କୋଟିଆରେ ପହଞ୍ଚିଲେ ଜିଲ୍ଲାପାଳ

ସଂଚାର ହେଲା ନୂଆ ଆଶା, ଉନ୍ନୟନ କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ନିର୍ଦେଶ

କୋରାପୁଟ/ପଟାଙ୍ଗୀ : ଶେଷରେ କୋଟିଆରେ କୋରାପୁଟ ଜିଲ୍ଲାପାଳଙ୍କ ପାଦ ପଡିଛି। ଆଜି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ କୋଟିଆ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଙ୍ଗରେ ଲୋକ ପ୍ରତିନିଧି ମଧ୍ୟ ଯାଇ କୋଟିଆବାସୀଙ୍କ ଅଭାବ, ଅସୁବିଧାକୁ ନିଜ ଆଖିରେ ଦେଖିଛନ୍ତି। ଏପଟେ ଏହି ଅଂଚଳର ସାମଗ୍ରୀକ ବିକାଶ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ପଞ୍ଚାୟତ ଆନ୍ଧ୍ର ସୀମାରେ ରହିଛି। ସୀମାନ୍ତରେ ଥିବା ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୮ ମସିହାରୁ ବିବାଦ ଚାଲିଛି। ଏଥିନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ଉଦ୍ୟମ କରୁଛି। ତେବେ ଗତ ୯ତାରିଖରେ ବିଜୟନଗରମ ଜିଲ୍ଲାପାଳ ଓ ଡଜନେ ଅଧିକାରୀ କୋଟିଆ ଅଂଚଳକୁ ଆସି ତାଙ୍କ ରାଜ୍ୟର ସରକାରୀ ସହାୟତା ବଣ୍ଟନ କରିଥିଲେ। ଖାଲି ଏତିକି ନୁହେଁ, ଏହି କୋଟିଆ ଅଂଚଳର ବିକାଶ ପାଇଁ ସରକାର ରୋଡ ମ୍ୟାପ ପ୍ରସ୍ତୁତ କରିଥିବା କହିଥିଲେ। କୋଟିଆ ଅଂଚଳକୁ ବିକଶିତ କରିବା ପାଇଁ ଆନ୍ଧ୍ର ସରକାର ଟଙ୍କା ବର୍ଷା କରିବେ ବୋଲି ପ୍ରତିଶ୍ରୁତି ଦେଇ ସେମାନେ ଫେରିବା ପରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଥିଲା।

କୋଟିଆର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ ଓ ବିଦ୍ୟୁତୀକରଣ କରାଯାଇଥିଲା। ତେବେ ଖୋଦ୍‌ ଜିଲ୍ଲାପାଳ ଆଜି କୋଟିଆରେ ପହଞ୍ଚି ସ୍ଥିତି ପରଖିଛନ୍ତି। ବିକାଶମୂଳକ କାମର ସୀମକ୍ଷା କରିବା ସହ ଲୋକଙ୍କ ସହ ସହ ସିଧାସଳଖ କଥା ହୋଇଛନ୍ତି। ଅବହେଳାର ପାହାଡ ତଳେ ରହିଥିବା କୋଟିଆ ପାଇଁ ଏହା ନୂଆ ଆଶା ସଂଚାର କରିଛି।

ଜିଲ୍ଲାପାଳ ଆଜି ସକାଳେ ପଟାଙ୍ଗୀ ବ୍ଲକର କୋଟିଆ ଅଂଚଳରେ ଥିବା ସମସ୍ୟା ନେଇ ସମୀକ୍ଷା କରିଥିଲେ। କୋରାପୁଟ ଉପଜିଲ୍ଲାପାଳ କୃତ୍ତିବାସ ରାଉତ, ପଟାଙ୍ଗୀ ଏବିଡିଓ ସଦାଶିବ ଅଧିକାରୀ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରାଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗୀ, ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତିି ପାଙ୍ଗୀ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ପରେ ଏମାନେ ସମସ୍ତେ କୋଟିଆ ଅଭିମୁଖେ ବାହାରିଥିଲେ। ଆମ କୋଟିଆ ସଂଗଠନର ସଭାପତି ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଓ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ମଧ୍ୟ ସାଙ୍ଗରେ ଥିଲେ। ଏହି ଅଧିକାରୀ ଓ ରାଜନେତା କୋଟିଆ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ପରେ କୋଟିଆ ସେବାଶ୍ରମକୁ ଯାଇ ପିଲାଙ୍କ ସହ ଆଲୋଚନା କରିଥିଲେ। ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାମ ଦେଖିବା ସହ ଉପରସେମ୍ଭି, ଧୂଳିପଦର, ତାଡିବାଲସା, ନାରଡାବାଲସା, ଆରଜୁବାଲସା ଆଦି ଗାଁକୁ ଯାଇଥିଲେ।

