କୋରାପୁଟ : ପ୍ରାଣୀ ପ୍ରଜନନ ପଞ୍ଜୀକରଣରେ କୋରାପୁଟ ଜିଲ୍ଲା ମଣ୍ଡା ମଇଁଷିକୁ ଜାତୀୟ ମାନ୍ୟତା ମିଳିଛି। ନ୍ୟାସ୍ନାଲ ବ୍ୟୁରୋ ଅଫ୍ ଆନିମଲ ଜେନେଟିକ ରିସୋର୍ସ (ଏନବିଏଜିଆର) ପକ୍ଷରୁ ଏହି ପ୍ରଜାତିର ମହିଁଷିକୁ ଦେଶର ୧୯ତମ ସ୍ବତନ୍ତ୍ର ବ୍ରିଡ୍ ମାନ୍ୟତା ଦିଆଯାଇଛି। ଏହି ମହିଁଷିର ପରଜୀବୀ ସଂକ୍ରମଣ ପ୍ରତିରୋଧୀ ଏବଂ ରୋଗ ପ୍ରତିରୋଧୀ ଗୁଣ ରହିଛି। ପ୍ରତିକୂଳ ପରିବେଶରେ ବଞ୍ଚି ରହିବା ସହ ପ୍ରଜନନ କରିପାରେ। ଓଡ଼ିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହି ମଇଁଷି ପ୍ରଜାତିର ବୀଜାଣୁ ସଂପର୍କରେ ପ୍ରଥମେ ଚିହ୍ନଟ ଏବଂ ଅନୁଧ୍ୟାନ କରାଯାଇ ଥିଲା। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ମିଳିତ ସହଯୋଗରେ ତଥା ତତ୍କାଳୀନ ବିଭାଗୀୟ ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ ଏବଂ ପ୍ରାଣୀ ବଂଶାବଳୀ ବିଶେଷଜ୍ଞ ଡା. ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ସବିଶେଷ ସର୍ବେକ୍ଷଣ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାର ପୂର୍ବଘାଟ ପର୍ବତମାଳାର ଭୌଗୋଳିକ ବିଭାଜନ ସ୍ଥିତି ତଥା କୋରାପୁଟର ମାଳଭୂମି ସ୍ଥିତି ଯୋଗୁ ମଣ୍ଡା ମଇଁଷିର ସ୍ୱତନ୍ତ୍ର ପ୍ରଜନନ ପ୍ରକ୍ରିୟା ରହିଛି। କେବଳ ଓଡ଼ିଶାରେ ହିଁ ଏହି ପ୍ରଜାତିର ମଇଁଷି ଦେଖିବାକୁ ମିଳନ୍ତି। ଆକାରରେ ଛୋଟ ହେଲେ ମଧ୍ୟ ବେଶ୍ ହୃଷ୍ଟପୃଷ୍ଟ। ତେଣୁ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଚାଷ କାର୍ଯ୍ୟରେ ବି ନିୟୋଜିତ କରାଯାଉଛି। ରଙ୍ଗ ଧୂସର ପାଉଁଶିଆ ହୋଇଥିବା ବେଳେ ତମ୍ବାଳିଆ ରଙ୍ଗର ଲୋମ ଦେଖାଯାଏ। ଗୋଡ଼ର ତଳ ଭାଗରୁ ଗଣ୍ଡି ପର୍ଯ୍ୟନ୍ତ ଫିକାରଙ୍ଗ ଓ ଆଣ୍ଠୁ ପାଖରେ ତମ୍ବାଳିଆ ରଙ୍ଗ ଲୋମ ଦେଖାଯାଏ। ଏପରିକି କେତେକ ମଇଁଷିଙ୍କ ରୂପେଲି ଧଳା ରଙ୍ଗର ଦେହ ହୋଇଥାଏ। ପ୍ରାୟତଃ କୌଣସି ସଂକ୍ରମଣ ହୋଇନଥାଏ ଏବଂ ବିଶେଷ ରୋଗରେ ଆକ୍ରାନ୍ତ ହେବାର ନଜିର ନାହିଁ। ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉତ୍ତମ ଭାବେ ରହିବା ସହ ପ୍ରଜନନ କ୍ଷେତ୍ରରେ ମଧ୍ୟ ସଫଳ। ବର୍ତମାନ ପ୍ରାୟ ୧ଲକ୍ଷ ମଇଁଷି ମାଳ ଅଂଚଳରେ ରହିଥିବା ବେଳେ ଏଠାକାର ଅଧିବାସୀଙ୍କ ଦୁଗ୍ଧ ଚାହିଦା ମେଣ୍ଟାଇ ସମସ୍ତ ପ୍ରକାର ଚାଷ କାର୍ଯ୍ୟରେ ମଧ୍ୟ ନିୟୋଜିତ ହେଉଛନ୍ତି। କ୍ଷୀର ଉତ୍ପାଦନ କ୍ଷମତା ପ୍ରତିଥରରେ ହାରାହାରି ୨ରୁ ୨.୫ ଲିଟର ହୋଇଥିବା ବେଳେ ଏଥିରେ ୮ପ୍ରତିଶତ ଚର୍ବି ଅଂଶ ରହିଥାଏ। ବିଶେଷ କ୍ଷେତ୍ରରେ ଏହି ମଇଁଷି ୪ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି। ୩ ବର୍ଷର ହେବା ବେଳକୁ ପ୍ରାପ୍ତ ବୟସ୍କା ହୋଇଥାଏ ଏବଂ ୪ ବର୍ଷ ହେବା ବେଳକୁ ପ୍ରଜନନ କରିଥାଏ। ୨୦ବର୍ଷ ପର୍ଯ୍ୟନ୍ତ ପ୍ରତି ଦେଢ଼ରୁ ୨ ବର୍ଷ ବ୍ୟବଧାନରେ ପ୍ରସବ କରିଥାଏ। ଜାତୀୟ ମାନ୍ୟତା ପାଇବା ପରେ ଓଡ଼ିଶାର ଅନ୍ୟାନ୍ୟ ପ୍ରଜାତିର ପ୍ରାଣୀ ସମ୍ବଳକୁ ଭାରତ ସରକାର ତଥା ରାଜ୍ୟ ସରକାର ସଂରକ୍ଷଣ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।
ବିଞ୍ଝାରପୁର, ମୋଟୁ, ଘୁମୁସର ଏବଂ ଖରିଆର ଅଂଚଳରେ ୪ଟି ଗୋ ପ୍ରଜାତି, ଚିଲିକା ଓ କଳାହାଣ୍ଡିର ୨ ପ୍ରଜାତି ମଇଁଷି ଏବଂ କେନ୍ଦ୍ରାପଡ଼ାର ଗୋଟିଏ ପ୍ରଜାତି ମେଣ୍ଢା ପଞ୍ଜୀକରଣ କ୍ଷେତ୍ରରେ ଶ୍ରୀ ସେଠୀ ଏବଂ ଡା. ଦାଶଙ୍କ ମିଳିତ ପ୍ରୟାସ ତଥା ବିଶେଷ ଅବଦାନ ରହିଛି। ବର୍ତ୍ତମାନ ରାଜ୍ୟରେ ସମସ୍ତ ପ୍ରଜାତି ନିମନ୍ତେ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସମଗ୍ର ଦେଶରେ ସଂରକ୍ଷଣ ପ୍ରକ୍ରିୟା କ୍ଷେତ୍ରରେ ବିଞ୍ଝାରପୁର ଗୋ-ବୀର୍ଯ୍ୟ ଉତ୍ପାଦନ ଏବଂ ଏହାର କୃତ୍ରିମ ପ୍ରଜନନ ପଦ୍ଧତିରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି।