ବ୍ରାଣ୍ଡ କୋରାପୁଟକୁ ବର୍ଷେ: ଚାଲିବାକୁ ଅଛି ବାଟ ବହୁଦୂର, ଦେଶ-ବିଦେଶରେ ପହଞ୍ଚିଛି କୋରାପୁଟ କଫି

ବର୍ଷକରେ ବିକ୍ରି ହୋଇଛି ୧୬ ଲକ୍ଷ କୋରାପୁଟ କଫି

କୋରାପୁଟ (ପତିତପାବନ ସାହୁ): କୋରାପୁଟରେ ଚାଷ ହେଉଥିଲା, କିନ୍ତୁ ବ୍ରାଣ୍ଡିଂ ହେଉଥିଲା ରାଜ୍ୟ ବାହାରେ। ଅଲଗା ନାଁରେ ଓ ଭିନ୍ନ ପରିଚୟରେ ବିକ୍ରି ହେଉଥିଲା କୋରାପୁଟିଆ କଫି। ବିଭିନ୍ନ ନାମୀ ଓ ଦାମୀ ବ୍ରାଣ୍ଡର ଭିଡ ଭିତରେ ଏହା ଏକପ୍ରକାର ସତ୍ତା ହରାଉଥିଲା। କିନ୍ତୁ ଠିକ ବର୍ଷକ ତଳେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲା କୋରାପୁଟ କଫି। ଆଉ ବର୍ଷକ ଭିତ‌ରେ ଏହା ଅନେକ ପ୍ରଶଂସା ସାଉଁଟିଛି। ଲକ୍‌ଡାଉନ ଓ ସଟଡାଉନ୍‌ କଟକଣା ‘କୋରାପୁଟ ବ୍ରାଣ୍ଡ’କୁ କିଛିଟା କ୍ଷତି ପହଞ୍ଚାଇଛି ସତ, କିନ୍ତୁ ଅଣ୍ଟା ସଳଖି ଚାଲିବାର ରାସ୍ତାରୁ ହଟାଇ ପାରିନି। ଏହି ବର୍ଷକ ଭିତରେ ଦେଶ, ବିଦେଶରେ ପ୍ରାୟ ୧୬ ଲକ୍ଷ ଟଙ୍କାର କୋରାପୁଟ କଫି ବିକ୍ରି ହୋଇଛି। ଆଉ ଏହି ସଫଳତାରେ ଉତ୍ସାହିତ ହୋଇ ଆସନ୍ତା ଦିନରେ କୋରାପୁଟ ବ୍ରାଣ୍ଡକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ।

କୋରାପୁଟର ଥଣ୍ଡା ଜଳବାୟୁ ପାଇଁ ଏଠାରେ କଫି ଚାଷ ଭଲ ହୋଇଥାଏ। କଫି ଚାଷ ପାଇଁ କୋରାପୁଟର ଏକ ସ୍ବତନ୍ତ୍ର ପରିଚୟ ରହିଥିଲେ ମଧ୍ୟ ଏଠାରେ ପ୍ରକ୍ରିୟାକରଣ ୟୁନିଟ ନ ଥିବାରୁ କଫି ଚାଷୀମାନେ ଅସୁବିଧାରେ ପଡୁଥିଲେ। ଜିଲ୍ଲାରେ ପାଖାପାଖି ୩ ହଜାର ହେକ୍ଟର ଜମିରେ କଫି ଚାଷ କରାଯାଉଥିଲାବେଳେ କୋରାପୁଟରୁ ବର୍ଷକୁ ପ୍ରାୟ ୫୫୦ ମେଟ୍ରିକ ଟନ କଫି ମଂଜି ମିଳୁଛି। ଆଗରୁ ଚାଷୀମାନେ ଏହା ବାହାରକୁ ରପ୍ତାନୀ କରୁଥିଲେ। ଏଠାରୁ ମୁଖ୍ୟତଃ ଆନ୍ଧ୍ର ଓ କର୍ଣ୍ଣାଟକକୁ କଫି ବିକ୍ରି କରା ଯାଉଥିଲାବେଳେ ସେମାନେ ନିଜ ନାମରେ ବ୍ରାଣ୍ଡିଂ କରି କଫି ବିକ୍ରି କରୁଥିଲେ। ଫଳରେ କୋରାପୁଟ କଫି ଏହାର ଅସ୍ତିତ୍ବ ହରାଉଥିଲା। ଚାଷୀଙ୍କ ସମସ୍ୟା ଦୂର କରିବା ସହ ନିଜ ପାଇଁ ପରିଚୟ ତିଆରି କରିବା ଲକ୍ଷ୍ୟ ନେଇ ରାଜ୍ୟର ପ୍ରଥମ କଫି ପ୍ରକିୟାକରଣ ୟୁନିଟ୍‌ ଗତ ସେପ୍ଟେମ୍ବର ୧୧ରେ କୋରାପୁଟରେ ଉଦଘାଟିତ ହୋଇଥିଲା। ଏଠାରେ ଚାଷ ହେଉଥିବା କଫିକୁ ପ୍ରକ୍ରିୟାକରଣ କରାଯାଇ ପାନୀୟ ଭାବେ ଗ୍ରହଣ କରିବାର ସୁବିଧା ସେଦିନୁ ପାଇଥିଲେ କୋରାପୁଟବାସୀ। ଏହା ସହ ଆନ୍ତର୍ଜାତିକ ବଜାରରେ ନିଜ ପାଇଁ ଏକ ସ୍ବତନ୍ତ୍ର ବ୍ରାଣ୍ଡ ତିଆରି ପାଇଁ ଅଣ୍ଟା ଭିଡିଥିଲା କୋରାପୁଟ କଫି।