ଏହି ଗାଁ ଗୁଡିକରେ ବିଦ୍ୟାଳୟ, ଅଙ୍ଗନବାଡି ଆଦି ଠିକ୍‌ ଭାବେ ଚାଲିଛି କି ନାହିଁ ତାହା ପଚାରି ବୁଝିଥିଲେ। ସେହିପରି ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଲୋକଙ୍କୁ କିପରି ମିଳୁଛି ତାହା ଜାଣିବାକୁ ଚେଷ୍ଟା କରିଥିଲେ। ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ମତାମତ ନେଇଥିଲେ। ଏହି ଅଂଚଳରେ ଥିବା ସମସ୍ୟାର ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ। ପରେ ସେମାନେ ଆନ୍ଧ୍ରର ସାଲୁର ଦେଇ ଓଡ଼ିଶା ପଟାଙ୍ଗୀ ଫେରି ଆସିଥିଲେ। ଜିଲ୍ଲାପାଳ କୋଟିଆରୁ ଫେରିବା ପରେ ପୁଣି ଥରେ ପଟାଙ୍ଗୀ ବ୍ଲକରେ ସମୀକ୍ଷା କରିଥିଲେ। କୋଟିଆ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକୁ ଅଧିକ ତ୍ୱରାନ୍ଵିତ କରିବାକୁ ସେ ବିଭାଗୀୟ ଅଧୀକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କୋଟିଆ ଅଂଚଳକୁ ଖୋଦ୍‌ ଜିଲ୍ଲାପାଳ ଯିବା ପରେ ଏହି ଅଂଚଳର ବିକାଶ ପାଇଁ ଆଶା ସଂଚାର ହୋଇଛି। ବହୁ ଦିନ ପରେ ଆଜି ଲୋକମାନେ ଜିଲ୍ଲାପାଳଙ୍କୁ ପାଖରେ ପାଇ ସେମାନଙ୍କର ଦୁଃଖସୁଖ ସବୁ କହିଥିଲେ। ଗାଁକୁ ରାସ୍ତା ସହ ବିଦ୍ୟାଳୟକୁ ଶିକ୍ଷକ ଦେବାକୁ କହିଥିଲେ। କୋଟିଆକୁ ସବୁଦିନିଆ ବସ୍‌ ପାଇଁ ମଧ୍ୟ ଗୁହାରି କରିଥିଲେ। ଅପରପକ୍ଷରେ ଜିଲ୍ଲାପାଳ ଲୋକଙ୍କୁ ନିରାଶ ନ କରି ସମସ୍ତଙ୍କ କଥା ଶୁଣିଥିଲେ। କୋଟିଆ ଅଂଚଳର ବିକାଶ ପାଇଁ ବିଭିନ୍ନ ଲୋକଙ୍କ ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯାଇଥିଲା। ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଏହି ଅଂଚଳର ବିକାଶ ପାଇଁ ଏକ ସର୍ବଦଳୀୟ କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଉନ୍ନୟନମୂଳକ କାମକୁ ଆଗେଇ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି ଯୋଗାଣାକୁ ପ୍ରଥମ ପର୍ଯ୍ୟାୟରେ ଅଧିକ ଗୁରୁତ୍ୱ ଦେବାକୁ ସ୍ଥିର ହୋଇଥିଲା।

ସମ୍ବନ୍ଧିତ ଖବର