କୋରାପୁଟ: କୋରାପୁଟ ଜିଲ୍ଲାରେ ଅଦା ଅମଳ ଶେଷ ହୋଇନି। କିନ୍ତୁ ବଜାରରୁ ଗାଏବ ହୋଇଗଲାଣି। ଏପରିକି ଖୁଚୁରା ବଜାରରେ ଏବେ କିଲୋ ପିଛା ଦର ୨୯୦ଟଙ୍କା ରହିଛି। ଆଗକୁ ଦର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଧର୍ମମାସ କାର୍ତ୍ତିକ ଆରମ୍ଭରୁ ଅଦା ଦର ୩ଶହ ଟଙ୍କା ପାଖାପାଖି ରହିଥିବା ବେଳେ ପଞ୍ଚୁକ ବେଳକୁ ଦର ୩ଶହ ଟଙ୍କା ଟପି ସାରିଥିବା ବୋଲି କୁହାଯାଉଛି। କାରଣ ଗତ ରବି ଋତୁ ପରି ଖରିଫ ଋତୁରେ ବି କୋରାପୁଟ ଅଦା ଗାଏବ ହେଉଛି। ଏବେ ବଜାରରେ ଗତ ଖରିଫ ଋତୁର ବଳକା ଅଦା ମହଜୁଦ ରହିଛି। ଯାହା ଆଉ କିଛି ଦିନ କିମ୍ବା ଆସନ୍ତା ମାସ ବେଳକୁ ଶେଷ ହୋଇଯିବ। ସେହିପରି ଆଗକୁ ଅମଳ ହେବାକୁ ଥିବା ଅଦା ଉପରେ ପଡ଼ୋଶୀ ରାଜ୍ୟର ବେପାରୀ ଆଖି ରଖିଛନ୍ତି। ଗାଁ ଗାଁ ବୁଲି ଅଦା ଚାଷୀଙ୍କ ସହ ମୂଲଚାଲ ଆରମ୍ଭ କରିସାରିଲେଣି। ଯଦି ବାହାର ବ୍ୟବସାୟୀଙ୍କ କଥ‌ାରେ ଚାଷୀ ରାଜି ହୋଇଯିବେ ତେବେ ଚାଷୀ ଉଚିତ ମୂଲ୍ୟ ପାଇବେ ନାହିଁ କିନ୍ତୁ ଖାଉଟିଙ୍କୁ ଦର ବାଧିବା ନିଶ୍ଚିତ।

Advertisment

ଗତ ଋତୁରେ ଅମଳ ହୋଇଥିବା ଅଦାକୁ ପ୍ରଶାସନ ସାଇତି ରଖିପାରିଲାନି। ଫଳରେ ଅତିଶସ୍ତାରେ ପଡୋଶୀ ରାଜ୍ୟର ବ୍ୟବସାୟୀ କିଣି ନେବା ସହ ଦର ବଢ଼ାଇବା ଉଦ୍ଦେଶ୍ୟରେ କିଛି ଦିନ ନିଜ ପାଖରେ ଗଚ୍ଛିତ ରଖିଲେ। ଚାହିଦା ବଢ଼ିବା ମାତ୍ରେ ଦର ବଢ଼ାଇ ବିକ୍ରି କଲେ। ଖରିଫ ଓ ରବି ଋତୁରେ କୋରାପୁଟ ଜିଲ୍ଲାରେ ଅଦା ଚାଷ ହେଉଛି। ପଟାଙ୍ଗୀ, ଲକ୍ଷ୍ମୀପୁର, ନନ୍ଦପୁର, ଲମତାପୁଟ, ନାରାୟଣପାଟଣା, ବନ୍ଧୁଗାଁ ଓ ଦଶମନ୍ତପୁର ବ୍ଲକ୍‌ରେ ସର୍ବାଧିକ ଚାଷ କରାଯାଉଛି। ରବି ଋତୁରେ ୭୦୦ ହେକ୍ଟର ଓ ଖରିଫ ଋତୁରେ ୯୦୦ ହେକ୍ଟର ପର୍ଯ୍ୟନ୍ତ ଜମିରେ ଚାଷ ହେଉଛି। ଦୁଇ ବର୍ଷ ତଳେ ଜିଲ୍ଲାରେ ଅଦା କିଲୋ ପିଛା ଦର ୧୮ରୁ ୨୫ଟଙ୍କା ମଧ୍ୟରେ ରହିଥିଲା। ତେବେ ହଠାତ୍‌ ଦର ବୃଦ୍ଧି ପାଇବା ସହ ଦୁଇ ବର୍ଷ ତଳେ କିଲୋ ପିଛା ଦର ୧୬୦ରୁ ୨୦୦ଟଙ୍କା ହୋଇଥିଲା। ଚଳିତ ବର୍ଷ ପୁଣି ଦର ବଢ଼ିବା ସହ ୨୫୦ରୁ ୨୯୦ଟଙ୍କା ମଧ୍ୟରେ ରହିଛି।