ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ ଆସନରୁ ବିଜେଡି ମୁଣିରେ ୧୦: ମନ୍ତ୍ରୀ ଚର୍ଚାରେ ମନୋହର, ଜଗନ୍ନାଥ ଓ ରଘୁରାମ

ରାୟଗଡା : ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ ବିଧାନସଭା ଆସନରୁ ବିଜେଡି ମୁଣିକୁ ଆସିଛି ୧୦ ଆସନ। କେବଳ ୪ଟି ଆସନରେ ଦଳ ହାରିଛି। ୨୦୧୪ ନିର୍ବାଚନରେ ଦଳକୁ ୯ଟି ଆସନ ମିଳିଥିବା ବେଳେ ଏଥର ଆଉ ଗୋଟିଏ ଅଧିକ ଆସନ ମିଳିଛି। କିନ୍ତୁ ପରାଜିତ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଓ ରବି ନାରାୟଣ ନନ୍ଦ ରହିଥିବା ବେଳେ ମନ୍ତ୍ରୀ ରମେଶ ମାଝୀ ନବରଂଗପୁର ସାଂସଦ ଭାବେ ନିର୍ବାଚନ ଲଢ଼ି ସଂସଦକୁ ଯାଇଛନ୍ତି। ଏପରି ସ୍ଥିତିରେ ମନ୍ତ୍ରିମଣ୍ଡଳରେ ଅବିଭକ୍ତ କୋରାପୁଟ ଜିଲ୍ଲାର କେଉଁ ବିଧାୟକଙ୍କୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚା ଆରମ୍ଭ ହୋଇଛି। ବି‌େଶଷ କରି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଓ କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କ ନାଁ ଅଧିକ ଚର୍ଚ୍ଚାରେ ରହିଛି। ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ସରକାର ଶପଥ ନେବାକୁ ଯାଉଥିବାରୁ ସଭିଁଙ୍କ ନଜର ଏବେ ନୂଆ ମନ୍ତ୍ରିମଣ୍ଡଳ ଉପରେ ରହିଛି।