ବର୍ଷକ ଭିତରେ ବହୁ ଉତ୍‌ଥାନ ପତନ ଦେଇ ଗତି କରିଛି କୋରାପୁଟ କଫି। ଆରମ୍ଭରୁ ଏହି କଫି ଆଦିଶା ଆଉଟଲେଟରେ ବିକ୍ରି ହେଉଥିଲା। କଫି ମଂଜିକୁ ପ୍ରକ୍ରିୟାକରଣ କରାଯାଇ ଗୁଣ୍ଡ ଆକାରରେ ବଜାରକୁ ଛଡାଯାଇଥିଲା। ପ୍ରଥମରୁ ହିଁ ଏହାର ଚା‌ହିଦା ଉଚ୍ଚା ରହିଥିଲା। କୋରାପୁଟ ଓ ଭୁବନେଶ୍ବରରେ ଏହି କଫି ମିଳୁଥିଲାବେଳେ ପରେ ଇ-କମର୍ସ ୱେବସାଇଟ ଆମାଜନରେ ମଧ୍ୟ ଉପଲବ୍ଧ ହେଲା। ଅନଲାଇନ ମାଧ୍ୟମରେ ଏହା ମିଳିବା ପରେ ଏହାର ଚାହିଦା ଏତେ ରହିଲା ଯେ, ଯୋଗାଇ ହେଲାନି। ପରେ ରାଜ୍ୟର ଆଉ କିଛି ଆଉଟଲେଟ ସହ ଭୁବନେଶ୍ବର ବିମାନବନ୍ଦରରେ ମଧ୍ୟ ଏହା ବିକ୍ରି ହେଲା। ଏମିତିରେ କୋରାପୁଟ କଫି ନିଜ ପାଇଁ ପରିଚୟ ପାଇଁ ଗଢିବାରେ ଫୁଲ ଦମ୍‌ରେ ଲାଗିଥିଲାବେଳେ କରୋନା କଟକଣା ସବୁ କିଛି ବିଗାଡି ଦେଲା।

