ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ କୁନ୍ଦୁଲି ପୀଡ଼ିତା

ପୀଡ଼ିତାଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକତା ରହିଛି: ଡାକ୍ତର

କଟକ : ଗତ ୮ଦିନ ଧରି କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହୋଇଥିବା କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଆଜି ଡିସ୍‌ଚାର୍ଜ କରାଯାଇଛି। ସେ ସଂପୂର୍ଣ୍ଣ ସୁସ୍ଥ ଥିବାବେଳେ ତାଙ୍କର ସାଇକାଟ୍ରିକ୍‌ ଥେରାପିର ଆବଶ୍ୟକତା ରହିଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ତାଙ୍କ ପରିବାରବର୍ଗଙ୍କ ଜିଦ୍‌ ଏବଂ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଧାରଣା ଯୋଗୁଁ ମେଡିକାଲ୍‌ କର୍ତ୍ତୃପକ୍ଷ ପୀଡ଼ିତାଙ୍କୁ ଡିସ୍‌ଚାର୍ଜ କରିବାକୁ ବାଧ୍ୟ ହୋଇଛନ୍ତି। ତଥାପି ଆଜି ମେଡିକାଲ୍‌ ବୋର୍ଡର ବୈଠକ ବସିବା ପରେ ପୀଡ଼ିତାଙ୍କୁ କୋରାପୁଟ ଡିସିପିଓ ଓ ତାଙ୍କ ମା’ଙ୍କ ମିଳିତ ହେପାଜତରେ ଛଡ଼ାଯାଇଛି। ଏଥିସହିତ ପୀଡ଼ିତାଙ୍କୁ ପାଣ୍ଟାପ୍ରାଜୋଲ୍‌ ବଟିକା ଓ ସୁକ୍ରାଲଫେଟ୍‌ ସିରପ୍‌ ଖାଇବାକୁ ପରାମର୍ଶ ଦିଆଯାଇଛି।

ପୀଡ଼ିତାଙ୍କୁ ମାନସିକ ରୋଗ ଓ୍ଵାର୍ଡଙ୍କୁ ନିଆଯାଉଥିବା ନେଇ ଭ୍ରାନ୍ତ ପ୍ରଚାର କରାଯାଉଥିବା ବେଳେ ତାଙ୍କୁ ଆଡୋଲସେଣ୍ଟ ଚାଇଲ୍‌ଡ କେୟାରକୁ ପଠାଯାଉଥିଲା। ତାହା ମାନସିକ ରୋଗ ବିଭାଗ ଅଧୀନରେ ହୋଇଥିବାରୁ ଏହାକୁ ନେଇ ଭୁଲ୍‌ ବୁଝାମଣା ହୋଇଥିବା ଡାକ୍ତର ମହାନ୍ତି କହିଛନ୍ତି। ତେଣୁ ପୀଡ଼ିତାଙ୍କୁ ଅନ୍ୟୂନ ୧୦ଦିନ ପର୍ଯ୍ୟନ୍ତ କାଉନସେଲିଂରେ ରଖାଯିବା ଆବଶ୍ୟକତା ରହିଛି। ପରିବାରର ଇତିହାସ, ସାମାଜିକ ସ୍ଥିତି ଏବଂ ଅନ୍ୟାନ୍ୟ ଦିଗ ଉପରେ ତାଙ୍କୁ କାଉନସେଲିଂରେ ପଚରାଯାଇଥାଏ। ସେସବୁରୁ ତାଙ୍କୁ ସ୍କୋର ଦିଆଯାଏ। ସେଥିରୁ ତାଙ୍କର ମାନସିକ ସ୍ଥିତି ନେଇ ରିପୋର୍ଟ ବାହାରିଥାଏ। ତେଣୁ ପାଗଳୀ କରିଦିଆଯାଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। କିନ୍ତୁ ମା’ଙ୍କ ଅନିଚ୍ଛା ଯୋଗୁଁ ଏହି କାଉନସେଲିଂ ସମ୍ଭବ ହୋଇପାରି ନଥିବା ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ କୁନ୍ଦୁଲିରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗରେ ପୀଡ଼ିତାଙ୍କୁ ଗତ ୧୯ ତାରିଖରେ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବାନ୍ତିରେ ରକ୍ତ ପଡ଼ିଥିବା ସେ ଅଭିଯୋଗ କରିଥିଲେ। କଟକ ଅଣାଯିବା ପରେ ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ପ୍ରଭାତ ପାଢୀଙ୍କ ନେତୃତ୍ୱରେ ୧୧ଜଣିଆ ଡାକ୍ତରୀ ବୋର୍ଡ ଗଠନ କରାଯାଇଥିଲା। ବିଭିନ୍ନ ବିଭାଗର ଡାକ୍ତରଙ୍କୁ ନେଇ ଏହି ବୋର୍ଡ ଗଠନ କରାଯାଇଥିଲା ବେଳେ ମେଡିସିନ୍‌ ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ଶ୍ରୀପ୍ରସାଦ ମହାନ୍ତି ଏହାର ଆବାହକ ନିଯୁକ୍ତ ହୋଇଥିଲେ। ପୀଡ଼ିତାଙ୍କର ଏଣ୍ଡୋସ୍କୋପି, ଅଲ୍‌ଟ୍ରାସାଉଣ୍ଡ, ଇସିଜି, ଇଇଜି, ଇକୋ, ରକ୍ତ, ମଳ, ଦାନ୍ତ, ଛାତି ଏକ୍ସ-ରେ ଇତ୍ୟାଦି ପରୀକ୍ଷା ହୋଇଥିଲା। ସବୁ ରିପୋର୍ଟ ନେଗେଟିଭ୍‌ ବାହାରିଥିଲାବେଳେ ପୀଡ଼ିତାଙ୍କୁ ସାଇକାଟ୍ରିକ୍‌ ଥେରାପିର ଆବଶ୍ୟକତା ରହିଥିବା ବୋର୍ଡ ହୃଦ୍‌ବୋଧ କରିଥିଲା। ତେଣୁ ୧୦ଦିନ ପର୍ଯ୍ୟନ୍ତ ମାନସିକ ରୋଗ ବିଭାଗ ଅଧିନରେ ପୀଡ଼ିତାଙ୍କୁ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହାକୁ ପୀଡ଼ିତାଙ୍କର ପରିବାର ଲୋକେ ବିରୋଧ କରିଥିଲେ।

