ଭାଙ୍ଗିବ କୋରାପୁଟ ମଡେଲ୍ କଲେଜ୍: ଭିତ୍ତି ପ୍ରସ୍ତର ପକାଇଥିଲେ ମୋଦୀ, ଭାଙ୍ଗିବେଗଡକରୀ

କୋରାପୁଟ: ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଲାଣି। ଆଉ ମାତ୍ର କିଛି ଦିନ ପରେ ଏହା ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇଥାନ୍ତା। ହେଲେ ଏବେ ଭାରତମାଳା ପରିଯୋଜନା ପାଇଁ ଭାଙ୍ଗିବ କୋରାପୁଟ ମଡେଲ୍ କଲେଜ। ପାଣିରେ ପଡିବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୧୨ କୋଟିରୁ ଅଧିକ ଟଙ୍କା। କୋରାପୁଟ ଜିଲ୍ଲା ସିମିଳିଗୁଡା ନିକଟରେ ଯେଉଁ ମଡେଲ କଲେଜକୁ ସ୍ଥାପନା କରିବାକୁ କେନ୍ଦ୍ରରେ ରହିଥିବା ମୋଦୀ ସରକାର ଅନୁମତି ଦେଇଥିଲେ ଏହାକୁ ଭାଙ୍ଗିବାକୁ କେନ୍ଦ୍ର ରାଜପଥ ଓ ପରିବହନ ବିଭାଗର ମନ୍ତ୍ରୀ ନୀତିନ ଗଡକରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ କୋରାପୁଟ ରାଜନୀତି ଜୋର ଧରିଲାଣି। ଏହାକୁ ନେଇ ଜୟପୁର ବିଧାୟକ ଓ ଭାରତମାଳା ଜମି ସୁରକ୍ଷା ମଞ୍ଚ କୋରାପୁଟ ଜିଲ୍ଲାପାଳଙ୍କୁ ଘେରିଛି। କୌଣସିବି ପରିସ୍ଥିତିରେ ଜିଲ୍ଲାକୁ ଆସିଥିବା ଏହି ମଡେଲ କଲେଜକୁ ଭାଙ୍ଗିବାକୁ ଦିଆଯିବ ନାହିଁ ବୋଲି ମତ ପ୍ରକାଶ ପାଇଛି।

ତେବେ ୨୦୧୮ ମସିହା ଜୁନ ମାସରେ କେନ୍ଦ୍ର ସରକାର କୋରାପୁଟ ସମେତ ୬ଟି ଜିଲ୍ଲାରେ ମଡେଲ କଲେଜ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ। ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷା ଅଭିଯାନ (ରୁଷା)୨.୦ ଯୋଜନାରେ ରାଜ୍ୟର ୬ଟି ସ୍ତାନରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବାକୁ ଯୋଜନା ରହିଥିଲା। ୨୦୧୯-୨୦ ଶିକ୍ଷାବର୍ଷରେ ଏହା ଆରମ୍ଭ ହେବାକୁ ରହିଥିବାବେଳେ କରୋନା ଯୋଗୁଁ ଏଥିରେ ପ୍ରତିବନ୍ଧକ ଲାଗିଥିଲା। ପ୍ରତି କଲେଜ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଏହିଠାରେ କଲେଜ ବିଲ୍ଡିଂ, ଲାବୋରେଟୋରୀ, ଲାଇବ୍ରେରୀ, ଫାକ୍ଲଟି କମନରୁମ୍, ଟଏଲେଟ୍ ସହ ୨୪ ଘଣ୍ଟିଆ ଇଣ୍ଟରନେଟ ରୁମ ରହିଥିଲା। ଏହି କଲେଜକୁ ପୂର୍ଣ୍ଣ ରୁପ ଦେବାକୁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟସରକାର ୪୦ ପ୍ରତିଶତ ଅର୍ଥ ଭରଣା କରିବେ। ଏହି କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟ ଲକ୍ଷ୍ୟ ଥିଲା ଯେ ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷାକୁ ପହଞ୍ଚାଇବା। ଏହାସହ ଅଧାରୁ ପାଠ ଛାଢୁଥିବା ଯୁବତୀଙ୍କୁ ଘର ନିକଟରେ ଶିକ୍ଷା ଦେବାକୁ ଏହି କଲେଜ ପ୍ରତିଷ୍ଠା ହୋଇଥିଲା। ୨୦୧୯ ଫେବ୍ରୁଆରି ୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀରରୁ ଭିଡିଓ କନଫେରେନ୍ସ ମାଧ୍ୟମରେ ଏହି କଲେଜର ଭିତ୍ତି ପ୍ରସ୍ତର ପକା ଯାଇଥିଲା।

ଏନେଇ ଆର ଆଣ୍ଡ ବି ନିର୍ବାହୀଯନ୍ତ୍ରୀ ସତ୍ୟନାରାୟଣ ଖୁରା କହିଛନ୍ତି ଯେ, ଭାରତମାଳା ପରିଯୋଜନା ସମୀକ୍ଷା ବୈଠକରେ ଏହି କଲେଜ ଗୃହ ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ମିଳିଥିଲା। ପରେ ଆମେ କାମ ବନ୍ଦ କରିଥିଲୁ। ଏହାସହ ଉପରିସ୍ଥି ଅଧିକାରୀଙ୍କୁ ଅବଗତ କରାଯାଇଛି। ସେଠାରୁ ନିର୍ଦ୍ଦେ ଶ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ତୀର ହେବ ବୋଲି ସେ କହିଛନ୍ତି। ଏନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି ଯେ ଜିଲ୍ଲାକୁ ଗୋଟିଏ ବୋଲି ମୋଡେଲ କଲେଜ କରାଯାଇଛି। ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଲାଣି। ଏବେ ଏହି ଭାରତମାଳା ପରିଯୋଜନା ପାଇଁ ଭାଙ୍ଗାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହାକୁ ଆମେ ତୀବ୍ର ବିରୋଧ କରୁଛି। କିଏ ଓ କିପରି ଏହାକୁ ଭାଙ୍ଗିବ ଆମେ ଦେଖିବୁ। କଂଗ୍ରେସ ପକ୍ଷରୁ ଏହାକୁ ତୀବ୍ର ବରୋଧ କରାଯିବ ବୋଲି ସେ କହିଛନ୍ତି।

ଏନେଇ ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗୀ କହିଛନ୍ତି ଯେ ଯେତେବେଳେ ଏହି କଲେଜ ପ୍ରତିଷ୍ଠା କରାଗଲା ସେହି ସମୟରେ କେତେଜଣ ଲୋକପ୍ରତିନିଧିଙ୍କ ମତକୁ ନେଇ ଏହା ପ୍ରତିଷ୍ଠା କରାଯାଇଥିଲା। ଏବେ ଭାରତାମାଳା ପରିଯୋଜନା ଯୋଗୁଁ ଏହା ଭଙ୍ଗାଯିବାକୁ ଯୋଜନା ରହିଛି। ଉଭୟ ସରକାରଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବାରୁ ଏହାକୁ ଭାଙ୍ଗିବା ବଦଳରେ ୧୦୦ ମିଟର ଉପରକୁ ରାସ୍ତାଗଲେଉଭୟ ରାସ୍ତା ଓ କଲେଜ ରହିଯିବ । ଏହାସହ ସରକାରଙ୍କର ଟଙ୍କା ମଧ୍ୟ ରହିଯିବ। ଏହାକୁ ନ ଭଙ୍ଗାଯାଇ କିପରି ବ୍ୟବସ୍ଥା କରାଯିବ ସେନେଇ ଦୃଷ୍ଟି ଦିଆଯାଉ।

ଏନେଇ ବିଜେଡିର ବରିଷ୍ଠ ନେତା ଇଶ୍ବର ପାଣିଗ୍ରାହୀ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଏହାକୁ ଭଙ୍ଗାଯିବାକୁ ଦିଆଯିବ ନାହିଁ। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରାଯିବା ନିଷ୍କର୍ସ ବାହାର କରାଯିବ। ଏହାସହ ଜିଲ୍ଲାର ସମସ୍ତ ବିଜେଡି ବିଧାୟକ ଏନେଇ ଏକତ୍ରିତ ହୋଇ ଗଠନମୂଳକ କୋରାପୁଟ ପାଇଁ ଚେଷ୍ଠା କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର