ଜୟପୁର: କୋରାପୁଟ ଜିଲ୍ଲାର ବଡ଼ ସହର ଜୟପୁରରେ ଦିନକୁ ଦିନ ହୁହୁ ହୋଇ ବଢ଼ୁଛି ଜନସଂଖ୍ୟା। ଆଉ ସେହି ମାତ୍ରାରେ ଘର ସଂଖ୍ୟା ବି ବଢ଼ିଚାଳିଛି। ଅଥଚ ୩୪ବର୍ଷ ତଳର ବେଂଚମାର୍କ ଓ ସର୍ଭେକୁ ନେଇ ସହରର ବହୁ ପୁରୁଣା ସାହି, ଗଳି ଓ ଅଂଚଳରୁ ଏବେ ବି ସେହି ୩୪ବର୍ଷ ତଳର ଧାର୍ଯ୍ୟ ଦରର ଟ୍ୟାକ୍ସ ହିଁ ଆଦାୟ ହେଉଛି। କିଛି ନୂଆ ନୂଆ କଲୋନୀ ଓ ସାହି ଗୁଡିକର ଜମିର ବେଂଚମାର୍କ ଭେଲ୍ୟୁକୁ ନେଇ ଏବେ ହୋଲଡିଂ ଟ୍ୟାକ୍ସ ଆଦାୟ ହେଉଥିବା ପୌରପାଳିକା ପକ୍ଷରୁ ସୂଚନା ମିଳିଛି। ଏହା ବାଦେ ବି ବହୁ ଲୋକେ ପ୍ରତିବର୍ଷ ବକେୟା ବି ରଖୁଛନ୍ତି। ଏହି ସ୍ଥିତିରେ ଜୟପୁର ପୌରପାଳିକାର ପ୍ରମୁଖ ଆୟସ୍ରୋତରୁ ପ୍ରତିବର୍ଷ ଲକ୍ଷଲକ୍ଷର ରାଜସ୍ବ ହରାଇ ଚାଳିଛି। ତେବେ ସଂପ୍ରତି ଗୃହ ଓ ନଗର ଉନ୍ନୟନ ବିଭାଗ ର ସ୍ବତନ୍ତ୍ର ବେଂଚମାର୍କ ଭେଲ୍ୟୁସନ୍ ଦଳ ପାଇଁ ପୌରପାଳିକା ଟଙ୍କା ବାନ୍ଧିଥିବାରୁ ଏହି ଦଳ ଆସି ସର୍ଭେ କରିବା ପରେ ଏବଂ ଏହା କାର୍ଯ୍ୟକାରୀ ହେଲେ ପୌରପାଳିକା ଠିକ ଭାବେ ନିଜ ଆୟର ସ୍ରୋତ ପାଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
୧୯୮୬ମସିହାରେ ସର୍ଭେ ପରେ ପୁଣି ୧୯୯୨ମସିହାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ବେଂଚମାର୍କ ଭେଲ୍ୟୁସନ୍ ଦଳ ଆସି ସର୍ଭେ କରି ହୋଲଡିଂ ଟ୍ୟାକ୍ସ ଧାର୍ଯ୍ୟ କରିଥିଲେ। ତେବେ ଏହା ଅଧିକା ବୋଲି ରାଜନୈତିକ ନେତୃବୃନ୍ଦ ଓ ଲୋକେ ବିରୋଧ କରିବା ପରେ ଏହା ଆଉ କାର୍ଯ୍ୟକାରୀ ନହୋଇ ଏହା ଶୀତଳଭଣ୍ଡାରକୁ ଚାଳିଯାଇଛି। ୨୦୨୦-୨୧ରେ ୧୧ହଜାର ୨୨୬ଟି ଘରରୁ ହୋଲଡିଂ ଟ୍ୟାକ୍ସ କୋଟିଏ ୧୨ଲକ୍ଷ ଟଙ୍କା ଟ୍ୟାକ୍ସ ଆଦାୟ କରିବା ଧାର୍ଯ୍ୟ ଥିବା ବେଳେ ୫୩ଲକ୍ଷ ୨୦ହଜାର ଟଙ୍କାର ଟ୍ୟାକ୍ସ ଆଦାୟ ହୋଇଥିବା ବେଳେ ୫୯ଲକ୍ଷ ଟଙ୍କା ଆଦାୟ ନ ହୋଇ ବକେୟା ସେଭଳି ପଡି ରହିଥିବା ପୌରପାଳିକା କାର୍ଯ୍ୟାଳୟସୂତ୍ରରୁ ସୂଚନା ମିଳିଛି।
ସହରର ୨୮ଟି ୱାର୍ଡରେ ୩୫ରୁ ଉର୍ଦ୍ଧ୍ବ ସାହି ଓ ୫୦ରୁ ଉର୍ଦ୍ଧ୍ବ ଗଳି, ନୂଆ ନୂଆ କଲୋନିରେ ସହରର ଜନସଂଖ୍ୟା ଏକ ଲକ୍ଷ ୨୦ହଜାରରୁ ଉର୍ଦ୍ଧ୍ବ ହେବା ପରେ ଏତେ ସଂଖ୍ୟକ ଲୋକେ ରହିବା ପାଇଁ ୨୦ହଜାରରୁ ଉର୍ଦ୍ଧ୍ବ ଘରର ଆବଶ୍ୟକତା ରହିଛି। ସର୍ଭେ ହୋଇ ନଥିବାରୁ ଯେଉଁ ମାତ୍ରାରେ ଘର ସଂଖ୍ୟା ବଢ଼ିବା କଥା ବଢ଼ିନି। କେବଳ ଅଳ୍ପ କିଛି ନୂଆ ନୂଆ ଘର ହିଁ ବଢ଼ିଛି। ଅପର ପକ୍ଷରେ ଘର ସଂଖ୍ୟା ଯଦିଓ ବଢ଼ି ନଥିଲେ ହେଁ ସହରର ସବୁ ସାହି, ଗଳି, ନୂଆ ନୂଆ କୋଲନିକୁ ପୌରପାଳିକା ପକ୍ଷରୁ ସ୍ବେରେଜ(ନାଳ) ବ୍ୟବସ୍ଥା କରିବା ସହ ପାନୀୟ ଜଳ, ବିଦ୍ୟୁତ ସେବା , ସଫେଇ ଆଦି ସେବା ଯୋଗାଇ ଆସୁଛି। ଏଥି ପାଇଁ ପୌରପାଳିକାକୁ ବର୍ଷକୁ ୧୫କୋଟି ଖର୍ଚ୍ଚ ବି ହେଉଛି। ତେବେ ଖର୍ଚ୍ଚ ଅନୁଯାୟୀ ହୋଲଡିଂ ଟ୍ୟାକ୍ସ ଆଦାୟ ହୋଇ ପାରୁନି।
ବିଭିନ୍ନ ସମୟରେ ପୌରପରିଷଦକୁ ଆସୁଥିବା ବିଭିନ୍ନ ରାଜନୈତିକ ନେତୃମଣ୍ଡଳୀ, ଲୋକପ୍ରତିନିଧି ମାନେ ଏହି ଆଦାୟକୁ ଗୁରୁତ୍ବ ହିଁ ଦେଉ ନାହାନ୍ତି କି ପାରିଷଦ ବୈଠକରେ ଆଲୋଚନାକୁ ହିଁ ଏହି ପ୍ରସଙ୍ଗ ନେଉ ନାହାନ୍ତି। ଭୋଟବ୍ୟାଙ୍କ ଭାବେ ପରିବର୍ତ୍ତିତ କରିବା ପାଇଁ ଏହା କରାଯାଉଥିବା ବେଳେ ପୌରପରିଷଦ ରାଜସ୍ବ କ୍ଷତି ସହୁଛି। ଗୃହ ଓ ନଗର ଉନ୍ନୟନ ବିଭାଗର ବେଂଚମାର୍କ ଭେଲ୍ୟୁସନ୍ ଦଳ ଆସି ସର୍ଭେ କରିବା ପାଇଁ ଟଙ୍କା ବନ୍ଧା ସରିଛି, ଅତି ଶୀଘ୍ର ଏହି ସର୍ଭେ ଦଳ ଆସି ସର୍ଭେ କରିବା ପରେ ନୂଆ ହୋଲଡିଂ ଟ୍ୟାକ୍ସ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ। ବହୁ ପୁରୁଣା ସର୍ଭେକୁ ନେଇ ହୋଲଡିଂ ଟ୍ୟାକ୍ସ ଆଦାୟ ହେଉଛି, ଏହା ଦ୍ବାରା ପୌରପରିଷଦ ବ୍ୟାପକ କ୍ଷତି ସହୁଛି ବୋଲି କହିଛନ୍ତି ଶ୍ରୀ ସୟ।