କୋରାପୁଟ: ନନ୍ଦପୁରର ତତ୍କାଳୀନ ସିଡିପିଓ ଜଣେ ଔଷଧ ଦୋକାନୀଙ୍କ ଠାରୁ ଔଷଧ ନେଇ ଅର୍ଥ ନ ଦେବା ଘଟଣାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି କୋରାପୁଟ ସିନିଅର ଡିଭିଜନ ସିଭିଲ୍ କୋର୍ଟ। କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା ସରକାରୀ କାର୍କୁ ନିଜ ଦଖଲକୁ ନେବା ପାଇଁ ୱାରେଣ୍ଟ ଜାରି କରିଛନ୍ତି। ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୧୦ଟି ଏସି, ୧୦ଟି ଆଲମିରା, ୧୦ଟି ଚୌକି, ୧୦ଟି ଟେବୁଲ ଓ ୨୦ଟି ପଙ୍ଖା ମଧ୍ୟ ନିଜ ଦଖଲକୁ ନେବା ପାଇଁ ରାୟ ଦେଇଛନ୍ତି। ତେବେ ସିନିୟର ଡିଭିଜନ ସିଭିଲ ଜଜ୍ଙ୍କ ଆଦେଶନାମା ଆଜି କାର୍ଯ୍ୟକାରୀ ହୋଇପାରିନି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଭୟପକ୍ଷଙ୍କ ଦୀର୍ଘ ଆଲୋଚନା ଯୋଗୁଁ ସଂଧ୍ୟା ହୋଇଯିବାରୁ ଆଦେଶନାମା କାର୍ଯ୍ୟକାରୀ ହୋଇପାରି ନ ଥିବା ଜଣାପଡ଼ିଛି।
୨୦୧୦ ମସିହାରେ ନନ୍ଦପୁର ସିଡିପିଓଙ୍କ କାର୍ଯ୍ୟାଳୟକୁ ସିଏମ୍ଆରଏଫ୍ ଯୋଜନାରେ ୨୬୩୮୩୯ ଟଙ୍କାର ଔଷଧ ଯୋଗାଣ କରିଥିଲେ ନନ୍ଦପୁର ଅଞ୍ଚଳର ଔଷଧ ଦୋକାନୀ ହରେକୃଷ୍ଣ ମହାନ୍ତି। ତେବେ ଔଷଧ ବାବଦ ଟଙ୍କା ନମିଳିବାରୁ କୋର୍ଟଙ୍କ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ ହରେକୃଷ୍ଣ। ୨୦୧୪ ମସିହାରେ କୋର୍ଟରେ ମକଦ୍ଦମା ରୁଜୁ ହେବା ପରେ ୨୦୧୯ ମସିହା ଡିସେମ୍ବର ମାସ ୨୬ତାରିଖରେ ରାୟ ପ୍ରକାଶ ପାଇଥିଲା। ଆବେଦନକାରୀଙ୍କୁ ମୂଳ ସହ ସୁଧ ଫେରସ୍ତ ନିମନ୍ତେ କୋର୍ଟ ରାୟ ଦେବା ସହ ସରକାରୀ ଓକିଲଙ୍କ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଏହି ବିଷୟରେ ଜଣାଇଥିଲେ। କିନ୍ତୁ ୪ବର୍ଷ ଧରି ଏହି ନିର୍ଦ୍ଦେଶକୁ ଜିଲ୍ଲା ପ୍ରଶାସନ କାର୍ଯ୍ୟକାରୀ କରି ନଥିଲା। ତେଣୁ ଆବେଦନକାରୀ ପୁଣି କୋର୍ଟଙ୍କୁ ଅବଗତ କରାଇବାରୁ ଆଜି ପୁଣି କୋର୍ଟ ସାନି ନିର୍ଦ୍ଦେଶ ଦେଇଛନ୍ତି। ମାମଲା ଜନିତ ଖର୍ଚ୍ଚ ସହ ମୋଟ ୪୩୩୭୭୪.୯୬ ଟଙ୍କା ଦେବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଆବେଦନକାରୀଙ୍କୁ ଯଦି ଟଙ୍କା ପୈଠ ନହୁଏ ପ୍ରଶାସନର ସେତିକି ପରିମାଣର ସଂପତ୍ତି ଜବତ କରିବାକୁ ରାୟରେ ଉଲ୍ଲେଖ କରିଥିଲେ। ଏହି ସଂପତ୍ତି ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗାଡି (ଓଡି ୧୦ଡି ୦୯୯୯), ୧୦ଟି ଟେବୁଲ, ୧୦ଟି ଚୌକି, ୧୦ଟି ଏସି, ୨୦ଟି ପଙ୍ଖା ଓ ୧୦ଟି ଆଲମିରା ରହିଛି। କୋର୍ଟଙ୍କ ଆଦେଶ ମିଳିବା ପରେ ଅଦାଲତ କର୍ମଚାରୀ, ପ୍ରୋସେସ୍ ସର୍ଭେୟର ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା ହୋଇଥିଲା। ସନ୍ଧ୍ୟା ୫ଟାରେ ଉଭୟପକ୍ଷ ଆପୋସ ଆଲୋଚନା କରି ସଂପତ୍ତି ଜବତ ୱାରେଣ୍ଟକୁ ଟାଲି ଦେଇଛନ୍ତି। ଆବେଦନକାରୀଙ୍କୁ ସମସ୍ତ ଟଙ୍କା ଫେରାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି।