କୋରାପୁଟ ଲିଚୁ ଉପରେ ଆନ୍ଧ୍ର ବ୍ୟବସାୟୀଙ୍କ ନଜର, କିଲୋ ପିଛା ଲାଭ କରୁଛନ୍ତି ୧୧୦ ଟଙ୍କା

କୋରାପୁଟ: କୋରାପୁଟରେ ଫଳୁଥିବା ଲିଚୁ ଉପରେ ଏବେ ଆନ୍ଧ୍ର ବ୍ୟବସାୟୀଙ୍କ ନଜର। ମେ’ ମାସରେ କୋରାପୁଟରେ ଲିଚୁ ଅମଳ ହେଉଥିବାବେଳେ ଏହାକୁ ସାଗମାଛ ଦରରେ କିଣି ନେଉଛନ୍ତି ଆନ୍ଧ୍ରର ମାଫିଆ। ଟ୍ରକ ଲାଗାଇ ସିଧା ଚାଷୀଙ୍କ ବଗିଚାରୁ ନେଉଥିବା ଦେଖିବାକୁ ମିଳିଛି। ବ୍ୟବସାୟ କରୁଥିଲେ ହେଁ କୋରାପୁଟ ବଜାରକୁ କରାୟତ୍ତ କରିବାକୁ ଚାଲିଛି ମସୁଧା।ନ କାହିଁକି ନାଁ ଚାଷୀଙ୍କ ଠାରୁ କେଜି ପ୍ରତି ୯୦ ଟଙ୍କାରେ କିଣି ନେଉଛନ୍ତି ପଡୋଶୀ ରାଜ୍ୟର ବ୍ୟବସାୟୀ। ସେହି ଲିଚୁକୁ କୋରାପୁଟରେ ଏକଚାଟିଆ କରି ବିକ୍ରି କରୁଥିବା ଦେଖିବାକୁ ମିଳିଛି।

ପେନ୍ଥା ପେନ୍ଥା ହୋଇ ଗଛରେ ଝୁଲୁଥିବା ପାଚିଲା ଲାଲ ଟହଟହ ଲିଚୁ ଆଖିକୁ ଦେଖିବାକୁ ଯେତିକି ମନୋରମ ଲାଗିଥାଏ ଖାଇଲେ ମଧ୍ୟ ପାଟିକୁ ତା ଠାରୁ ଢେର ଗୁଣରେ ସ୍ବାଦିଷ୍ଟ ଲାଗିଥାଏ । ଖରାଦିନେ ଲିଚୁର ବେଶ ଚାହିଦା ରହିଥିବା ବଳେ ଲୋକେ ମଧ୍ୟ ଲିଚୂ ଖାଇବାର ମଜା ଉଠେଇଥାନ୍ତି । ଏବେ ଲିଚୁ ପସରା ମାନଙ୍କରେ ଗରାଖ ମାନଙ୍କର ଭିଡ ଦେଖିବାକୁ ମିଳୁଥିବା ବେଳେ ଲିଚୁ ଚାଷ କରି ଚାଷୀଙ୍କ ରୁ ଆରମ୍ଭ କରି ବେପାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଇପଇସା ଭଲ ଲାଭ ପାଇଥାନ୍ତି ।କୋରାପୁଟ ବଜାରରେ ଗତ ସପ୍ତାହେ ହେବ ଲିଚୁ ବେପାର ବେଶ ଜମିଥିବା ବେଳେ ଲିଚୁ ପସରା ମାନଙ୍କରେ ଗରାଖ ମାନଙ୍କର ଭିଡ ଲାଗିରହିଥିଲା ।

କୋରାପୁଟର ଲକ୍ଷ୍ମୀପୁର, ନାରାୟଣପାଟଣା, ଦଶମନ୍ତପୁର, ବନ୍ଧୁଗାଁ, ନନ୍ଦପୁର, ବୈପାରିଗୁଡା ଓ ବୋରିଗୁମ୍ମାରେ ଚଳିତବର୍ଷ ୪୨ ଜଣ ଚାଷୀ ପ୍ରାୟ ୧୩୦ ହେକ୍ଟର ଜମିରେ ଲିଚୁ ଚାଷ କରିଥିଲେ। ଉଦ୍ୟାନକୃଷି ବିଭାଗ ଓ ଘରୋଇ ଉଦ୍ୟ‌ୋଗର ପ୍ରଚେଷ୍ଟାରେ ଚଳିତବର୍ଷ ଭଲ ବଉଳ ହୋଇଥିଲା। ଶୀତଦିନେ କୁହୁଡି ଯୋଗୁଁ ପ୍ରାୟ ୪୦ ପ୍ରତିଶତ କସି ନଷ୍ଟ ହୋଇଯାଇଥିଲା। ହେଲେ ଠିକ ଭାବେ ଦେଖାରଖା କରିବା ପରେ ସେହି ପ୍ରତିଶତ କସିରୁ ଯାହା ଫଳ ଫଳିଥିଲା ତାହା କୋରାପୁଟ ବଜାରକୁ ନିଅଣ୍ଟ ପଡିଥିଲା। ଠିକ ସମୟରେ ବଜାରକୁ ଆସିଥିବାବେଳେ ସାଗମାଛ ଦରରେ ଲିଚୁକୁ ଚାଷୀଙ୍କଠାରୁ କିଣି ନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ। ଏହାକୁ କୋରାପୁଟରେ କେଜି ପ୍ରତି ୯୦ ଟଙ୍କାରେ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି।

ଲକ୍ଷ୍ମୀପୁର, ନନ୍ଦପୁର ଓ ବୋରିଗୁମ୍ମା ଲିଚୁର ଏକ ସ୍ବତନ୍ତ୍ରତା ରହିଥିବା ବେଳେ ପାହାଡୀ ଝରଣାରେ ସ୍ବଚ୍ଛ ଶିତଳ ଜଳଧାର ଏବଂ ଅନୁକୁଳ ବାତାବରଣ ଏହି ଲିଚୁକୁ ଅଧିକ ସ୍ବାଦିଷ୍ଟ କରିପାରିଛି । ଲିଚୁପାଇଁ ଶିତଳ ପରିବେଶ ବେଶ ଉକୃଷ୍ଟ ହୋଇଥିବା ବେଳେ ଜୟପୁର ରାଜାଙ୍କ ଅମଳରୁ ଏଠାକାର ପରିବେଶକୁ ଅନୁଧ୍ୟାନ କରି ବିରାଟ ବିରାଟ ଲିଚୁ ବଗିଚା କାରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଥିବାବେଳେ ଏଠାକାର କିଛି ଉଦ୍ୟୋକ୍ତ ଚାଷୀ ମଧ୍ୟ ନୁତନ ଭାବେ ଲିଚୁ ବଗିଚା କରି ଭଲ ଦୁଇପଇସା ରୋଜଗାର କରି ଲାଭବାନ ହେଉଛନ୍ତି । ଖରାଦିନେ ଲିଚୁ ପାଚିବା ଆରମ୍ଭ ହୋଇଗଲେ ଲିଚୁବଗିଚା ମାଲିକ ମାନେ ଲାଗିପଡନ୍ତି ସଂଗ୍ରହ ପାଇଁ । ଶ୍ରମିକ ନିୟୋଜିତ କରି ସେଗୁଡିକୁ ତୋଳି ସୁନ୍ଦର ସୁନ୍ଦର ବିଡା ବାନ୍ଧି ପ୍ରସ୍ତୁତ କରନ୍ତି ବିକ୍ରୟ ପାଇଁ । ବିଭିନ୍ନ ସ୍ଥାନରୁ ବେପାରୀ ମାନେ ବଗିଚାକୁ ଆସି ସେଠାରୁ ଲିଚୁ କ୍ରୟ କରିନେଇଥାନ୍ତି। ଲିଚୁ ପାଚିଗଲା ପରେ ଅତି ସ୍ୱଳ୍ପ ସମୟ ଭିତରେ ଚାଷୀକୁ ଲିଚୁ ବିକ୍ରୟ କରିବାକୁ ପଡିଥାଏ । ଏହାର ସୁଯୋଗ ନେଇ ଆନ୍ଧ୍ର ବ୍ୟବସାୟୀମାନେ କୋରାପୁଟ ଲିଚୁ ବଜାରକୁ ଏକଚାଟିଆ କରିବାକୁ ଲାଗିଛନ୍ତି। ଏଭଳି ପରସ୍ଥିତିରେ ଚାଷୀଙ୍କୁ ନାହିଁ ନ ଥିବା କ୍ଷତି ମଧ୍ୟ ସହିବାକୁ ପଡିଥାଏ । ଲକ୍ଷ୍ମୀପୁର, ନନ୍ଦପୁର, ବୋରିଗୁମ୍ମା ଅଞ୍ଚଳରେ ଲିଚୁବିକ୍ରୟ ପାଇଁ ବଜାର ବ୍ୟବସ୍ଥା ଓ ରଖିବା ପାଇଁ ଶିତଳ ଭଣ୍ଡାରର ବ୍ୟବସ୍ଥା ହଲେ ଚାଷୀ ଲିଚୁର ପ୍ରକୃତ ମୁଲ୍ୟ ପାଇ ପାରନ୍ତେ।

ସମ୍ବନ୍ଧିତ ଖବର