କୋରାପୁଟ ଛାତ୍ରୀ ଗଣଦୁଷ୍କର୍ମ ମାମଲା : ୪ ସଂପର୍କୀୟଙ୍କୁ ଉଠାଇନେଲା ପୁଲିସ

ପୀଡ଼ିତାଙ୍କ ପରିବାର ଅସନ୍ତୁଷ୍ଟ, କଂଗ୍ରେସର ପଦଯାତ୍ରା ଆଜି

କୋରାପୁଟ :କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୁଲିସ ୪ଜଣଙ୍କୁ ଉଠାଇ ନେଇଛି। ଏହି ୪ଜଣ ପୀଡିତାଙ୍କ ସଂପର୍କୀୟ ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ଏଥିନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲାବେଳେ ଏହାକୁ ନେଇ ଆଜି ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ଏପଟେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ପଦଯାତ୍ରା ଆରମ୍ଭ ହେଉଛି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳ ମୂଷାଗୁଡା ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରୀ ଗତ ମଙ୍ଗଳବାର ପୂର୍ବାହ୍ନରେ ଫଟୋ ଉଠାଇ କୁନ୍ଦୁଲିରୁ ଫେରୁଥିବା ସମୟରେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ଯବାନ ପୋଷାକ ପିନ୍ଧିଥିବା ୪ଜଣ ଯୁବକ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରିଯାଇଥିଲା। ଏହି ଘଟଣାର ତଦନ୍ତ କେତେବାଟ ଆଗେଇଛି ତାହା ସ୍ପଷ୍ଟ ହୋଇନାହିଁ। ଏପଟେ ପୀଡିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ତାଙ୍କର ୪ଜଣ ସଂପର୍କୀୟ ଯୁବକଙ୍କୁ ପୁଲିସ ଗତକାଲିଠାରୁ ଉଠାଇ ନେଇଛି। ପଚରାଉଚୁରା କରିବାକୁ ଡାକି ନେଇ ଆଜି ପର୍ଯ୍ୟନ୍ତ ଛାଡ଼ିନି। ସମସ୍ତଙ୍କ ଘର ମୂଷାଗୁଡ଼ାରେ। ଏମାନେ ପୀଡ଼ିତାଙ୍କର ନିକଟ ସଂପର୍କୀୟ। ଗତକାଲି ରାତିରେ ଏମାନଙ୍କ ଭିତରୁ ୨ଜଣଙ୍କୁ ଡାକ୍ତରଖାନା ଅଣାଯାଇ ପୀଡ଼ିତାଙ୍କ ସାମ୍‌ନାରେ ଜେରା କରାଯାଇଥିବା ତାଙ୍କ ପରିବାର କହିଛନ୍ତି।

ଏହାକୁ ନେଇ ପୀଡ଼ିତାଙ୍କ ପରିବାର ଓ ସଂପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସର ଏମିତି କାମକୁ ପରିବାର ଲୋକ ବିରୋଧ କରୁଥିଲା ବେଳେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ତଦନ୍ତ ଚାଲିଛି ଏବଂ ବହୁ ଲୋକଙ୍କୁ ପଚରାଉଚୁରା କରିବା ପାଇଁ ଡକାଯାଉଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏପଟେ ଏହି ମାମଲା ସିବିଆଇ କିମ୍ବା ଏନଆଇଏ ଦ୍ୱାରା ତଦନ୍ତ କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ପୀଡ଼ିତାଙ୍କ ଅବସ୍ଥା ଧୀରେ ଧୀରେ ଉନ୍ନତି କରୁଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଆଜି ବିଜେଡି ଦଳିତ ସେଲର ଏକ ପ୍ରତିନିଧି ମଣ୍ଡଳୀ ଓ ବିଜେପି ଜିଲ୍ଲା ସଭାପତି ବିଜୟ ମିଶ୍ର ଓ ବରିଷ୍ଠ ନେତା ଜୟରାମ ପାଙ୍ଗୀ ଡାକ୍ତରଖାନକୁ ଆସି ପୀଡିତାଙ୍କ ସହ ଆଲୋଚନା କରିଛନ୍ତି।

ଅଭିଯୁକ୍ତ ଧରା ପଡୁ ନ ଥିବାରୁ କଂଗ୍ରେସ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଇଛି। ଫଳରେ ସକାଳ ୬ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ଅଚଳ ହୋଇ ପଡିଥିଲା। ତେବେ ବନ୍ଦ ବେଳେ ଜିଲ୍ଲାରେ କୌଣସି ସ୍ଥାନରେ ହିଂସାକାଣ୍ଡ ନେଇ ଖବର ଆସିନି। ଏଥିସହିତ ଆସନ୍ତାକାଲିଠାରୁ ଏକ ପଦଯାତ୍ରା ଆରମ୍ଭ ହେଉଛି। ଏହି ପଦଯାତ୍ରାରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ବହୁ ବରିଷ୍ଠ ନେତା ସାମିଲ ହେବେ ବୋଲି ସୂଚନା ଦିଆଯାଇଥିବା ବେଳେ ଏ ନେଇ ତାଙ୍କୁ କିଛି କୁହାଯାଇନି ବୋଲି ଆଜି ସଂଧ୍ୟାରେ ଶ୍ରୀ ବାହିନୀପତି ଏକ ସମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି।

ସମ୍ବନ୍ଧିତ ଖବର