କୋଭିଡ ମୁକାବିଲା ନେଇ ସାଂସଦଙ୍କ ସମୀକ୍ଷା : ସାଂସଦ ପାଣ୍ଠି ଟଙ୍କା ଖର୍ଚ୍ଚ ହେଉ ନ ଥିବାରୁ ଅସନ୍ତୋଷ

କୋରାପୁଟ : କୋଭିଡ ମୁକାବିଲା ନେଇ କୋରାପୁଟ ଜିଲ୍ଲାରେ ସ୍ଥିତିର ସମୀକ୍ଷା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଆଜି ସେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଜିଲ୍ଲାରେ କୋଭିଡ ସ୍ଥିତି ଓ ଏହାର ମୁକାବିଲା ନେଇ ପ୍ରସ୍ତୁତି ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଥିଲେ। ତେବେ ସେ ଦେଇଥିବା ସାଂସଦ ପାଣ୍ଠି ଟଙ୍କା ଖର୍ଚ୍ଚ ହୋଇ ପାରି ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ।

କୋରାପୁଟ ଜିଲ୍ଲାରେ ଧୀରେ ଧୀରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। କୋରାପୁଟ ଜିଲ୍ଲାରୁ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭିନ୍ନ ଭିନ୍ନ ଅଂଚଳରୁ ଏହି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଦୁର୍ଗମ ବନ୍ଧୁଗାଁକୁ ବି କରୋନା ସଂକ୍ରମଣ ଛୁଇଁଛି। ଏହି କରୋନା ମୁକାବିଲା ନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ କେମିତି ପ୍ରସ୍ତୁତି କରିଛି, ତାହାର ସମୀକ୍ଷା କରିଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା। କରୋନା ସଂକ୍ରମିତଙ୍କୁ ଚିହ୍ନଟ, ସେମାନଙ୍କ ଚିକିତ୍ସା ନେଇ ରହିଥିବା ବ୍ୟବସ୍ଥା ନେଇ ପଚାରି ବୁଝିଥିଲେ। ତେବେ ଏଠାରେ ଅଳ୍ପ ନମୁନା ପରୀକ୍ଷା ଓ ସାଂସଦ ପାଣ୍ଠିକୁ ଠିକ ଭାବେ ଖର୍ଚ୍ଚ କରାଯିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। କୋରାପୁଟ ଜିଲ୍ଲାରେ କୋଭିଡ ବିରୋଧରେ ଚାଲିଥିବା ସଂଗ୍ରାମରେ ସେ ସହାୟତାର ହାତ ବଢ଼ାଇଥିଲେ ମଧ୍ୟ ଏହାକୁ ଠିକ ଭାବେ ଗ୍ରହଣ କରିନି ପ୍ରଶାସନ। ସାଂସଦ ପାଣ୍ଠିରୁ ସେ ୫୦ ଲକ୍ଷ ଟଙ୍କାର ଅନୁଦାନ ଜିଲ୍ଲାର କୋଭିଡ ହସ୍ପିଟାଲରେ ଉପକରଣ କିଣିବା ପାଇଁ ଯୋଗାଇ ଦେଇଥିଲେ ହେଁ ସରକାର ସେଥିରୁ କେବଳ ୧୮ ଲକ୍ଷ ଟଙ୍କା ଖର୍ଚ କରିଛି। ବଳକା ଟଙ୍କା ଖର୍ଚ୍ଚ ନ କରି ପ୍ରଶାସନ ଚୁପ ବସିଛି।

ଏପଟେ କୋରାପୁଟ ଜିଲ୍ଲାରେ କରୋନା ପରୀକ୍ଷା ଅତି ନୈରାଶ୍ୟଜନକ ରହିଛି। ମେଡିକାଲ କଲେଜରେ ଲାଗିଥିବା କରୋନା ପରୀକ୍ଷା ମେସିନରେ ଦିନକୁ ମାତ୍ର ୬ଟି ପରୀକ୍ଷା ହେଉଥିବାରୁ କରୋନା ମୁକାବିଲା କ୍ଷେତ୍ରରେ ଏହା ଅସୁବିଧା ହେଉଛି। ତେଣୁ ତୁରନ୍ତ ଏଠାରେ ଆରଟି-ପିସିଆର କିମ୍ବା କୋଭାସ ମେସିନ ଲଗାଇବାକୁ ସାଂସଦ ଦାବି କରିଥିଲେ। ଏଥିନେଇ କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ଯେ, ଆଜି କୋରାପୁଟ ଜିଲ୍ଲା ଗସ୍ତ ସମୟରେ ସେ ଜୟପୁର ମୁଖ୍ୟ ଚିକିତ୍ସାଳୟ ଓ କୋରାପୁଟସ୍ଥିତ ମେଡିକାଲ କଲେଜ ଯାଇ ସେଠାକାର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସାଂସଦ ପାଣ୍ଠିରୁ ସେ ଦେଇଥିବା ଟଙ୍କା ଏ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ପାରି ନ ଥିବା ସେ ଜାଣିବାକୁ ପାଇଛନ୍ତି। ରାଜ୍ୟ ସରକାର ଦୁର୍ନୀତି ଘେରରେ ରହିଥିବା ଯୋଗୁଁ ସଂସଦ ପାଖରେ ଉତ୍ତରଦାୟୀ ହେବା ଭୟରେ ସରକାର ଜାଣିଶୁଣି ସାଂସଦଙ୍କ ପାଣ୍ଠିରୁ ଦିଆଯାଇଥିବା ଅନୁଦାନ ଖର୍ଚ କରୁନଥିବା ଶ୍ରୀ ଉଲାକା ଅଭିଯୋଗ କରିଛନ୍ତି । ସାଂସଦଙ୍କ ଏହି ଗସ୍ତ ସମୟରେ କଂଗ୍ରେସ ନେତା ନିମାଇଁ ସରକାର, ବାବୁଲା ବେନିଆ, ରୂପକ ତୁରୁକ, ମନୋଜ ଆଚାର୍ଯ୍ୟ, ଭଗବାନ ବାହିନୀପତି, ରମେଶ ଖରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର