ଜୟପୁର: କୋରାପୁଟ ଜିଲ୍ଲା‌ରେ କର୍କଟ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୮ବର୍ଷରେ ଜିଲ୍ଲାରୁ ଚିହ୍ନଟ ହେଲେଣି ୭୨୩୮ ଆକ୍ରାନ୍ତ। ଚଳିତ ବର୍ଷ ଜିଲ୍ଲାରୁ ନୂଆ ୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ମହିଳା। ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ସ୍ତନ କର୍କଟରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

Advertisment

ଦିନକୁ ଦିନ କର୍କଟ ରୋଗର ଭୟବହତା ଜିଲ୍ଲାରେ ବଢ଼ିବାରେ ଲାଗିଛି। ନିରାକରଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ବିଭାଗ ସହ ‘ଡେ କେୟାର’ ୟୁନିଟ୍ ଖୋଲାଯାଇଛି। ୭୨୩୮ ଆକ୍ରାନ୍ତଙ୍କ ମଧ୍ୟରେ ୩ହଜାର ୫୭୩ଜଣ ପୁରୁଷ ଏବଂ ୩ ହଜାର ୬୬୫ଜଣ ମହିଳା ରହିଛନ୍ତି। ମହିଳାଙ୍କ ମଧ୍ୟରୁ ସବାଧିକ ୧୪୫୯ଜଣ ସ୍ତନ କର୍କଟରେ ଆକ୍ରାନ୍ତ। ୮୨୯ ମୁଖ ଗହ୍ୱର (ଓରାଲ, ହେଡ୍ ଆଣ୍ଡ ନେକ୍‌), ୮୦୭ ପେଟ ଜନିତ କର୍କଟରେ ଆକ୍ରାନ୍ତ। ସର୍ଭାଇକାଲ, ଓଭାରି ସହ ଅନ୍ୟାନ୍ୟ କର୍କଟ ରୋଗୀ ବି ଅଛନ୍ତି। ଇତି ମଧ୍ୟରେ ୪ହଜାର ୧୧୭ ଆକ୍ରାନ୍ତଙ୍କୁ କେମୋଥେରାପି ଦିଆଯାଇଛି। ରୋଗ ଚିହ୍ନଟରୁ ଆରମ୍ଭ କରି ପରୀକ୍ଷା, କେମୋଥେରାପି ଏବଂ ଔଷଧ ସବୁ ମାଗଣାରେ ଯୋଗାଇ ଦିଆଯାଉଥିବା ଡିଡିସିସି ଅଧିକାରୀ ଡା. ଐଶ୍ବର୍ଯ୍ୟ କୁମାର ପୃଷ୍ଟି କହିଛନ୍ତି।

ଆଗୁଆ ରୋଗ ଚିହ୍ନଟ, ପରୀକ୍ଷା, ଚିକିତ୍ସା, ପରବର୍ତ୍ତୀ ସେବା ଏବଂ ସଚେତନତା ଉପରେ ଅଧିକ ଗୁରୁତ୍ବ ଦେଲେ କର୍କଟ ରୋଗରୁ ବର୍ତ୍ତି ହେବ ବୋଲି କହିଛନ୍ତି ଡା. ପୃଷ୍ଟି। କ୍ୟାନସର୍ ରୋକିବାକୁ ଧୂମପାନ ଉପରେ କଟକଣା ଲଗାଇଛନ୍ତି ସରକାର। କିନ୍ତୁ କୋରାପୁଟ ଜିଲ୍ଲାରେ କଟକଣା ବାଟବଣା ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଖୁଲମଖୁଲା ଭାବେ ସବୁଠି ଗୁଟ୍‌ଖା, ସିଗାରେଟ୍, ପାନ ମସଲା ବିକ୍ରି ହେଉଛି। ସ୍ବାସ୍ଥ୍ୟ ବିଭାଗ ଓ ପୁଲିସ୍ ପକ୍ଷରୁ ହେବାକୁ ଥିବା ଯୁଗ୍ମ ଚଢ଼ଉ ମଧ୍ୟ ଆଖିଦୃଶିଆ ନୁହେଁ। ନିଶା ନିବାରଣ ସପ୍ତାହ ପାଳନ କରି ଉଭୟ ବିଭାଗ ଚୁପ୍ ବସିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।