କଫି ମଂଜି ସଂଗ୍ରହ ଏହାର ପ୍ରକ୍ରିୟାକରଣ ଓ ଏହାକୁ ବଜାରରେ ପହଞ୍ଚାଇବାରେ ସମସ୍ୟା ହେଲା। ଚାହିଦା ଥିଲେ ମଧ୍ୟ ଏହାକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇ ହେଲାନି। ତଥାପି ଏହି ବର୍ଷକ ଭିତରେ ପ୍ରାୟ ଦେଢ ଟନ କଫି ପାଉଡର ବିକ୍ରି ହୋଇଛି। ଏହାର ଆନୁମାନିକ ଦର ପ୍ରାୟ ୧୬ ଲକ୍ଷ ଟଙ୍କା ବୋଲି ପ୍ରକ୍ରିୟାକରଣ ୟୁନିଟ୍‌ ଦାୟିତ୍ବରେ ଥିବା  ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସି) ପକ୍ଷରୁ ସୂଚନା ମିଳିଛି। ଏପଟେ ଚାଷୀଙ୍କ ପାଖରୁ ସଂଗୃହୀତ ପାଖାପାଖି ୧୮ ଟନ କଫି ମଂଜି ନିଗମ ପାଖରେ ମହଜୁଦ ହୋଇ ରହିଛି। ଏହାକୁ ଏବେ ପ୍ରକ୍ରିୟାକରଣ କରି ବିକ୍ରି କରିବା ଟିଡିସିସି ପାଇଁ ବଡ ଚ୍ୟାଲେଞ୍ଜ ‌ପାଲଟିଛି। ଏଥିନେଇ  ଟିଡିସିସି ମାର୍କେଟିଂ ଅଧିକାରୀ ଆଶୁତୋଷ ନନ୍ଦ କହିଛନ୍ତି ଯେ, କରୋନା କଟକଣା ପାଇଁ କଫି ପ୍ରକ୍ରିୟାକରଣ ଓ ମାର୍କେଟିଂରେ ସମସ୍ୟା ହୋଇଛି। ତଥାପି କୋରାପୁଟ କଫିର ଆଦର ଥିବାରୁ ଏବେ ଏହାର ଅଧିକ ବଜାରୀକରଣ ଉପରେ ଗୁରୁତ୍ବ ଦେଉଛୁ। ‌ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ କହିଛନ୍ତି ଯେ, କୋରାପୁଟ କଫି କେମିତି ଅଧିକ ବିକ୍ରି ହୋଇପାରିବ ‌ସେ ସଂପର୍କରେ ଆଲୋଚନା କରିବା ପାଇଁ ବିଭିନ୍ନ ବିଭାଗକୁ ନେଇ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ଖୁବଶୀଘ୍ର ଏଥିପାଇଁ ବ୍ଲୁ-ପ୍ରିଣ୍ଟ କରାଯାଇ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।

କୋରାପୁଟ କଫି ପ୍ରକ୍ରିୟାକରଣ ୟୁନିଟର ଚନ୍ଦନ ପୋଖରୀ ପାଖରେ ଥିବା ଟିଡିସିସି ଷ୍ଟଲ ନିକଟରେ କଫି ପ୍ୟାକେଜିଂ ୟୁନିଟ କରାଯାଇଥିଲାବେଳେ ସୁନାବେଡାରେ କ୍ୟୁରିଂ ୟୁନିଟ କରାଯାଉଛି। କିନ୍ତୁ ଲକଡାଉନ କଟକଣା ପାଇଁ ଏହି କ୍ୟୁରିଂ ୟୁନିଟର କାମ ମଧ୍ୟ ବିଳମ୍ବିତ ହୋଇଛି। ତେବେ ଅଳ୍ପଦିନ ଭିତରେ ସବୁ କିଛି ଠିକଣା ଢଙ୍ଗରେ ଆଶା ରଖିଛନ୍ତି କର୍ତ୍ତୃପକ୍ଷ। କଫି ବୋର୍ଡର ବରିଷ୍ଠ ସମ୍ପର୍କ ଅଧିକାରୀ ଅଜିତ କୁମାର ରାଉତ କହିଛନ୍ତି ଯେ, କୋରାପୁଟ କଫିକୁ ବର୍ଷକ ଭିତରେ ଯଥେଷ୍ଟ ଲୋକପ୍ରିୟତା ମିଳିଛି। କିନ୍ତୁ ଅସଲ ଆହ୍ବାନ ଏବେ ଆରମ୍ଭ ହେଲା। ଲୋକଙ୍କ ଚାହିଦା ଅନୁଯାୟୀ, ସେମାନଙ୍କୁ ଉନ୍ନତ ମାନର କଫି ଯୋଗାଇବା ପାଇଁ ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର