର ଏସ୍ଏଲ୍ଓ ଉପେନ୍ଦ୍ର ସାହା କହିଛନ୍ତି ଯେ କୋରାପୁଟ କଫିର ସ୍ୱତନ୍ତ୍ରତା ରହିଛି। ଜିଆଇ ଟ୍ୟାଗ୍ ପାଇବାକୁ ହେଲେ ଉତ୍ପାଦନ, ବ୍ୟବସାୟ ଓ ସ୍ବାଦକୁ ପ୍ରାଥମିକତା ଦେବାକୁ ପଡ଼ିବ। ଏଥିପାଇଁ ଚେଷ୍ଟା ଜାରି ରଖିଛୁ ବୋଲି କହିଛନ୍ତି।