କୋରାପୁଟ ହଳଦୀକୁ ମିଳିବ ନୂଆ ମାନ୍ୟତା

ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରିବ ପ୍ରଶାସନ

କୋରାପୁଟ : କନ୍ଧମାଳ ହଳଦୀ ଠାରୁ ବି କୋରାପୁଟ ହଳଦୀର ମାନ ଉତ୍କୃଷ୍ଟ। ଅଧିକ ରୋଗ ପ୍ରତିଷେଧକ ଶକ୍ତି ଏଠାରେ ଉତ୍ପାଦନ ହେଉଥିବା ହଳଦୀରେ ରହିଛି। ଯାହାର ପ୍ରାମାଣିକ ତଥ୍ୟ ମିଳିବା ପରେ ରାଜ୍ୟ ବାହାରେ ଏହି ହଳଦୀର ଚାହିଦା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ତେଣୁ ଏହି ହଳଦୀର ବିଶେଷତ୍ବକୁ ନେଇ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ପୂର୍ବରୁ କୋରାପୁଟର କଳାଜିରା ଧାନକୁ ଜିଆଇ ଟ୍ୟାଗ୍‌ କରିବା ପାଇଁ ପ୍ରଶାସନ, ଜୈବକଶ୍ରୀ ଓ ନାବାର୍ଡ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ଶ୍ରେଣୀରେ ‌ଏବେ କୋରାପୁଟ ହଦଳୀ ନିମନ୍ତେ ଜିଆଇ ଟ୍ୟାଗ୍‌ ଆବେଦନ କରାଯିବ ବୋଲି ସୂଚନା ମିଳିଛି। ଏଥିପାଇଁ ଓରମାସ ପକ୍ଷରୁ ଯୋଜନା ପ୍ରସ୍ତୁତ କରି ପ୍ରକ୍ରିୟା ଆରମ୍ଭ ହୋଇଛି।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଉତ୍ପାଦିତ ହେଉଥିବା ହଳଦୀ ଜାତୀୟ ବଜାରରେ ଆଦୃତ ହୋଇଛି। ହଳଦୀର ପରୀକ୍ଷା ପରେ ଏଥିରେ ୫ରୁ ୬ ପ୍ରତିଶତ କୁକୁମିନ ରହିଥିବା ଜଣାପଡ଼ିଥିଲା। ଯାହାଫଳରେ ଏହାକୁ ଔଷଧ ତିଆରିରେ ବ୍ୟବହାର କରାଯାଇ ପାରିବ ବୋଲି ରିପୋର୍ଟ ମିଳିଥିଲା। ତେଣୁ ଆଇଏଫ୍‌ସିଓ ପକ୍ଷରୁ ଲକ୍ଷ୍ମୀପୁର ବ୍ଲକରୁ ୨୦ ମେଟ୍ରିକ ଟନ୍‌ ହଳଦୀ କିଣାଯାଇଛି। ଏହାପରେ ଅଧିକ ଗବେଷଣା ନିମନ୍ତେ କିଛି ମାସ ତଳେ ଏଠାକାର ହଳଦୀକୁ ଦେଶର ଅଗ୍ରଣୀ ପରୀକ୍ଷାଗାରକୁ ପଠାଯାଇଥିଲା। ସେଠାରୁ ବି କନ୍ଧମାଳରେ ଉତ୍ପାଦିତ ହଳଦୀ ଠାରୁ ପ୍ରାୟ ଦୁଇ ଗୁଣ ଅଧିକ କୁକୁମିନ୍‌ ରହିଥିବା ରିପୋର୍ଟ ମିଳିଥିଲା। ବହୁ ପୂର୍ବରୁ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍‌ ମିଳି ସାରିଥିବାରୁ କୋରାପୁଟ ହଳଦୀର ବିଶେଷତ୍ବ ପାଇଁ ଅନୁରୂପ ଆବେଦନ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ସାରିଛି। ପ୍ରାମାଣିକ ତଥ୍ୟ ଆଧାରରେ ଜିଆଇ ଟ୍ୟାଗ୍‌ ନିଶ୍ଚିତ ରୂପେ ହେବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ହଳଦୀ ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି। ଲକ୍ଷ୍ମୀପୁର ହଳଦୀର ଉନ୍ନତ ମାନ ଓ ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ଥିବା ଆଗ୍ରହକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଅଧିକ ଚାଷୀ ଯେମିତି ଏହି ଚାଷରେ ଯୋଡ଼ିହୋଇ ଲାଭବାନ ହୋଇପାରିବେ ସେଥିପାଇଁ ଉଦ୍ୟମ କରାଯାଉଛି ବୋଲି ଲକ୍ଷ୍ମୀପୁର ବିଡିଓ ପ୍ରୀତି ରଞ୍ଜନ ରଥ କହିଛନ୍ତି।

ସମ୍ବନ୍ଧିତ ଖବର