ଜୟପୁର: କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ନୂଆ ସଭାପତି ଭାବେ ଦୁର୍ଗା ଶଙ୍କର ସାହୁ ଦାୟିତ୍ବ ନେବା ପରେ ଆଜି ପ୍ରଥମ ବୈଠକ ଡାକିଥିଲେ। ଜିଲ୍ଲା କଂଗ୍ରେସ ଭବନରେ ବ୍ଲକ ଓ ନଗର ସଭାପତିଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସଭାପତି ଶ୍ରୀ ସାହୁ ଅଧ୍ୟକ୍ଷତା କରିଥିଲେ। କିନ୍ତୁ ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅନୁପସ୍ଥିତ ଥିବାରୁ ଦଳ ଭିତର ଫାଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ୨୦୨୪ ନିର୍ବାଚନ ପୂର୍ବରୁ ଜିଲ୍ଲାରେ ଦଳକୁ ଅଧିକ ସଙ୍ଗଠିତ କରିବାକୁ ସଭାପତି ଉଦ୍ୟମ କରୁଥିବା ବେଳେ ପ୍ରଥମ ବୈଠକରେ ଅଧିକାଂଶଙ୍କ କିଛି ବ୍ଲକ ଓ ନଗର ସଭାପତିଙ୍କ ଅନୁପସ୍ଥିତି କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

Advertisment

ବୈଠକରେ ଜିଲ୍ଲା ସଭାପତି ଶ୍ରୀ ସାହୁଙ୍କ ସମେତ କୋଟପାଡ଼ ଏନଏସିର ଅଧ୍ୟକ୍ଷ ଏନ୍ .ଶଙ୍କର ରାଓ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ କୋଟପାଡ଼ ବ୍ଲକ ସଭାପତି ପପୁନ ତ୍ରିପାଠୀ, ନଗର ସଭାପତି ପ୍ରକାଶ ମହାନ୍ତି, ଲମତାପୁଟ ବ୍ଲକ ସଭାପତି କୃପାସିନ୍ଧୁ ମୁଦୁଲି, ସେମିଳିଗୁଡା ବ୍ଲକ ସଭାପତି ସୋନିଆ ମାଝୀ, ପଟ୍ଟାଙ୍ଗି ବ୍ଲକ ସଭାପତି ଅର୍ଜୁନ ବାକା, ବନ୍ଧୁଗାଁ ବ୍ଲକ ସଭାପତି ଡି.ଏଙ୍କେଟି, ସୁନାବେଡ଼ା ନଗର ସଭାପତି ଉପସ୍ଥିତ ଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପିକୁ ମୁକାବିଲା ପାଇଁ ବୈଠକରେ ସ୍ବତନ୍ତ୍ର ରଣନୀତି କରିବାକୁ ଆଲୋଚନା ହୋଇଥିଲା। ୱାର୍ଡ କମିଟିର ତାଲିକା ଗୁଡିକୁ ପୁଣି ଥରେ ନୂଆ ଜିଲ୍ଲା ସଭାପତିଙ୍କ ନିକଟରେ ଦାଖଲ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସମସ୍ତେ ମିଳିମିଶି ଦଳକୁ ଆଗକୁ ନେବା ପାଇଁ ଜିଲ୍ଲା ସଭାପତି ଶ୍ରୀ ସାହୁ ଆହ୍ବାନ ଦେଇଥିଲେ। କୌଣସି ପରିସ୍ଥିତିରେ ବିଶୃଙ୍ଖଳାକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ସଭାପତି କହିଥିଲେ। ଦଳର ବିଚାରକୁ ନେଇ ଆଗକୁ ବଢ଼ି ବିଜେଡି ଓ ବିଜେପିକୁ ମୁକାବିଲା କରିବାକୁ ପଡ଼ିବ ବୋଲି ସଭାପତି କହିଥିଲେ।

ତେବେ ବୈଠକରେ ଜୟପୁର ବ୍ଲକ, ପୌରାଞ୍ଚଳ, କୋରାପୁଟ ବ୍ଲକ ଓ ପୌରାଞ୍ଚଳ‌, ଦଶମନ୍ତପୁର, ଲକ୍ଷ୍ମୀପୁର, ବୋରିଗୁମ୍ମା, ବୈପାରିଗୁଡା, କୁନ୍ଦୁରା ବ୍ଲକର ସଭାପତି, ନୂତନ ଭାବେ ନିର୍ବାଚିତ ଜିଲ୍ଲା ଯୁବ କଂଗ୍ରେସ ଓ ନିର୍ବାଚନ ମଣ୍ଡଳୀ ସଭାପତିଙ୍କ ସହ ବିଭିନ୍ନ ମୋର୍ଚ୍ଚାର ସଭାପତି ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅନୁପସ୍ଥିତ ରହିଥିଲେ। ଏ ସମ୍ପର୍କରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସାହୁଙ୍କୁ ପଚାରିବାରୁ କେବଳ ବ୍ଲକ ଓ ନଗର ସଭାପତିଙ୍କ ମତ ନେବାକୁ ବୈଠକ ଡକାଯାଇଥିଲା। ପରବର୍ତ୍ତୀ ଦିନରେ ଅନ୍ୟ ମୋର୍ଚ୍ଚା ଓ କର୍ମକର୍ତ୍ତାଙ୍କୁ ଡାକି ବୈଠକ କରାଯିବ। ଇଚ୍ଛାଶକ୍ତିର ଅଭାବ ଓ ବିଗତ ଦିନର ଅଭ୍ୟାସ ଯୋଗୁ କିଛି ଜଣ ଏବଂ ବ୍ୟକ୍ତିଗତ କାମ ଯୋଗୁ କିଛି ଅନୁପସ୍ଥିତ ରହିଥିବା କହିଛନ୍ତି ଜିଲ୍ଲା ସଭାପତି। ଏ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ପଚାରିବାରୁ ବୈଠକ ସଂପର୍କରେ କିଛି ଫୋନ, ଚିଠି କିମ୍ବା ୱାଟସ୍ଅପରେ ସୂଚନା ପାଇନଥିବା କହିଛନ୍ତି। ସୂଚନା ପାଇଥିଲେ ନିଶ୍ଚିତ ଭା‌ବେ ବୈଠକରେ ଉପସ୍ଥିତ ରହିଥାନ୍ତି ବୋଲି କହିଛନ୍ତି ତାରା।