ପୀଡ଼ିତାଙ୍କ ସହ ମା’ ଓ ଖୁଡ଼ୀଙ୍କୁ ପଠାଇବା ଜିଦ୍‌ରେ ଧାରଣା

କଟକ : କୁନ୍ଦୁଲି ପୀଡ଼ିତାଙ୍କୁ ବଡ଼ ମେଡିକାଲ୍‌ରୁ ଡିସ୍‌ଚାର୍ଜ କରାଯାଉଥିବା ବେଳେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ୍‌ ଓ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ଏଥିରୁ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ବାଦ୍‌ ପଡ଼ି ନଥିଲେ। ଅସମ୍ଭାଳ ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ୍‌କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। କିନ୍ତୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏଭଳି ଘଟଣାଠୁ ନିଜକୁ ଦୂରରେ ରଖିଥିଲା ବେଳେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ୍‌କୁ ନିନ୍ଦା କରିଥିଲେ।

ଘଟଣା ଅନୁଯାୟୀ, ପୀଡ଼ିତାଙ୍କୁ ନିଉ ମେଡିସିନ୍‌ ଓ୍ଵାର୍ଡରୁ ଗାଡ଼ି ଭିତରକୁ ଅଣାଯାଉଥିବା ବେଳେ ସାଙ୍ଗରେ ତାଙ୍କ ଖୁଡ଼ୀଙ୍କୁ ବି ନେବା ପାଇଁ କୁହାଯାଇଥିଲା। କିନ୍ତୁ କେବଳ ମା’ଙ୍କୁ ତାଙ୍କ ସହିତ ଛଡ଼ାଯିବାକୁ ସରକାରୀ ନିର୍ଦ୍ଦେଶ ଥିବା ପୁଲିସ୍‌ କହିଥିଲା। ଏହାଶୁଣି ବିଧାୟକ ଶ୍ରୀ ସଗରିଆ ଉତ୍ତେଜିତ ହୋଇଯାଇଥିଲେ। ମା’ଙ୍କ ସହ ଖୁଡ଼ୀଙ୍କୁ ମଧ୍ୟ ପୀଡ଼ିତାଙ୍କ ସହ ପଠାଯିବାକୁ ବିଧାୟକ ଓ ତାଙ୍କ ସମର୍ଥକମାନେ ଜିଦ୍‌ ଧରି ଗାଡ଼ି ସମ୍ମୁଖରେ ଧାରଣାରେ ବସିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ପୁଲିସ୍‌କୁ ଲାଠିମାଡ଼ କରି ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପଡ଼ିଥିଲା। ଲାଠିମାଡ଼ ବେଳେ ବିଧାୟକ ଶ୍ରୀ ସଗରିଆ ମଧ୍ୟ ବାଦ୍‌ ପଡ଼ିନଥିଲେ। ପୁଲିସ୍‌ ତାଙ୍କୁ ସେଠାରୁ ହଟାଇବାକୁ ଉଦ୍ୟମ କରିଥିଲା। ପୁଲିସ୍‌ର ଠେଲାପେଲାରେ ଜଣେ କଂଗ୍ରେସ କର୍ମୀ ବିଧାୟକଙ୍କ ଉପରେ ପଡ଼ିଯାଇଥିଲା ବେଳେ ତାଙ୍କ ଉପରେ ଜଣେ ପୁଲିସ୍‌ କର୍ମଚାରୀ ମଧ୍ୟ ଚଢ଼ିଯାଇଥିଲେ। ପୁଲିସ୍‌ର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିଧାୟକ ଓ କର୍ମୀମାନେ ବିରୋଧ କରି ନିଉ ମେଡିସିନ୍‌ ସମ୍ମୁଖରେ ନାରାବାଜି କରିଥିଲେ। କିନ୍ତୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏହି ଆନ୍ଦୋଳନରେ ସାମିଲ ହୋଇ ନଥିଲେ। ଏଠାରୁ କିଛି ଦୂରରେ ଶ୍ରୀ ମାଝୀ ଓ ପିସିସି ଉପସଭାପତି ବସି ସ୍ଥିତିକୁ ନଜର ରଖିଥିଲେ ବି ଏଭଳି ଆନ୍ଦୋଳନଠୁ ନିଜକୁ ଦୂରେଇ ରଖିଥିଲେ। ପୀଡ଼ିତାଙ୍କ ସାଙ୍ଗରେ ତାଙ୍କ ମା’ ଯିବାକୁ ନିର୍ଦ୍ଦେଶ ଥିବାରୁ ଖୁଡ଼ୀଙ୍କୁ ନେବା ଜିଦ୍‌ ଠିକ୍‌ ନୁହେଁ। ବରଂ ଏଠାରୁ ବାହାରିଯିବା ପରେ କୋରାପୁଟରେ ପରବର୍ତ୍ତୀ ପଦକ୍ଷେପ ନିଆଯିବାକୁ ଉଭୟ ଆଲୋଚନା କରିିଥିଲେ। ତଥାପି ବିଧାୟକଙ୍କ ପ୍ରତିରୋଧ ପରେ ପୁଲିସ ବାଧ୍ୟହୋଇ ଖୁଡ଼ୀଙ୍କୁ ଗାଡ଼ିରେ ବସାଇଥିଲା।

ତାଙ୍କ ମା’ ଜଣେ ନରମ ସ୍ୱଭାବର ହୋଇଥିବାରୁ ସେ ସାଙ୍ଗରେ ଯାଇଥିଲେ ପୁଲିସ୍‌ ସେମାନଙ୍କୁ ଧମକ ଦେଇଥାନ୍ତା ବୋଲି ବିଧାୟକ ଅଭିଯୋଗ କରିଛନ୍ତି। ଯେହେତୁ ଖୁଡ଼ୀ ତାଙ୍କ ସହିତ ପ୍ରଥମ ଦିନରୁ ଅଛନ୍ତି, ତେଣୁ ସେହି ପୁଲିସ୍‌ ଓ ପ୍ରଶାସନକୁ ଜବାବ ଦେଇପାରିବେ ବୋଲି ବିଧାୟକ କହିଥିଲେ। ଅନ୍ୟପକ୍ଷରେ ୯୬ ଘଣ୍ଟାର ସଂଘର୍ଷ ପରେ ଆଜି ସଫଳତା ମଳିଥିବା ପୂର୍ବତନ ସାଂସଦ କହିଛନ୍ତି। କିନ୍ତୁ ଡିସ୍‌ଚାର୍ଜ ବେଳେ ଏଭଳି ଅଶାନ୍ତ ବାତାବରଣ ପାଇଁ ପୁଲିସ୍‌କୁ ସେ ଦାୟୀ କରିଛନ୍ତି। ଶ୍ରୀ ମାଝୀଙ୍କ ମତରେ, ଏହା ଏକ ଚିରାଚରିତ ଷଡ଼ଯନ୍ତ୍ର। ପୀଡ଼ିତା ଓ ପରିବାର ଲୋକଙ୍କ ମୁହଁ ବନ୍ଦ କରିବା ପାଇଁ ପୁଲିସ୍‌ ଏଭଳି କରୁଛି। ଓଡ଼ିଶାବାସୀ ସେମାନଙ୍କୁ କଦାପି କ୍ଷମା ଦେବେନି। ତେଣୁ ଏହା ବିରୋଧରେ ଆସନ୍ତାକାଲି ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ସରକାରଙ୍କୁ ନିନ୍ଦିତ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି।

ସମ୍ବନ୍ଧିତ ଖବର