କଂଗ୍ରେସ ଓ ଜନତା ଦଳ ସରକାର ସମୟରୁ ହିଁ ଓଡ଼ିଶା ମନ୍ତ୍ରିମଣ୍ଡଳରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଗୁରୁତ୍ବ ରହି ଆସିଛି। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ନବରଂଗପୁରର ତତ୍କାଳୀନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସ୍ବର୍ଗତ ହବିବୁଲ୍ଲା ଖାଁ ଯୋଗାଣ ବିଭାଗ ସମେତ ବହୁ ଗୁରୁତ୍ବପୂର୍ଣ ବିଭାଗର ମନ୍ତ୍ରୀ ପଦ ତୁଲାଇଛନ୍ତି। ସେହିପରି ଜୟପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ସ୍ବର୍ଗତ ରଘୁନାଥ ପଟ୍ଟନାୟକ ୧୯୯୫ ଜାନକୀବଲ୍ଲଭଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥ ଓ ଆଇନ ବିଭାଗ ମନ୍ତ୍ରୀ ହୋଇଥିଲେ। ୧୯୯୦ ଜନତା ଦଳ ସରକାରରେ ଆଦିବାସୀ ନେତା ଜୟରାମ ପାଙ୍ଗୀ ପଟାଙ୍ଗୀ ଆସନରୁ ବିଜୟୀ ହୋଇ ଅବକାରୀ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ।  ୨୦୦୦ ନିର୍ବାଚନରେ ବିଜେଡି ବହୁ ଆସନରେ ବିଜୟୀ ହୋଇ ଓଡ଼ିଶାରେ ସରକାର ଗଠନ କରିଥିବାବେଳେ ନବୀନ ପଟ୍ଟନାୟକଙ୍କ ଏହି ପ୍ରଥମ ପାଳିରେ ଜୟପୁର ବିଧାୟକ ରବି ନାରାୟଣ ନନ୍ଦଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ଜଳସଂପଦ, ବିଜ୍ଞାନ ଓ କାରିଗରୀ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଶ୍ରୀ ନନ୍ଦ। ସେହିପରି ୨୦୦୯ ନିର୍ବାଚନରେ ମଧ୍ୟ ରବି ନନ୍ଦ ବିଜୟୀ ହେବା ପରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ। ସେହିପରି ରାୟଗଡା ବିଧାୟକ ଲାଲ୍ ବିହାରୀ ହିମିରିକା ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜୟୀ ହେବା ପରେ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗର ମନ୍ତ୍ରୀ ପଦ ତୁଲାଇଥିଲେ। ଏଥି ସହିତ ଝରିଗାଁର ତତ୍କାଳୀନ ବିଧାୟକ ରମେଶ ମାଝୀ ୨୦୦୯ ଓ ୨୦୧୪ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଁ ବିଜ୍ଞାନ ଓ କାରିଗରୀ କୌଶଳ, ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ଓ ପରିବହନ ବିଭାଗର ମନ୍ତ୍ରୀ ପଦ ତୁଲାଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ରମେଶ ମାଝୀ ବିଧାନସଭା ବଦଳରେ ନବରଂଗପୁର ଲୋକସଭା ଆସନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ସେହିପରି ଲାଲ୍ ବିହାରୀ ହିମିରିକା ରାୟଗଡା ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି। ମନ୍ତ୍ରିମଣ୍ଡଳରେ କ୍ରମାଗତ ଭାବେ ସାମିଲ୍ ହୋଇ ଆସୁଥିବା ଏହି ଦୁଇ ତୁଙ୍ଗ ନେତାଙ୍କ ପରେ ଦଳର ସୁପ୍ରିମୋ ଏବେ କାହା ଉପରେ ଭରସା କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଚର୍ଚାରେ ଥିବା ମନୋହର ରନ୍ଧାରୀ ଦୁଇ ଥର ୨୦୦୯, ୨୦୧୪ ନିର୍ବାଚନରେ ନବରଂଗପୁର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୯ରେ ଡାବୁଗାଁ ବିଧାୟକ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ବି.ଏ ଶିକ୍ଷାଗତ ଯୋଗ୍ୟତା ରଖିଥିବା ରନ୍ଧାରୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ନେଇ ନବରଂଗପୁରବାସୀ ଆଶାୟୀ ଅଛନ୍ତି। ସେହିପରି ଦ୍ବିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଷମକଟକ ବିଧାୟକ ଜଗନ୍ନାଥ ସାରକାଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଆ‌ଶାୟୀ ଅଛନ୍ତି ରାୟଗଡ଼ା ଜିଲ୍ଲାବାସୀ। ଆଇନ ପାଠ ପଢ଼ିବା ସହ ଭଲ ଶିକ୍ଷାଗତ ଯୋଗ୍ୟତା ରଖିଥିବା ଜଗନ୍ନାଥଙ୍କୁ ଦଳ ଅଣଦେଖା କରିବେ ନାହିଁ ବୋଲି ମଧ୍ୟ ମତ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ୨୦୧୪ ମସିହା ପରଠାରୁ ମନ୍ତ୍ରୀ ପଦରୁ ବଂଚିତ କୋରାପୁଟ ଜିଲ୍ଲାବାସୀ ଓ ଦଳୀୟ କର୍ମକର୍ତା ଚଳିତ ଥର ମନ୍ତ୍ରୀ ପଦ ହାତେଇବାକୁ ଲବି ଆରମ୍ଭ କରିଛନ୍ତି। ରବି ନନ୍ଦ କ୍ରମାଗତ ଭାବେ ଦୁଇ ନିର୍ବାଚନରେ ପରାଜିତ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ଜିଲ୍ଲାର ୫ ବିଧାନସଭା ଆସନରୁ ୪ଟିରେ କଂଗ୍ରେସ ବିଜୟୀ ହୋଇଥିଲା। ଗତ ନିର୍ବାଚନରେ ରଘୁରାମ ପଡାଲଙ୍କ ବଦଳରେ ଦଳ ରଘୁରାମ ମାଛଙ୍କୁ ପ୍ରାର୍ଥୀ କରିବା ଯୋଗୁ ଦଳକୁ ପରାଜିତ ହେବାକୁ ପଡିଥିଲା। ଏ ଥର କିନ୍ତୁ ରଘୁରାମ ବିଜୟୀ ହୋଇଛନ୍ତି। ଦଶମ ଶ୍ରେଣୀରୁ କମ୍ ପାଠ ପଢ଼ିଥିବା ରଘୁରାମ ସରକାରୀ ଓ ବେସରକାରୀ ସ୍ତରରେ ନିଜ ଭାବମୂର୍ତିକୁ ଅକ୍ଷୁଣ୍ଣ ରଖିଥିବାରୁ ମନ୍ତ୍ରୀ ପଦ ମିଳିଲେ ଦାୟିତ୍ବ ତୁଲାଇବାରେ  କୌଣସି ଅସୁବିଧା ହେବନାହିଁ ପ୍ରକାଶ କରିଛନ୍ତି। ଅନ୍ୟପଟେ କଂଗ୍ରେସର ଗଡ଼କୁ ଭାଙ୍ଗିବାରେ ସଫଳ ହୋଇଥିବା କୋଟପାଡ ବିଧାୟିକା ପଦ୍ମିନୀ ଦିଆନ ବି ଜଣେ ମହିଳା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ବୋଲି ପୂର୍ବାନୁମାନ କରାଯାଉଛି। ତେବେ ଦଳୀୟ ସୁପ୍ରିମୋଙ୍କ କୃପା ଦୃଷ୍ଟି କାହା ଉପରେ ପଡୁଛି ଏବଂ କିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବ ତାକୁ ନେଇ ଉତ୍କଣ୍ଠା ବଢ଼ି ଚାଲିଛି।

ସମ୍ବନ୍ଧିତ ଖବର