କୋରାପୁଟ: କୋରାପୁଟରେ ପୌର ନିର୍ବାଚନୀ ଉଷ୍ମତା ଜୋର ଧରିଛି । ରବିବାର ନାମାଙ୍କନ ଦାଖଲର ପଞ୍ଚମ ଦିନରେ ୧୯ କାଉନସିଲର ଓ ଜଣେ ଚେୟାରମ୍ୟାନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ କାଉନସିଲର ପାଇଁ କଂଗ୍ରେସର ୭, ବିଜେପିର ୮, ବିଜେଡିର ଜଣେ ଓ ସ୍ବାଧୀନ ୩ ପ୍ରାର୍ଥୀ ଅଛନ୍ତି।
କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥୀ ଦେବାନନ୍ଦ ବେହେରା ନାମାଙ୍କନ ଦାଖଲ କଲାବେଳେ ତାଙ୍କୁ ମାଉସୀମା ଛକରୁ କର୍ମୀମାନେ ପାରମ୍ପରିକ ନୃତ୍ୟ ସହ ବିରାଟ ପଟୁଆରରେ ଆସିଥିଲେ । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, କଂଗ୍ରେସ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଳଦୀପ ସମେତ ଶତାଧିକ କଂଗ୍ରେସ ନୃତ୍ୟ ବାଦ୍ୟର ତାଳେ ତାଳେ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦେବାନନ୍ଦ ନିଜ ପ୍ରାର୍ଥିପତ୍ର ଦାଖଲ କରିଥିଲେ । କୋରାପୁଟ ପୌର ମାର୍ଯ୍ୟାଳୟରେ କାର୍ଯ୍ୟ ଆଣିବା ଓ ଯୋଗାଇବା ନେଇ ବ୍ୟାପକ ଦୁର୍ନୀତି ଚାଲିଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ।
ଏହି ମ୍ୟୁନିସିପାଲିଟିରେ ବର୍ତ୍ତମାନ ୨୫-୩୦% ପିସି କାରବାର ଚାଲିଛି। ନଗରପାଳ ପ୍ରାର୍ଥୀ ଦେବାନନ୍ଦ ବେହେରାଙ୍କ ସମେତ କଂଗ୍ରେସ କାଉନସିଲରମାନେ ବିଜୟ ଲାଭ କଲେ ଦୁର୍ନୀତି ହଟିବ ବୋଲି ଶ୍ରୀ ବାହିନୀପତି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଡିଏମଏଫ ଅର୍ଥର କୋଟି କୋଟି ଟଙ୍କାର ଯନ୍ତ୍ରପାତି ଓ ଗୃହ ଖତଖାଉଥିବା ସେ ଅଭିଯୋଗ କରିଛନ୍ତି । କୋରାପୁଟ ସହରର ବିକାଶ ତାଙ୍କର ଲକ୍ଷ୍ୟ ବୋଲି ନଗରପାଳ ପ୍ରାର୍ଥୀ ଶ୍ରୀ ବେହେରା କହିଥିଲେ। ଗତ ୨ ତାରିଖରୁ କୋରାପୁଟ ପୌର ପରିଷଦରେ ଚାଲିଥିବା ନାମାଙ୍କନ ଦାଖଲ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୪୩ କାଉନସିଲର ଓ ଜଣେ ନଗରପାଳ ପ୍ରାର୍ଥୀ ସାମିଲ ହୋଇଛନ୍ତି।
ସୋମବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ଥିବା ବେଳେ ବିଜେଡି ତରଫରୁ ୨୧ ଓାର୍ଡରେ କାଉନସିଲର ଏବଂ ଚେୟାରମ୍ୟାନ ପାଇଁ ଲଲାଟ ରଂଜନ ସେଠୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ବିଜେପି ଏ ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିବାବେଳେ ଅନେକ ଆଶାୟୀ ଅଛନ୍ତି।