କୋରାପୁଟ/ପଟାଙ୍ଗୀ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଦିନକୁ ଦିନ ଅଧିକ ରହସ୍ୟମୟ ହେବାରେ ଲାଗିଛି। ପ୍ରତ୍ୟେକ ଦିନ କିଛିନା କିଛି ନୂଆ  ଗୁଜବ/ମତକୁ ଚର୍ଚ୍ଚା ହେଉଥିବା ବେଳେ ପୁଲିସ ଓ ପ୍ରଶାସନ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି। ଫଳରେ ନାନା ଚର୍ଚ୍ଚା ଓ ଆଲୋଚନା ମଧ୍ୟରେ ସମଗ୍ର ଘଟଣା କୁହେଳିକାମୟ ହୋଇ ରହିଛି।

Advertisment

ଗତ ମଙ୍ଗଳବାର ଦିନ ଯବାନ ବେଶରେ ଥିବା ୪ଜଣ ଯୁବକ ଏହି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ସଂପର୍କରେ କିଛି ସୁରାକ ପୁଲିସ ହାତରେ ଲାଗିନି। ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚ ଏକାଧିକ ଥର ଘଟଣାସ୍ଥଳ ବୁଲି ପ୍ରମାଣ ଖୋଜୁଥିଲେ ବି କିଛି ପାଇଥିବା ଭଳି ଲାଗୁନି। ଆଜି ରାଜ୍ୟ ମହିଳା କମିସନ୍‌ର ଏକ ୪ଜଣିଆ ପ୍ରତିନିଧି ଦଳ ଡାକ୍ତରଖାନାରେ ପୀଡ଼ିତାଙ୍କୁ ଭେଟି ତାଙ୍କ ସହ କଥା ହୋଇଛନ୍ତି। କିନ୍ତୁ ପୁଲିସ କି ପ୍ରଶାସନ ଏ ନେଇ କିଛି ବୟାନ ଦେଉନଥିବାରୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବହୁ କଥା ଶୁଣିବାକୁ ମିଳୁଛି। ଅଭିଯୁକ୍ତମାନେ  କିଏ ତାହା ଜାଣିସାରିଥିବାରୁ ସେମାନଙ୍କୁ ପୁଲିସ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରୁଛି ବୋଲି କିଛି ଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ ସଂପୃକ୍ତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇନି ବୋଲି ଆଜି କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ପୀଡ଼ିତାଙ୍କୁ ଗଭୀର ମାନସିକ ଆଘାତ ଦେଇଥିବା ସୂଚନା ମିଳିଛି।

ଏହାକୁ ନେଇ ବିଭିନ୍ନ ସ୍ଥାନରେ ଯୁକ୍ତିତର୍କ ବି ଦେଖିବାକୁ ମିଳିଛି। ଯଦି ଗଣଦୁଷ୍କର୍ମ ହୋଇନି ତେବେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଏତେ ଦିନ ଧରି କାହିଁକି ରଖାଯାଇଛି ଓ ସ୍ୱତନ୍ତ୍ର ଡାକ୍ତରୀ ଦଳ କି ଚିକିତ୍ସା କରୁଛନ୍ତି ବୋଲି ଯୁକ୍ତି ହେଉଛି। ଏଭଳି ଆଲୋଚନା ନେଇ ଛାତ୍ରୀଙ୍କ ପରିବାର ଲୋକେ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏପରିକି ପୀଡିତା ଜଣଙ୍କ ବି ଏଥିନେଇ ଖୁବ୍‌ ମର୍ମାହତ ଓ ଏଭଳି ହେଲେ ସେ ଚରମ ପଦକ୍ଷେପ ନେବେ ବୋଲି ଜଣେ ସ୍ୱେଚ୍ଛାସେବୀଙ୍କୁ କହିଥିବା ଜଣାପଡ଼ିଛି। ଆଜି କୋରାପୁଟ ମା’ଘର ସଭାପତି ସଂଯୁକ୍ତାରାଣୀ ସାହୁ, ସଂପାଦିକା ମମତା ରାୟ ଓ ସଦସ୍ୟା ସୌଦାମିନୀ ସାହୁ ପୀଡିତାଙ୍କୁ ଭେଟିଥିଲେ। ପୀଡ଼ିତା ଏ ବିଷୟରେ ଶୁଣି ହତୋତ୍ସାହିତ ହୋଇଥିବା ମା’ ଘର ସଦସ୍ୟାମାନେ କହିଛନ୍ତି। ତାଙ୍କ ପ୍ରତି ଅତ୍ୟନ୍ତ ପାଶବିକ ଅତ୍ୟାଚାର ହୋଇଥିଲେ ମଧ୍ୟ ଏବେ ଏହାକୁ ଚପାଇ ଦେବା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ଯଦି ନ୍ୟାୟ ମିଳୁନି ତେବେ ଏ ଜୀବନ ରଖି ଲାଭ କ’ଣ ବୋଲି ପୀଡିତା ଜଣଙ୍କ ମା’ଘର ସଭାପତିଙ୍କୁ କହିଥିବା ସେ ଜଣାଇଛନ୍ତି। ତେଣୁ ପୁଲିସ ତୁରନ୍ତ ତଦନ୍ତ ଶେଷ କରି ସତ୍ୟାସତ୍ୟ ପଦାକୁ ଆଣିବାକୁ ସଭାପତି ଶ୍ରୀମତି ସାହୁ ଦାବି କରିଛନ୍ତି।

ସେପଟେ ତଦନ୍ତ କେତେ ବାଟ ଆଗେଇଲା ସେଥିନେଇ କୌଣସି ପ୍ରତିକ୍ରିୟା ଦେବାକୁ ପୁଲିସ ମନା କରି ଦେଇଛି। ଏହା ଏକ ସ୍ପର୍ଶକାତର ମାମଲା ହୋଇଥିବାରୁ ତଦନ୍ତ ସଂପର୍କରେ ଗଣମାଧ୍ୟମରେ କିଛି କହିବାକୁ ବରିଷ୍ଠ ପୁଲିସ ଅଧିକାରୀମାନେ ମନା କରି ଦେଇଛନ୍ତି। ତଦନ୍ତ ବିଳମ୍ବ ହେଲେ ପୀଡିତା କୌଣସି କଠୋର ନିଷ୍ପତ୍ତି ନେବାର ଆଶଙ୍କା ଥିବାରୁ ପୁଲିସ ପ୍ରଶାସନ ଏହାକୁ ଗୁରୁତର ସହ ନେବା ଦରକାର ବୋଲି ସେ କହିଛନ୍ତି।

ରାଜ୍ୟ ମହିଳା କମିଶନଙ୍କ ଏକ ୪ଜଣିଆ ପ୍ରତିନିଧି ମଣ୍ଡଳୀ ଆଜି ପୀଡିତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ପରେ ଘଟଣା ନେଇ ତାଙ୍କୁ ପଚରାଉଚୁରା କରିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି। ପରେ କୋରାପୁଟ ରେଂଜ ଡିଆଇଜି ଏସ. ସାଇନଙ୍କୁ ଭେଟି ତଦନ୍ତର ଅଗ୍ରଗତି ନେଇ କଥା ହୋଇଛନ୍ତି।