ଗୁମ୍ମା ପଥର କୁଆଁରି ଅଘଟଣ : ଦେଖାଦେଲା ଦ୍ୱିତୀୟ ଜେସିବି

ଜୟପୁର : ଭାରତୀୟ ସ୍ଥଳ ସେନାର ୯ଜଣିଆ ଟିମ୍‌ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବରିପୁଟ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ ହୋଇଥିବା ଦେଖିବାକୁ ମିଳିଛି। ଗତ ଗୁରୁବାର ଠାରୁ ସେନା ଉଦ୍ଧାରରେ ଲାଗିଥିବା ବେଳେ ଆଜି ପଥରରେ ତଳେ ଚାପି ହୋଇ ରହିଥିବା ଦ୍ୱିତୀୟ ଜେସିବିର କିଛି ଅଂଶ ଦେଖିବାକୁ ମିଳିଥିଲା। ତେବେ ଜେସିବି ଉପରେ ବଡ଼ବଡ଼ ପଥର ଖଣ୍ଡ ସାଙ୍ଗକୁ ମାଟି ଅତଡା ଧସି ରହିଥିବାରୁ ବାହାର କରାଯାଇ ପାରି ନାହିଁ। ତେଣୁ ଆସନ୍ତାକାଲି ବି ସେନା ପକ୍ଷରୁ ନିୟନ୍ତ୍ରଣ ବିସ୍ଫୋରଣ କରାଯିବ ବୋଲି ସୂଚନା ମିଳିଛି।

ଗୁରୁବାର ସଂଧ୍ୟାରୁ ଆଜି ସଂଧ୍ୟା ପର୍ଯ୍ୟନ୍ତ ୮ଥର ନିୟନ୍ତ୍ରଣ ବିସ୍ଫୋରଣ କରାଯାଇ ସାରିଲାଣି। ବହୁ ପଥର ଖଣ୍ଡ ଖଣ୍ଡ ହୋଇ ତଳକୁ ଖସିବା ପରେ ତାହାକୁ ଘଟଣା ସ୍ଥଳରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏହାପରେ ସ୍ଥିତି ଅନୁଧ୍ୟାନ କରିବାରୁ ପଥର ଫାଙ୍କରେ ଫସି ରହିଥିବା ଦ୍ୱିତୀୟ ଜେସିବିକୁ ଠାବ୍‌ କରାଯାଇଥିଲା। କିନ୍ତୁ ଯେଉଁଭଳି ଅବସ୍ଥାରେ ଜେସିବି ରହିଛି ତାହାକୁ ବଳ ପ୍ରୟୋଗ କରି ବାହାର କରାଗଲେ ପଥର ସହ ମାଟି ଅତଡା ଧସି ଯିବାର ସମ୍ଭାବନା ରହିଛି। ଏଭଳି ହେଲେ ଉଦ୍ଧାର କାର୍ଯ୍ୟ ଆହୁରି ବିଳମ୍ବ ହେବ ବୋଲି ଅନୁଧ୍ୟାନ କରି ବିଶେଷଜ୍ଞ କହିଥିଲେ।

ଅନ୍ୟପକ୍ଷରେ ଦୁଇ ଜେସିବି ଅପରେଟରଙ୍କ ପତ୍ତା ମିଳିପାରି ନାହିଁ। ସେମାନେ ଜେସିବି ନିକଟରେ ନା’ ଜେସିବି ଠାରୁ ଦୂରରେ ରହିଛନ୍ତି ଜଣାପଡୁ ନାହିଁ। ପଥର ତଳେ ଚାପି ହୋଇ ରହିଥିବା ଜେସିବି ବାହାରିବା ପରେ ହିଁ ୨ଅପରେଟରଙ୍କ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ସେନା ନେତୃତ୍ୱରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ସଂଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି। ବର୍ଷା ଯୋଗୁଁ ପାହାଡ ଉପରୁ ମାଟି ପଥର ସହ ଅତଡା ଧସିବାର ସମ୍ଭାବନା ରହିଥିବାରୁ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ଦେଖିବାକୁ ମିଳିଛି। ଆସନ୍ତାକାଲି ପାଗ ଅନୁକୂଳ ରହିଲେ ପୁଣି ବିସ୍ଫୋରଣ କରାଯିବ ବୋଲି ଜଣାପଡିଛି। ସେହିପରି ଯେଉଁ ଗତିରେ ଉଦ୍ଧାର କାର୍ଯ୍ୟ ଚାଲିଛି, ଆଉ କିଛି ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଦୁଇ ଜେସିବି ଅପରେଟରଙ୍କ ନିକଟତର ହେବେ ବୋଲି ଶୁଣିବାକୁ ମିଳୁଛି।

ଗତ ୧୦ଦିନ ଧରି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବିଭିନ୍ନ କାରଣରରୁ ବିଳମ୍ବିତ ହେବାରେ ଲାଗିଥିଲା। ତେଣୁ ଦୁଇ ଜେସିବି ଅପରେଟରଙ୍କ ପରିବାର ଲୋକ ଏବଂ ସହଯୋଗୀ ଆଶଙ୍କିତ ଅବସ୍ଥାରେ ରହିଛି। ଉଦ୍ଧାର କାର୍ଯ୍ୟ କେତେବେଳେ ଶେଷ ହେବ ତାହାକୁ ଅପେକ୍ଷା କରି ରହିଛନ୍ତି। ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଘଟଣା ସ୍ଥଳକୁ ଯାଇ ଦୁଇ ଜେସିବି ଅପରେଟରଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଉଦ୍ଧାର କାର୍ଯ୍ୟ କିଭଳି ଚାଲିଛି ଏବଂ କେଉଁଭଳି କରାଯାଉଛି ସେନେଇ ପ୍ରଶାସନ ସହ ଆଲୋଚନା କରିଥିଲେ। ବିଧାୟକଙ୍କ ସହ ବ୍ଲକ ସଭାପତି ବସନ୍ତ ନାୟକ, ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ସହ କେବିଡି ଓ ରାଣୀଗଡ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର